ଏଲପିଜି ଶସ୍ତା କରିବା ପରେ ମୋଦୀ ସରକାର ଦେବାକୁ ଯାଉଛନ୍ତି ଆଉ ଏକ ବଡ ଉପହାର, ମଧ୍ୟବର୍ତ୍ତୀ ପରିବାର ହେବେ ଉପକୃତ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ଦେଶରେ ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୨୦୦ ଟଙ୍କା ହ୍ରାସ କରିଛନ୍ତି । ଏବେ ଦେଶର ମଧ୍ୟବର୍ତ୍ତୀ ପରିବାର ଲାଗି ମୋଦୀ ସରକାର ପୁଣି ଆଉ ଏକ ବଡ ଉପହାର ଦେବାକୁ ଯାଉଛନ୍ତି । କେନ୍ଦ୍ର ସରକାର ସହରୀ ମଧ୍ୟମ ବର୍ଗର ଲୋକଙ୍କ ଲାଗି ଏକ ନୂଆ ଆବାସ ଯୋଜନା ଆଣିବାକୁ ଯାଉଛନ୍ତି । ଏହି ଯୋଜନା ଜରିଆରେ ଲୋକଙ୍କୁ ବ୍ୟାଙ୍କରୁ ଋଣ ନେବା ସମୟରେ ବଡ ଧରଣର ରିହାତି ମିଳିଯିବ । ଏଥିପାଇଁ ସରକାର ଆଗାମୀ ୫ ବର୍ଷରେ ୬୦୦ ଅରବ ଟଙ୍କା ଖର୍ଚ୍ଚ କରିବା ନେଇ ବିଚାର କରୁଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫ରେ ଲାଲ କିଲ୍ଲାରୁ ଉଦବୋଧନ ଦେବା ସମୟରେ ଏହି ଯୋଜନା ବିଷୟରେ କହିଥିଲେ । ଏହି ଯୋଜନା ଜରିଆରେ ୯୦ ଳକ୍ଷ ପର୍ଯ୍ୟନ୍ତ ଋଣ ଉପରେ ୩ରୁ ୬.୫ ପ୍ରତିଶତ ମଧ୍ୟରେ ବାର୍ଷିକ ସୁଧ ସବସିଡି ପ୍ରଦାନ କରାଯିବ । ସୂତ୍ରରୁ ଜଣାପଡିଛି ୨୦ ବର୍ଷ ଅବଧି ଲାଗି ନିଆଯାଇଥିବା ୫ କୋଟି ଟଙ୍କାରୁ କମ୍ ହୋମ୍ ଲୋନ୍ କ୍ଷେତ୍ରରେ ଏହି ଯୋଜନା ଲାଗୁ ହେବ ।

ଜଣେ ସରକାରୀ ଅଧିକାରୀ କହିଛନ୍ତି ଏହି ସୁଧ ଛାଡ ଲାଭାର୍ଥୀଙ୍କ ହୋମ୍ ଲୋନ୍ ଆକାଉଣ୍ଟରେ ଆଡାଭାନ୍ସ ଆକାରରେ ଜମା କରାଯିବ । ଏହି ଯୋଜନା ୨୦୨୮ ପର୍ଯ୍ୟନ୍ତ ଲାଗୁ କରାଯିବ । ଏହି ଯୋଜନା ଦ୍ୱାରା ସହରରେ ରହୁଥିବା ପ୍ରାୟ ୨.୫ ମିଲିୟନ ମଧ୍ୟମ ବର୍ଗର ଲୋନ୍ ଆବେଦକ ଲାଭବାନ ହେବେ ।