fbpx

ରାଜସ୍ଥାନ ବିଜେପିରେ ପୁଣି ବଢ଼ିଲା କନ୍ଦଳ, ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ଦାବିଦାର

ନୂଆଦିଲ୍ଲୀ: ରାଜସ୍ଥାନ ବିଜେପିରେ ପୁଣି ଦଳୀୟ କନ୍ଦଳ ଆରମ୍ଭ ହୋଇଯାଇଛି । ଆସନ୍ତା ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ କିଏ ମୁଖ୍ୟମନ୍ତ୍ରୀ ଚେହେରା ହେବ, ତାହାକୁ ନେଇ ଘନେଇଛି ବିବାଦ । ତେବେ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ସଂସଦୀୟ ବୋର୍ଡ ଚୟନ କରିବ ବୋଲି ବିଜେପି ପ୍ରଦେଶ ଅଧ୍ୟକ୍ଷ ସତୀଶ ପୁନିଆ କହିଛନ୍ତି । ଅନ୍ୟପଟେ ଜନସାଧାରଣ ଯାହାକୁ ଚାହିଁବେ ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବ ବୋଲି ନିକଟରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ବୟାନ ଦେଇଥିଲେ ।

ପୂର୍ବରୁ ରାଜ୍ୟ ଭାଜପା କାର୍ୟ୍ୟାଳୟରେ ମରାଯାଇଥିବା ବିଭିନ୍ନ ପୋଷ୍ଟରରେ ବରିଷ୍ଠ ନେତ୍ରୀ ବସୁନ୍ଧରା ରାଜେଙ୍କ ଫଟୋ ନଥିଲା । ଫଳରେ ରାଜେଙ୍କ ସମର୍ଥକମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ହଟ୍ଟଗୋଳ କରିଥିଲେ । ରାଜେଙ୍କ ସହ ପୁନିଆ ଓ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ମଧ୍ୟରୁ ଜଣଙ୍କୁ ଦଳ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିପାରେ ବୋଲି ଚର୍ଚ୍ଚା ହେଉଛି । ୨୦୨୪ ଲୋକସଭା ଓ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ଅନେକ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ କରୁଛି । ଉତ୍ତରାଖଣ୍ଡ, ଆସାମ, କର୍ଣ୍ଣାଟକ, ଗୁଜରାଟ ଆଦି ସବୁ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଦଳ ମୁଖ୍ୟମନ୍ତ୍ରୀ ବଦଳାଇ ସାରିଛି । ତେଣୁ ରାଜସ୍ଥାନରେ ମଧ୍ୟ ଜଣେ ନୂଆ ଚେହେରାଙ୍କୁ ସୁଯୋଗ ଦିଆଯାଇପାରେ ବୋଲି ରାଜନୀତିକ ସମୀକ୍ଷକମାନେ ବିଚାର କରୁଛନ୍ତି ।

Get real time updates directly on you device, subscribe now.