fbpx
BJD SKY
BJD SKY

ଖଡଗେଙ୍କ ପାଇଁ ପ୍ରଚାର କରି ଫସିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଜାଣନ୍ତୁ କାରଣ

BJD

ଜୟପୁର: କଂଗ୍ରେସ ଅଧ୍ୟକ୍ଷ ପଦର ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେଙ୍କ ପକ୍ଷରେ ପ୍ରଚାର କରିବା ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ମହଙ୍ଗା ପଡିପାରେ। ଶଶି ଥରୁରଙ୍କ ଆପତ୍ତି ପରେ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ପ୍ରମୁଖ ମଧୁସୂଦନ ମିସ୍ତ୍ରୀ ମାମଲା ଉପରେ ପଦକ୍ଷେପ ନେବେ ବୋଲି କହିଛନ୍ତି। ଦୁଇ ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ଗେହଲଟ ସାମାଜିକ ଗଣମାଧ୍ୟମରେ ମଲ୍ଲିକାର୍ଜୁନ ଖଗଡେଙ୍କୁ ଜିତାଇବା ପାଇଁ ଅପିଲ୍ କରିଥିଲେ। ଏହା ଉପରେ ଅନ୍ୟ ପ୍ରାର୍ଥୀ ଶଶି ଥରୁର ଆପତ୍ତି ପ୍ରକାଶ କରି କହିଥିଲେ, ଘଟଣାକୁ ମଧୁସୂଦନ ମିସ୍ତ୍ରୀ ଦେଖିବା ଉଚିତ୍। ଆଉ ମିସ୍ତ୍ରୀ ଏହାକୁ ଗୁରୁତର ସହ ନେଇଥିବା କହିଛନ୍ତି।

ସୂଚନାଯୋଗ୍ୟ, ପ୍ରାଧୀକରଣର ଗାଇଡଲାଇନ୍ ଅନୁସାରେ ବିଧାୟକ ଦଳର ନେତା ସମେତ ରାଷ୍ଟ୍ରୀୟ ପଦାଧିକାରୀ ପ୍ରଚାର କରି ପାରିବେ ନାହିଁ। ଯଦି କେହି ପ୍ରଚାର କରିବାକୁ ଚାହାନ୍ତି ତେବେ ତାଙ୍କୁ ପ୍ରଥମେ ନିଜ ପଦରୁ ଇସ୍ତଫା ଦେବାକୁ ପଡିବ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସାମାଜିକ ଗଣମାଧ୍ୟମରେ ଭିଡିଓ ଜାରି କରି ଖଡଗେଙ୍କ ପକ୍ଷରେ ମତଦାନ କରିବାକୁ ଅପିଲ୍ କରିଥିଲେ। ଭିଡିଓରେ ଗେହଲଟ୍ ଖୋଲାଖୋଲି ଖଡଗେଙ୍କ ପକ୍ଷରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଅଧ୍ୟକ୍ଷ ପଦ ପାଇଁ ଦ୍ଵିତୀୟ ପ୍ରାର୍ଥୀ ଥରୁର ଭୋପାଳରେ ଗଣମାଧ୍ୟମ ପ୍ରତିନିଧି ସହ ଆଲୋଚନା ବେଳେ ଗେହଲଟଙ୍କ କାର୍ଯ୍ୟକଳାପ ନେଇ ଘୋର ଆପତ୍ତି ପ୍ରକାଶ କରିଛନ୍ତି। ତାଙ୍କ ଅଭିଯୋଗ ପରେ ମଧୁସୂଦନ ମିସ୍ତ୍ରୀ ଟିପ୍ପଣୀ ଦେଇଛନ୍ତି।

ଉଲ୍ଲେଖନୀୟ ମୁଖ୍ୟମନ୍ତ୍ରୀ ଗେହଲଟ୍ ଶଶି ଥରୁରଙ୍କ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢିବାକୁ ପରୋକ୍ଷରେ ସମାଲୋଚନା କରି ସାରିଛନ୍ତି। ଗେହଲଟ୍ କହିଥିଲେ, ଥରୁର ଆଭିଜାତ୍ୟ ବର୍ଗରୁ ଆସିଛନ୍ତି। ସେ ତୃଣମୂଳସ୍ତର ସହ ଜଡିତ ନେତା ନୁହନ୍ତି। ପାର୍ଟିକୁ ସେ ସଶକ୍ତ କରି ପାରିବେ ନାହିଁ। ଥରୁରଙ୍କୁ ଅନ୍ତର୍ଜାତୀୟ ମାମଲାରେ ଅଧିକ ଜ୍ଞାନ ଥାଇପାରେ ମାତ୍ର କୌଣସି ପାର୍ଟିକୁ ମଜବୁତ କରିବା ପାଇଁ ତାଙ୍କର ଅଭିଜ୍ଞତା ମହତ୍ଵ ରଖେ ନାହିଁ। କିନ୍ତୁ ମଲ୍ଲିକାର୍ଜୁନ ଖଗଡେ ମାଟିର ନେତା। ନିଜ ୫୦ ବର୍ଷର ରାଜନୈତିକ ଜୀବନରେ ତାଙ୍କୁ କେବଳ ଥରୁଟିଏ ପରାଜୟର ସାମ୍ନା କରିବାକୁ ପଡିଥିଲା ବୋଲି ଗେହଲଟ୍ କହିଥିଲେ।

କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ଅକ୍ଟୋବର ୧୭ ଅର୍ଥାତ ଆସନ୍ତାକାଲି ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଦୁଇ ପ୍ରାର୍ଥୀ ସମଗ୍ର ଦେଶରେ ନିଜ ନିଜର ପ୍ରଚାରରେ ଜୁଟି ଯାଇଛନ୍ତି। ହେଲେ ଉଭୟ ଖଡଗେ ଏବଂ ଥରୁର ପ୍ରଚାର ପାଇଁ ରାଜସ୍ଥାନ ଯାଇ ନାହାନ୍ତି। କେବଳ ଫୋନ କରି ଭୋଟ୍ ଭିକ୍ଷା କରିଛନ୍ତି ଖଡଗେ ଏବଂ ଥରୁର। ଉଭୟ ରାଜସ୍ଥାନର ସମସ୍ତ ୪୧୩ ପ୍ରତିନିଧିଙ୍କୁ ରେକର୍ଡ ଫୋନ କରିଛନ୍ତି।

Get real time updates directly on you device, subscribe now.