fbpx

ଓଡ଼ିଶାରେ ବଢ଼ୁଥିବା Covid-19 ମାମଲାରେ କେବେ ଲାଗିବ ରୋକ୍? ଜାଣନ୍ତୁ କ’ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣିଥିରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କରୋନାର ବଢ଼ୁଥିବା ମାମଲାକୁ ଦେଖି ସରକାର ପୁଣି ନିୟମକୁ କଡ଼ାକଡ଼ି କରିଛନ୍ତି । ଏହାରି ମଧ୍ୟରେ କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ତାଙ୍କ କହିବାକୁ ମୁତାବକ, ‘ବର୍ତ୍ତମାନ ଓଡ଼ିଶାରେ କରୋନା ଗ୍ରାଫ୍ ଉପରମୁହଁ ରହିଛି । ଅନ୍ୟ ଲହର ପରି ସଂକ୍ରମଣ ବଢ଼ୁନି । ଏହା ଧୀରେ ଧୀରେ ବଢ଼ୁଛି । ସମାନ୍ତରାଳ ହୋଇ କିଛି ଦିନ ରହିବା ପରେ ଧୀରେ ଧୀରେ ଏହା ତଳମୁହଁ ହୋଇପାରେ ।’

ଅନ୍ୟ ରାଜ୍ୟରେ ଯେଉଁ ଭଳି ଖସୁଛି, ସେହିଭଳି ଓଡ଼ିଶାରେ ଖସିପାରେ । ଅଗଷ୍ଟ ଦ୍ୱିତୀୟ ସପ୍ତାହ ବେଳକୁ ଓଡ଼ିଶା ଭଲ ସ୍ଥିତିକୁ ଆସିପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ନିୟମ ମାନିବା ସହ ଟିକା ନନେଇଥିବା ଲୋକେ ତୁରନ୍ତ ଟିକା ନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । ରଥଯାତ୍ରା ସରିଛି, ଏବେ ରାଜ୍ୟରେ ସଂକ୍ରମଣ ବୃଦ୍ଧି ଆଶଙ୍କା ରହିଛି । ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକ ନିଜ ନିଜ ଘରକୁ ଫେରିଛନ୍ତି । ତେଣୁ ବିଭିନ୍ନ ଜିଲ୍ଲାର କରୋନା ସ୍ଥିତି ଉପରେ ନଜର ରଖାଯାଇଛି। କମ୍ୟୁନିଟି ପଜିଟିଭିଟି ପାଇଁ ବିଭିନ୍ନ ଜିଲ୍ଲାର ସ୍ଥିତିକୁ ତର୍ଜମା କରାଯାଉଛି । ସଂକ୍ରମଣ ବୃଦ୍ଧି ହେବା ସହ ତାହାର ଆକାର ଉପରେ ନଜର ରଖାଯାଇଛି ବୋଲି ସେ କହିଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭୪୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଲୋକାଲ କେସ ୩୦୭ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୪୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗରୁ ୮୭ ଆକ୍ରାନ୍ତ ଥିବା ଜଣାପଡିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୧୧୫, ଷ୍ଟେଟପୁଲରୁ ୬୦, ସୁନ୍ଦରଗଡରୁ ୬୫, ପୁରୀରୁ ୩୬ ଓ ମୟୂରଭଞ୍ଜରୁ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୫, ୩୨୮କୁ ବୃଦ୍ଧି ପାଇଛି । ଏବେ ସକ୍ରିୟ ମାମଲା ୩୮୭୮ ରହିଛି । ୨୪ ଘଣ୍ଟା ମଧ୍ୟରେ ୪୦୪ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୨,୮୨,୨୭୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

Get real time updates directly on you device, subscribe now.