fbpx

କରୋନା ଓ ଇବୋଲାଠାରୁ ବି ଅଧିକ ମାରାତ୍ମକ ଏହି ଭାଇରସ୍, ସଂକ୍ରମଣ ହେଲେ ମୃତ୍ୟୁ ନିଶ୍ଚିତ : ଆଲର୍ଟରେ WHO

ନୂଆଦିଲ୍ଲୀ: ବିଶ୍ୱ ଏବେ ବି କରୋନା ଭାଇରସ୍ ସହ ଲଢ଼େଇ କରୁଛି । ଅନେକ ଦେଶରେ ମାମଲା ବଢ଼ୁଥିବା ବେଳେ ନୂଆ ନୂଆ ଭାଇରସ୍ ମଧ୍ୟ ସାମ୍ନାକୁ ଆସୁଥିବା ନଜର ଆସିଛି । ଏବେ କରୋନାରୁ ତ୍ରାହି ମିଳିନଥିବା ବେଳେ ଆଉ ଏକ ନୂଆ ଭାଇରସ୍ ସାମ୍ନାକୁ ଆସିଛି, ଯାହାକୁ ଅତ୍ୟନ୍ତ ମାରାତ୍ମକ ବୋଲି କୁହାଯାଉଛି । ଏହି ଭାଇରସର ନାଁ ‘ମାରବର୍ଗ’ ରଖାଯାଇଛି ।

ଏହି ଭାଇରସ୍ ପୂର୍ବରୁ ବି ଏଣ୍ଟ୍ରି କରିସାରିଛି । ୧୯୬୭ ମସିହାରେ ଏହାର ଅଧିକ ମାମଲା ଚିହ୍ନଟ ହୋଇଥିଲା । ଏହି ଭୂତାଣୁ ବିଷୟରେ କୁହାଯାଇଥିଲା ଯେ, ଯଦି କେହି ଏହାର ଶିକାର ହୁଅନ୍ତି, ତେବେ ତାଙ୍କର ମୃତ୍ୟୁ ନିଶ୍ଚିତ । ପଶ୍ଚିମ ଆଫ୍ରିକୀୟ ଦେଶ ଘାନାରେ ମାରବର୍ଗର ଦୁଇଟି ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ମଧ୍ୟ ଏହି ନୂଆ ଭାଇରସକୁ ନେଇ ସତର୍କ ହୋଇଛି ।

ଇବୋଲା ଭାଇରସ୍ ଅପେକ୍ଷା ମାରବର୍ଗ ଭାଇରସ୍ ଅଧିକ ଶୀଘ୍ର ବ୍ୟାପିଥାଏ ଓ ଲୋକଙ୍କୁ ଶିକାର କରିଥାଏ । ଡବ୍ଲୁଏଚଓ ଅନୁସାରେ,୧୯୬୭ ମସିହାରୁ ଦକ୍ଷିଣ ଏବଂ ପୂର୍ବ ଆଫ୍ରିକାରେ ମାରବର୍ଗ ସଂକ୍ରମଣର ପ୍ରକୋପ ଅନେକ ଥର ଦେଖିବାକୁ ମିଳିଥିଲା । ଏହି ଜୀବାଣୁ କେତେ ଶୀଘ୍ର ବିସ୍ତାର ହୁଏ, ଏହା ଆକଳନ କରାଯାଇପାରେ ଯେ ସଂକ୍ରମିତ ଲୋକଙ୍କ ମୃତ୍ୟୁ ହାର ୨୪ ପ୍ରତିଶତରୁ ୮୮ ପ୍ରତିଶତ ମଧ୍ୟରେ ରହିଛି ।

ଏହାକୁ ନେଇ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ର ପୂର୍ବତନ ମହାନିର୍ଦ୍ଦେଶକ ଏନ.କେ.ଗାଙ୍ଗୁଲି କହିଛନ୍ତି ଯେ, ‘ଏହି ଭାଇସ୍ର ସଂକ୍ରମଣ ବ୍ୟକ୍ତିଙ୍କଠାରୁ ହୋଇପାରେ ଏବଂ ଏହା ସ୍କିନରୁ ସ୍କିନ୍ ସ୍ପର୍ଶରେ ମଧ୍ୟ ବ୍ୟାପିପାରେ । ମାରବର୍ଗ ଭାଇରସ୍ ଇବୋଲା ଭାଇରସ୍ ସହିତ ଜଡିତ ।’

ସେ ଆହୁରି କହିଛନ୍ତି, ‘ଏହି ଭାଇରସର ଲକ୍ଷଣ ଫ୍ଲୁ ସହିତ ସମାନ । ଏହାର ଚିହ୍ନଟ ପାଇଁ ନମୁନା ନିଆଯାଏ ଏବଂ ସିକ୍ୱେନ୍ସିଙ୍ଗ୍ କରାଯାଏ, ଯେଉଁଠାରୁ ଟିସୁ କଲ୍ଚର କରି ଭାଇରସ୍ ଚିହ୍ନଟ ହୁଏ । କରୋନା ପରେ ଲୋକମାନେ ଏହି ରୋଗ ବିଷୟରେ ସଚେତନ ହୋଇଛନ୍ତି । ଅନୁସନ୍ଧାନ ମଧ୍ୟ ବୃଦ୍ଧି ପାଇଛି । ଏହିପରି ଭାଇରସ୍ ପାଇଁ ନୀରିକ୍ଷଣ ଆବଶ୍ୟକ ।’

Get real time updates directly on you device, subscribe now.