fbpx

କର୍ଣ୍ଣାଟକର ପୁନରାବୃତ୍ତି ମଧ୍ୟପ୍ରଦେଶରେ ହେବ: ୨୦୧୮ରେ ଆମେ ଜିତିଥିଲୁ, ୨୦୨୩ରେ ମଧ୍ୟ କଂଗ୍ରେସ ଜିତିବ- ରାହୁଲ

ନୂଆଦିଲ୍ଲୀ: ନିକଟରେ ପ୍ରକାଶ ପାଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ଦେଶର ରାଜନୀତି ଉପରେ କିଛି ମାତ୍ରାରେ ପ୍ରଭାବ ପକାଇଛି । ମାତ୍ର ଆଗାମୀ ଦିନରେ ଏହା କଂଗ୍ରେସକୁ ବହୁତ ବଡ଼ ଫାଇଦା ଦେଇପାରେ । ପ୍ରଥମେ ହିମାଚଳ ପ୍ରଦେଶ ଓ ତା’ପରେ କର୍ଣ୍ଣାଟକ ଦଖଲ ପରେ କଂଗ୍ରେସର ମନୋବଳ ଏବେ ବେଶ୍ ବୃଦ୍ଧି ପାଇଛି । ଏଥିସହିତ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ହେବା ପରେ ତାଙ୍କର ମଧ୍ୟ ଲୋକପ୍ରିୟତା ବଢ଼ିଥିବା ଏକ ସର୍ଭେରୁ ଜଣାପଡ଼ିଛି ।

ତେବେ ଚଳିତ ବର୍ଷ ଶେଷରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ହେବାର ଅଛି । ଏଥିମଧ୍ୟରୁ ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ସରକାର ରହିଥିବା ବେଳେ ମଧ୍ୟପ୍ରଦେଶରେ ମଧ୍ୟ ଗତଥର କଂଗ୍ରେସ ପ୍ରଥମେ ସରକାର ଗଠନ କରିଥିଲା । ତେଣୁ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଯଦି ଏହିସବୁ ରାଜ୍ୟରେ ଭଲ ପ୍ରଦର୍ଶନ କରେ, ତେବେ ଦଳ ସପକ୍ଷରେ ଜନାଦେଶ ଯାଇପାରେ । ଏପରି ସ୍ଥିତିରେ କଂଗ୍ରେସର ଉତଥାନ ବିଜେପି ପାଇଁ କାଳ ହୋଇପାରେ ।

ତେଣୁ ଆସନ୍ତା ମଧ୍ୟପ୍ରଦେଶ ନିର୍ବାଚନରେ କଂଗ୍ରେସ ୧୫୦ଟି ସିଟ ଅକ୍ତିଆର କରିବ ବୋଲି ରାହୁଲ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । କର୍ଣ୍ଣାଟକର ପୁନରାବୃତ୍ତି ମଧ୍ୟପ୍ରଦେଶରେ ହେବ । ଏଥିପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟର ନେତାଙ୍କ ସହିତ ରଣନୀତି ପ୍ରସ୍ତୁତ କରୁଛନ୍ତି ବୋଲି ରାହୁଲ କହିଛନ୍ତି । ମଧ୍ୟପ୍ରଦେଶରେ ମୋଟ ଆସନ ସଂଖ୍ୟା ୨୩୦ ରହିଥିବା ବେଳେ ଗତ ୨୦୧୮ ନିର୍ବାଚନରେ ଦଳ ବହୁମତ ହାସଲ କରି କମଲନାଥଙ୍କ ନେତୃତ୍ୱରେ ସରକାର ଗଠନ କରିଥିଲା । ମାତ୍ର ପରବର୍ତ୍ତୀ ସମୟରେ ଜ୍ୟୋତିରାତ୍ୟ ସିନ୍ଧିଆ ବିଜେପିରେ ଯୋଗଦେବା ପରେ ବହୁ ବିଧାୟକ କଂଗ୍ରେସ ଛାଡ଼ି ବିଜେପିକୁ ଛାଡ଼ି ଚାଲିଯାଇଥିଲେ । ଫଳରେ ରାଜ୍ୟରେ କଂଗ୍ରେସ ଭୁଶୁଡ଼ି ପଡ଼ିଥିଲା ଓ ବିଜେପି ସରକାର ଗଠନ କରିଥିଲା ।

Get real time updates directly on you device, subscribe now.