fbpx

କଶ୍ମୀରରେ ହେବ  ନିର୍ବାଚନ ? ରାଜନୈତିକ ମାହୋଲ ସରଗରମ, ଜୁନ ୨୪ରେ ମୋଦୀ ଡକାଇଲେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରକୁ ନେଇ ରାଜନୈତିକ ଉଷ୍ଣତା ବଢି ଯାଇଛି। କଶ୍ମୀରରେ ବିଧାନସଭା ନିର୍ବାଚନ ହେବ ନା ଆଉ କିଛି ବଡ ଘୋଷଣା କରାଯିବ, ଏହାକୁ ନେଇ କଳ୍ପନା ଜଳ୍ପନା  ଜାରି ରହିଛି। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘାଟିର ସମସ୍ତ ରାଜନୈତିକ ଦଳଗୁଡିକ ସହିତ ଚଳିତ ମାସ ଶେଷ ସୁଦ୍ଧା ଗୁରୁତ୍ଵପୂର୍ଣ୍ଣ ବୈଠକ କରିବାକୁ ଯାଉଛନ୍ତି । ସରକାରୀ ଅଧିକାରୀଙ୍କ ଅନୁଯାୟୀ କେନ୍ଦ୍ରଶାସିତ ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ କରାଇବା ସହିତ ରାଜନୈତିକ ପ୍ରକ୍ରିୟା କେମିତି ମଜବୁତ ହୋଇ ପାରିବ ସେ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଜୁନ ୨୪ରେ ଉପତ୍ୟକାର ସମସ୍ତ ରାଜନୈତିକ ଦଳ ସହ ବୈଠକରେ ଅଧ୍ୟକ୍ଷତା କରି ପାରନ୍ତି।

୨୦୧୯ ଅଗଷ୍ଟ ୫ରେ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର ହେବା ଏବଂ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭାଜନ ପରେ ପ୍ରଥମ ଥର ଜମ୍ମୁ-କଶ୍ମୀରରେ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ବୈଠକରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଓ ଅନ୍ୟ କେନ୍ଦ୍ରୀୟ ନେତା ମଧ୍ୟ ଯୋଗ ଦେବାର ସମ୍ଭାବନା ରହିଛି। ଏପରିକି ଆଇବି ଓ ଜଇଡର ମଧ୍ୟ ବରିଷ୍ଠ ଅଧିକାରୀ ବୈଠକରେ ଯୋଗ ଦେଇ ପାରନ୍ତି। ଏହି ବୈଠକ ପାଇଁ ନ୍ୟାସନାଲ କନଫରେନ୍ସର ପ୍ରମୁଖ ଫାରୁକ ଅବଦୁଲ୍ଲା, ପିଡିପି ଅଧ୍ୟକ୍ଷ ମେହବୁବା ମୁଫତି, ଜମ୍ମୁ-କଶ୍ମୀର ଅପନି ପାର୍ଟି(ଜେକେଏପି)ର ଅଧ୍ୟକ୍ଷ ଅଲତାଫ ବୁଖାରୀ ଓ ପିପୁଲ୍ସ କନଫରେନ୍ସର ପ୍ରମୁଖ ସଜାଦ ଲୋନଙ୍କୁ ଆମନ୍ତ୍ରିତ କରାଯିବାର ନିଷ୍ପତ୍ତି ନିଆଯାଇଛି।

ମେହବୁବା ଶୁକ୍ରବାର ରାତି କହିଛନ୍ତି, ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜୁନ ୨୪ରେ  ବୈଠକ ପାଇଁ ଫୋନ୍ ଆସିଥିଲା। ଏ ନେଇ ମୁଁ କୌଣସି ନିଷ୍ପତ୍ତି ନେଇ ନାହିଁ। ପାର୍ଟି ସଦସ୍ୟଙ୍କ ସହ ଆଲୋଚନା କରି ବୈଠକ ସଂପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବି ବୋଲି ମେହବୁବା କହିଛନ୍ତି। ଫାରୁକ ଅବଦୁଲ୍ଲା ଓ ମେହବୁବା ମୁଫତି ଉଭୟ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ। ଜେକେଏପିର ସଭାପତି ବୁଖାରୀ କହିଛନ୍ତି, ଏହି ବୈଠକକୁ ମୁଁ ସ୍ଵାଗତ କରୁଛି। ଆମେ ଆରମ୍ଭରୁ କହି ଆସିଛୁ ଯେ, ଜମ୍ମୁ-କଶ୍ମୀରରେ ଗଣତନ୍ତ୍ର ଓ ରାଜ୍ୟ ମାନ୍ୟତା ଫେରାଇବା ପାଇଁ ଆଲୋଚନା ହିଁ ଏକ ମାତ୍ର ବିକଳ୍ପ। ବିଳମ୍ବ ହେଲେ ମଧ୍ୟ ନୂଆଦିଲ୍ଲୀ ପକ୍ଷରୁ ଏହି ପଦକ୍ଷେପ ସ୍ଵାଗତଯୋଗ୍ୟ ବୋଲି ସେ କହିଛନ୍ତି।

ଚଳିତ ମାସ ଶେଷ ସୁଦ୍ଧା କେନ୍ଦ୍ର ସରକାରଙ୍କ ପକ୍ଷରୁ ଜମ୍ମୁ-କଶ୍ମୀରର ସମସ୍ତ ଆଞ୍ଚଳିକ ଦଳ ସହିତ ଆଲୋଚନା କରାଯିବାର ସମ୍ଭାବନା ରହିଛି। ସୂତ୍ର ଅନୁଯାୟୀ ଜୁନ ୨୪ରେ ଏହି ବୈଠକ ହେବାକୁ ଯାଉଛି। ବୁଖାରୀଙ୍କୁ ଛାଡି ଘାଟିର ଅନ୍ୟ ନେତା ଜମ୍ମୁ-କଶ୍ମୀରରୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର ଓ ରାଜ୍ୟକୁ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ୨୦୧୯ ଅଗଷ୍ଟ ୫ କେନ୍ଦ୍ରର ନିଷ୍ପତ୍ତି ପରେ ଗୃହବନ୍ଦୀ ରହିଥିଲେ। ଗତ ବର୍ଷ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ଓ ଏହାର ସହଯୋଗୀ ୨୮୦ ଆସନରୁ ୧୧୦ଟି ଆସନରେ ବିଜୟ ହାସଲ କରିଥିଲେ।

Get real time updates directly on you device, subscribe now.