fbpx
BJD SKY
BJD SKY

ରାଜ୍ୟରେ ଆରମ୍ଭ ହୋଇଛି କଲରାପତରିଆ ବାଘ ଗଣନା, ମେ’ ୨୨ରୁ ହାତୀ ଗଣନା ପାଇଁ ତିଆରି ହେବ ୧୧୩୬ ମଞ୍ଚା

BJD

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି କଲରାପତରିଆ ବାଘ ଗଣନା । ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଗଣନା କାର୍ଯ୍ୟ ୪୦ଦିନ ଧରି ଚାଲିବ । ଏଥିପାଇଁ ମୋଟ୍ ୫୧ଟି ଡିଭିଜନରେ ୩ ହଜାର ୩୧୨ଟି ଟ୍ରାପ କ୍ୟାମେରା ବ୍ୟବହାର କରାଯାଇଛି । ପ୍ରତ୍ୟେକ ଡିଭିଜନରେ ପ୍ରତି ୨୫ ବର୍ଗ କିଲୋମିଟରରେ ୫ଟି ଟ୍ରାପ କ୍ୟାମେରା ଲଗାଯିବ। ପୂର୍ବବର୍ଷ ବାଘ ଗଣନା ସମୟରେ ଟ୍ରାପ କ୍ୟାମେରାରୁ ମିଳିଥିବା କଲରାପତରିଆ ବାଘର ଚିତ୍ରକୁ ଚିହ୍ନଟ ପାଇଁ ବ୍ୟବହାର କରାଯିବ। ତେବେ ସମସ୍ତ କଲରାପତରିଆ ବାଘ ଉପରେ କଡ଼ାକଡ଼ି ଭାବରେ ମନିଟରିଂ କରାଯିବ । ସେହିପରି ଆସନ୍ତା ମେ’ ୨୨ ତାରିଖରୁ ହାତୀ ଗଣନା ଆରମ୍ଭ ହେବା ନେଇ ଶୁକ୍ରବାର ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ଚିତାବାଘ ଜନସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି । ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟରେ ୨୦୨୨ ମସିହାରେ ଓଡ଼ିଶାର ଚିତାବାଘ ସଂଖ୍ୟା ୫୬୮ରେ ପହଞ୍ଚିଛିଥିବା ଦର୍ଶାଯାଇଥିଲା । ୨୦୧୮ରେ ରାଜ୍ୟରେ ୭୬୦ଟି ଚିତାବାଘ ଥିଲେ, ଚାରି ବର୍ଷରେ ଏହି ସଂଖ୍ୟା ୧୯୨ ହ୍ରାସ ପାଇଛି । ରାଜ୍ୟର ପ୍ରଥମ ବାଘ ଗଣନା ରିପୋର୍ଟରେ ରାଜ୍ୟରେ ୩୦ଟି ମହାବଳ ଓ ୮ଟି ଶାବକ ରହିଥିଲେ । ସେଥିରୁ ଶିମିଳିପାଳରେ ୨୭ଟି ମହାବଳ ବାଘ ସହ ୮ ଶାବକ ଥିବାବେଳେ କେନ୍ଦୁଝର, ପାରଳାଖେମୁଣ୍ଡି ଓ ହୀରାକୁଦ ବନଖଣ୍ଡରେ ଗୋଟିଏ ଲେଖାଏଁ ମହାବଳଙ୍କ ଉପସ୍ଥିତି ସ୍ପଷ୍ଟ ହୋଇଥିଲା ।

ଅପରପକ୍ଷରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ) ରିପୋର୍ଟରେ କିଛି ତ୍ରୁଟି ଥିବା ଓ ଗଣନାକାରୀମାନେ ବହୁତ କମ ଅଞ୍ଚଳ କଭର କରିଥିବାରୁ ଆକଳନ ଏକପାଖିଆ ହୋଇଯାଇଥିବା ବନ ବିଭାଗ କହିଥିଲା । ତେଣୁ ମେ’ ପହିଲାରୁ ହାତୀ ଗଣନା ସହ ଏକକାଳୀନ କଲରାପତରିଆ ବାଘ ଗଣନା କରିବାକୁ ବିଭାଗ ନିଷ୍ପତ୍ତି ନେଇଥିଲା । ହାତୀ ଗଣନା ମେ’ ୨୨ରୁ ୨୪ ତରିଖ ତିନିଦିନ ଧରି ୪୩ଟି ଡିଭିଜନରେ କରାଯିବ । ହାତୀଙ୍କ ଗଣନା ସିଧାସଳଖ କରାଯିବ। ଏଥିପାଇଁ ୧,୧୩୬ଟି ମଞ୍ଚା ନିର୍ମାଣ କରାଯିବ । ଏଥିସହିତ ଏହି ଗଣନାରେ ବାରାକ, ୱାଚ୍ ଟାୱାର ମଧ୍ୟ ବ୍ୟବହାର କରାଯିବ । ଏଥିପାଇଁ ବନ କର୍ମଚାରୀଙ୍କୁ ଆବଶ୍ୟକ ତାଲିମ ଦିଆଯାଉଛି । ଏହି ତାଲିମ ଆସନ୍ତା ୧୫ ତାରିଖ ସୁଦ୍ଧା ଶେଷ ହେବ ଏବଂ ୨୧ ତାରିଖ ସୁଦ୍ଧା ବନ କର୍ମଚାରୀଙ୍କୁ ବିଭିନ୍ନ ପ୍ରକାରର କିଟ୍‌ ଦିଆଯିବ ।

 

Get real time updates directly on you device, subscribe now.