ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଘଟଣା, କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ
ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଘଟଣାକୁ ନେଇ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ।
ଭୁବନେଶ୍ବର: ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଏପରିକି ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ- ଏହାରି ଭିତରେ ଆଜି କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି । କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଛି । ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରାଯାଉଥିବା ଚିତ୍ର ସାମ୍ନାକୁ ଆସିଛି ।
ଗୋପାଳପୁର ଗଣଦୁଷ୍କର୍ମ ମାମଲାକୁ ନେଇ ସରକାର କଡ଼ା ଆଭିମୁଖ୍ୟ ଆପଣାଇଛନ୍ତି । ଆଜି ଘଟଣାସ୍ଥଳକୁ ଯାଇଥିଲେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ତାଙ୍କ କହିବା ଅନୁସାରେ, ୨୪ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତ ଗିରଫ ହୋଇ ସାରିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ଖୁବ୍ ଶୀଘ୍ର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
କଣ ରହିଥିଲା ଘଟଣା- ପୁରୁଷବନ୍ଧୁଙ୍କ ସହିତ ଗୋପାଳପୁର ବେଳାଭୂମୀ ଯାଇଥିଲେ ଯୁବତୀ । ଯୁକ୍ତ 3ରେ ଅଧ୍ୟୟନ କରୁଥିବା ନେଇ ସୂଚନା ରହିଛି । ରାତି 8ଟା ସମୟରେ ଉଭୟେ ସମୁଦ୍ରକୂଳେ ବସିଥିଲେ । ଏହି ସମୟରେ ହିଞ୍ଜିଳିକାଟୁ ଅଞ୍ଚଳର ୧୦ଜଣ ଯୁବକ ଆସି ଅସଦାଚରଣ କରିଥିଲେ ।
ଫଳରେ ଏହାକୁ ବିରୋଧ କରିଥିଲେ ପୁରୁଷବନ୍ଧୁ । ଏଥିରେ ଉତ୍ତ୍ୟକ୍ତ ହୋଇ କିଛି ଯୁବକ ପୁରୁଷବନ୍ଧୁକୁ କାବୁ କରି ମହିଳାଙ୍କୁ ଟେକି ନେଇଯାଇଥିଲେ । ଏକ ଅନ୍ଧାରିଆ ସ୍ଥାନରେ ତିନି ଜଣ ଗଣଦୁଷ୍କର୍ମ କରିଥିଲେ ।
ତାପରେ ସେଠାରୁ ଚମ୍ପଟ ମାରିଥିଲେ । ଏହାପରେ ରାତି ପ୍ରାୟ ସାଢ଼େ ୧୦ଟା ବେଳେ ସେମାନେ ଥାନାରେ ପହଞ୍ଚି ଘଟଣା ସଂପର୍କରେ ପୁଲିସକୁ ଜଣାଇଥିଲେ । ପରେ ଘଟଣା ସାମ୍ନାକୁ ଆସିଥିଲା ।