fbpx

ପ୍ରଶାନ୍ତ କିଶୋରଙ୍କୁ ସ୍ଵାଗତ ପାଇଁ କଂଗ୍ରେସ ପ୍ରସ୍ତୁତ, ହେଲେ ମିଳିବ ନାହିଁ ସ୍ଵତନ୍ତ୍ର ଆତିଥ୍ୟ

AAKASH
ନୂଆଦିଲ୍ଲୀ: ପ୍ରଶାନ୍ତ କିଶୋରଙ୍କ କଂଗ୍ରେସରେ ସାମିଲ୍ ହେବା ନେଇ ସଂପ୍ରତି ସ୍ଥିତି ସ୍ପଷ୍ଟ ହୋଇ ନାହିଁ। ତେବେ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ସ୍ଵତନ୍ତ୍ର ଚର୍ଚ୍ଚା କରିବାକୁ କଂଗ୍ରେସ ମନା କରି ଦେଇଛି। ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଆଗାମୀ ରାଜନୈତିକ ଆହ୍ଵାନର ମୁକାବିଲା ପାଇଁ ‘ଏମ୍ପପାଓ୍ଵର୍ଡ ଆକ୍ସନ ଗ୍ରୁପ-୨୦୨୪’ର ଘୋଷଣା କରିଛନ୍ତି।
ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ, କଂଗ୍ରେସ ଏହା ସ୍ପଷ୍ଟ କରି ଦେଇଛି ଯେ, ପାର୍ଟିରେ ପ୍ରଶାନ୍ତ କିଶୋର ସାମିଲ୍ ହେଲେ ମଧ୍ୟ ଦଳ ସଂଗଠନରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ପ୍ରଶାନ୍ତଙ୍କୁ ଦଳରେ ସ୍ଵାଗତ କରାଯିବ ମାତ୍ର ସ୍ଵତନ୍ତ୍ର ବ୍ୟବସ୍ଥା ଦିଆଯିବ ନାହିଁ।  ପାର୍ଟି ଏବେ କିଶୋରଙ୍କ ଉପରେ ଏହି ନିଷ୍ପତ୍ତି ଛାଡି ଦେଇଛି ଯେ, ଆପଣ କଂଗ୍ରେସରେ ଔପଚାରିକ ଭାବେ ସାମିଲ୍ ହେବେ କି ପେଶାଦାର ସହଯୋଗୀ ହିସାବରେ ଦଳରେ ରହିବେ। ନିକଟରେ କଂଗ୍ରେସର ପ୍ରଶାନ୍ତଙ୍କ ସହିତ ଅନେକ ମାରାଥନ ବୈଠକ ହୋଇ ସାରିଛି।
ସୋନିଆ ଗାନ୍ଧୀଙ୍କ ତରଫରୁ ଗଠିତ ଆଠ ଜଣିଆ କମିଟିରେ କିଏ କିଏ ସାମିଲ୍ ହେବେ ତାହା ସ୍ପଷ୍ଟ ହୋଇ ନାହିଁ। ଶୀଘ୍ର ପାର୍ଟି ନେତାଙ୍କ ନାମ ଘୋଷଣା ହୋଇପାରେ। ତେବେ ଦଳର ଅନେକ ନେତା ନିର୍ବାଚନ ଏବଂ ସାଂଗଠନିକ ସ୍ତରରେ ପରିବର୍ତ୍ତନ ନେଇ ପ୍ରଶାନ୍ତ କିଶୋରଙ୍କ ତରଫରୁ ଦିଆଯାଇଥିବା ପ୍ରସ୍ତାବକୁ ଉଚିତ୍ ବୋଲି ମାନିଛନ୍ତି। ଏହା ବ୍ୟତୀତ ସେ ସୋନିଆ ଗାନ୍ଧୀଙ୍କୁ ନିର୍ବାଚନୀ ରଣନୀତିକାରଙ୍କୁ ସ୍ଵତନ୍ତ୍ର ଶକ୍ତି ଦେବାକୁ ଅପିଲ୍ କରିଛନ୍ତି।
କଂଗ୍ରେସ କମିଟିରେ ସାମିଲ୍ ଜଣେ ସଦସ୍ୟ କହିଛନ୍ତି, କିଶୋରଙ୍କ ରଣନୀତିରେ ପ୍ରଭାବିତ ପ୍ରିୟଙ୍କା ଗାନ୍ଧୀ କମିଟିରେ ସାମିଲ୍ ହୋଇ ପାରନ୍ତି। ରାହୁଲ ଗାନ୍ଧୀ ସଂପ୍ରତି ବିଦେଶରେ ଅଛନ୍ତି। ରାହୁଲଙ୍କ ସହିତ ଆଲୋଚନା ପରେ ସୋନିଆ ଗାନ୍ଧୀ ଚୂଡାନ୍ତ ନିଷ୍ପତ୍ତି ନେଇ ପାରନ୍ତି ବୋଲି କୁହାଯାଉଛି।

Get real time updates directly on you device, subscribe now.