ହୋଲି ଡ୍ୟୁଟି ସମୟରେ ପୋଲିସ ବାବୁଙ୍କୁ ଆସିଲା ହାର୍ଟଆଟାକ୍, ଚାଲିଗଲା ଜୀବନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ ହୋଲି ଡ୍ୟୁଟିରେ ନିୟୋଜିତ 54 ବର୍ଷୀୟ ପୋଲିସ ଇନ୍ସପେକ୍ଟର ସଞ୍ଜୟ ପାଠକଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ଏହି ଘଟଣା ଶୁକ୍ରବାର ଜିଲ୍ଲାର ଏକ ସମ୍ବେଦନଶୀଳ ଅଞ୍ଚଳ ବେଟମା ସହରରେ ଘଟିଥିଲା । ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟୀ ରଖିବା ପାଇଁ ତାଙ୍କୁ ସେଠାରେ ନିୟୋଜିତ କରାଯାଇଛି ।

ରିପୋର୍ଟ ଅନୁଯାୟୀ, ଇନ୍ଦୋର ଗ୍ରାମୀଣ ଏସ୍ପି ରୂପେଶ ଦ୍ୱିବେଦୀ ଶନିବାର ସୂଚନା ଦେଇ କହିଛନ୍ତି ଯେ, ଡ୍ୟୁଟି ସମୟରେ ସଞ୍ଜୟ ପାଠକ ହଠାତ୍ ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ସେ ଏହା ବିଷୟରେ ତାଙ୍କ ସହକର୍ମୀଙ୍କୁ ଜଣାଇଥିଲେ, ତା’ପରେ ତାଙ୍କୁ ତୁରନ୍ତ ଇନ୍ଦୋରର ବମ୍ବେ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା।

ପୋଲିସର ସୂଚନା ଅନୁଯାୟୀ, ସଞ୍ଜୟ ପାଠକ ଭୋପାଳର ବାସିନ୍ଦା ଥିଲେ ଏବଂ ଦୀର୍ଘ ଦିନ ଧରି ପୋଲିସ ବିଭାଗରେ କାର୍ଯ୍ୟରତ ଥିଲେ । ହୋଲି ଅବସରରେ, ତାଙ୍କୁ ବେଟମାର ବିଶେଷ ସମ୍ବେଦନଶୀଳ ଅଞ୍ଚଳରେ ଡ୍ୟୁଟିରେ ନିୟୋଜିତ କରାଯାଇଥିଲା, ଯେଉଁଠାରେ ସାମ୍ପ୍ରଦାୟିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ଅତିରିକ୍ତ ସତର୍କତା ଅବଲମ୍ବନ କରାଯାଉଥିଲା।

ତେବେ ପୋଲିସ କର୍ମୀଙ୍କ ମୃତ୍ୟୁ ପରେ ଶୋକର ଛାୟା ଖେଳିଯାଇଛି । ତେବେ ପୋଲିସମାନେ ତାଙ୍କ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପରେ ଭୋପାଳ ପଠାଇ ଦେଇଛନ୍ତି ।