ଭୁବନେଶ୍ୱର(ଓଡ଼ିଶା ଭାସ୍କର):ଓଡ଼ିଶାରେ ଓମିକ୍ରନର ୨ଟି ମାମଲା ଚିହ୍ନଟ ପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଓମିକ୍ରନ ମୁକାବିଲା ପାଇଁ ବସିଥିବା ସମୀକ୍ଷା ବୈଠକ ଶେଷ ହୋଇଛି । ବୈଠକ ଶେଷ ହେବା ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘୫ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଜୋରଦାର ସର୍ଭେଲାନ୍ସ ଓ ଟିକାକରଣକୁ ବ୍ୟାପକ କରାଯିବ । ଜିନମ ସିକ୍ୱେନ୍ସିଂ ସଂଖ୍ୟା ବୃଦ୍ଧି କରାଯିବ । ନୂଆ ବର୍ଷ ଆସୁଥିବାରୁ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ୱାରୋପ କରାଯାଇଛି ।’
ଏହା ସହି ସ୍କୁଲ/କଲେଜରେ ପଜିଟିଭ୍ ଚିହ୍ନଟ ହେଲେ ଆଇସୋଲେସନର ବ୍ୟବସ୍ଥା କରାଯିବ । ଅବଶ୍ୟକ ହେଲେ ନୂଆବର୍ଷ ପାଇଁ ଖୁବଶୀଘ୍ର ଗାଇଡଲାଇନ୍ ଆସିବ । କଟକଣା ବଢ଼ାଇବାକୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନରଙ୍କୁ ଦାୟିତ୍ୱ ଦିଆଯାଇଛି । ସ୍ଥିତି ଦେଖି କଟକଣା, ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।