fbpx

କରୋନା ପ୍ରଭାବ : ହସ୍ପିଟାଲରେ ବେଡ୍ ନ ମିଳିବାରୁ ଫୁଟପାଥରେ ଶୋଇଲେ କରୋନା ଆକ୍ରାନ୍ତ

ବାଙ୍ଗାଲୁରୁ, ୨୩ା୪ (ଓଡିଶା ଭାସ୍କର) : ଦେଶରେ କରୋନା ମହାମାରୀର ଭୟାବହତା ବଢ଼ିବାରେ ଲାଗିଛି । ପ୍ରତିଦିନ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ କର୍ଣ୍ଣାଟକ ମଧ୍ୟ କରୋନାର ଆତଙ୍କକୁ ସାମ୍ନା କରୁଛି । ଏହା ମଧ୍ୟରେ କର୍ଣ୍ଣାଟକର ବୀଦରରୁ ଏକ ଦୃଶ୍ୟ ସମସ୍ତଙ୍କ ଧ୍ୟାନ କେନ୍ଦ୍ରିତ କରିଛି । ଯେଉଁଥିରେ ଜଣେ କୋଭିଡ୍ ରୋଗୀ ଫୁଟପାଥ୍ ରେ ଶୋଇଥିବା ଦେଖିବାକୁ ମିଳିଛି । କାରଣ ସେଠାରେ ଥିବା ହସ୍ପିଟାଲରେ ଆଉ ବେଡ୍ ନାହିଁ । ତେଣୁ କୋଭିଡ୍ ରୋଗୀ ଜଣକ ବାହାରେ ଅପେକ୍ଷା କରି କରି ରାସ୍ତାରେ ହିଁ ଅସହାୟ ଅବସ୍ଥାରେ ଶୋଇପଡିଛନ୍ତି । ଫଟୋଟି ବୀଦର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସର ବୋଲି ଜଣାପଡିଛି । ଏହି ହୃଦୟ ବିଦାରକ ଫଟୋ ଭାଇରାଲ୍ ହେବାରେ ଲାଗିଛି ।


ଏହାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ କେ. ସୁଧାକର କହିଛନ୍ତି ଯେ, ବୀଦରରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ବ୍ରିମସ୍ ହେଉଛି ସେଠାକାର ସବୁଠାର ବଡ ହସ୍ପିଟାଲ ହୋଇଥିଲେ ହେଁ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି । ତେଣୁ ବିଭିନ୍ନ ହସ୍ପିଟାଲରେ ଲଗାତର ସଂକ୍ରମିତ ଆଡମିଶନ୍ ହେଉଥିବାରୁ ବେଡ୍ ସଂଖ୍ୟା ହ୍ରାସ ପାଇଛି ଏବଂ ଆମେ ବେଡ୍ ବଢ଼ାଇବାକୁ ପ୍ରୟାସ କରୁଛୁ ବୋଲି ସେ କହିଛନ୍ତି । ସେଠାରେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ୧୪ ହଜାର ଉପରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୦୨ ନୁଆ ମାମଲା ସାମ୍ନାକୁ ଆସିଛି ଏବଂ ୫ ଜଣଙ୍କ ମୃତ୍ୟୁ ଘଟିଛି ।

ହେଲେ ଏ ସଂକ୍ରାନ୍ତରେ ବୀଦରର ଡେପୁଟି କମିଶନର ଭିନ୍ନ ତଥ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ଜିଲ୍ଲାରେ ବେଡ୍ ସଂଖ୍ୟା ସମସ୍ୟା ନାହିଁ । ଯେଉଁ ମାନଙ୍କୁ ବେଡ୍ ଆବଶ୍ୟକ ପଡୁଛି ସେମାନଙ୍କୁ ବେଡ୍ ଦିଆଯାଉଛି । ଏଥିସହିତ ବ୍ରିମସ୍ ର ପୁରୁଣା ହସ୍ପିଟାଲରେ ୪୫୦ ଏବଂ ନୁତନ ହସ୍ପିଟାଲରେ ୫୫୦ ବେଡ୍ ରହିଛି । ଖାଲି ସେତିକି ନୁହେଁ ଗୁଜବ ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

ସୁଚାଯୋଗ୍ୟ, କର୍ଣ୍ଣାଟକରେ ସ୍ଥିତି ଏତେ ଖରାପ ଯେ, ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା କହିଲେ ଯେ, ସେଠାରେ କରୋନା ମହାମାରୀ ବେକାବୁ ହେବାରେ ଲାଗିଛି । ବର୍ତ୍ତମାନ ପ୍ରତି ଘରେ କରୋନା ସଂକ୍ରମିତ ଅଛନ୍ତି । ଏବେ ରାଜ୍ୟରେ ୨ଲକ୍ଷରୁ ଅଧିକ ଆକ୍ଟିଭ୍ କେସ୍ ରହିଛି ।

Get real time updates directly on you device, subscribe now.