fbpx

କାୟା ବିସ୍ତାର କରୁଛି ମହାମାରୀ କରୋନା: ଆଲର୍ଟ ଜାରି କଲା WHO

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ବୃଦ୍ଧି ପାଉଛି କରୋନା ମହାମାରୀର ତାଣ୍ଡବଲୀଳା । ପୁଣିଥରେ କରୋନା ସଂକ୍ରମଣଙ୍କ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଛି । ମାତ୍ର ୯ ଦିନରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ବଢିଥିବା ରେକର୍ଡ ହୋଇଛି । ତେବେ ସବୁଠୁ ଅଧିକ ଭୟ ବଢାଇଛି ଦୈନିକ ସଂକ୍ରମଣରେ ୪୦ ପ୍ରତିଶତର ବୃଦ୍ଧି । ତେବେ ଏହି ହାରକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟରେ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଆଲର୍ଟ ଜାରି କରାଯାଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଫେବୃଆରୀ ୨୭ ତାରିଖରୁ ମାର୍ଚ୍ଚ ୨୬ ତାରିଖ ମଧ୍ୟରେ ଭାରତରେ ସବୁଠାରୁ ଅଧିକ କରୋନା କେସ ରେକର୍ଡ କରାଯାଇଛି । ସେହିପରି ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା କେସ ବଢିବାରେ ଲଗିଛି । ତେବେ କୋଭିଡର ସମସ୍ତ ସ୍ଥିତିକୁ ସାମନା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି ଯେ, କୋଭିଡ ପଜିଟିଭ ଚିହ୍ନଟ ହେଉଥିବା ସମସ୍ତ ନମୁନାର ଜିନମ୍ ସିକ୍ୟୁଏନ୍ସିଙ୍ଗ କରାଯାଉଛି । ଏହାଦ୍ୱାରା କୌଣସି ବି ଭାରିଆଣ୍ଟକୁ ଚିହ୍ନଟ କରାଯାଇପାରେ । ଏହାସହିତ ଦିଲ୍ଲୀର ସମସ୍ତ ସରକାରୀ ମେଡିକାଲରେ କୋଭିଡ ରୋଗୀଙ୍କ ପାଇଁ ଆଇସୋଲେସନ ୱାର୍ଡ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ତେବେ ମାସ୍କ ପାଇଁ ଏପର୍ଯ୍ୟନ୍ତ କୌଣସି ଗାଇଡଲାଇନ ଜାରି କରାଯାଇ ନଥିବା ବେଳେ ଆଗକୁ ନିର୍ଦ୍ଦେଶ ଜାରି ହେବାର ସମ୍ଭାବନା ରହିଛି ।

ସେହିପରି ମହାରାଷ୍ଟ୍ରରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, ମାର୍ଚ୍ଚରେ ସୋଲାପୁର ୨୦.୦୫ ପ୍ରତିଶତ ପଜିଟିଭ କେସ ଥିବା ବେଳେ ସାଙ୍ଗଲିରେ ୧୭.୪୭ ପ୍ରତିଶତ କେସ ସାମନାକୁ ଆସିଛି । ତେଣୁ ଜନଗହଳି ନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ଅପିଲ କରାଯାଇଛି । ଏହାସହିତ କରୋନା ସଂକ୍ରମଣ ହ୍ରାସ କରିବା ପାଇଁ ମାସ୍କବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି । ସେହିପରି କେରଳ ସରକାର ମଧ୍ୟ ଏହାକୁ ନେଇ ପ୍ରସ୍ତୁତ ହେଉଛନ୍ତି । ଗମ୍ଭୀର ରୋଗରେ ପୀଡିତମାନଙ୍କୁ ସତର୍କ ରହିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.