fbpx

ଆସନ୍ତୁ ଜାଣିବା ଡାକ୍ତର ଓ ଅନ୍ୟମାନଙ୍କ ମତ, କିପରି କରିହେବ କରୋନା ମୁକାବିଲା

 

ଭୟର ଆବରଣ ଭିତରେ ଆଜି ସାରା ବିଶ୍ୱ । ସବୁଆଡ଼େ ଆଜି ତର୍କ ଓ ବିତର୍କ । ଘରୁ ପାଦ କାଢ଼ିବା ଆଜି ଅସମ୍ଭବ ହୋଇପଡ଼ିଛି । ମୃତ୍ୟୁର ମାୟାଜାଲ ରଚନା କରିଛି କରୋନା । ଏମିତି ଏକ ଆଶଙ୍କା ଓ ଭୟାବହତା ମଧ୍ୟରେ କବଳିତ ହୋଇରହିଛନ୍ତି ବିଶ୍ୱବାସୀ । ଏହାରି ଭିତରୁ ଓଡ଼ିଶା ମଧ୍ୟ ବାଦ ପଡ଼ି ନାହିଁ । ଏଇ ପରିପ୍ରେକ୍ଷୀରେ ସରକାର କରୋନାକୁ ପ୍ରତିହତ କରିବା ପାଇଁ ଅବିରତ ସଂଗ୍ରାମ ଜାରି ରଖିଥିବାବେଳେ ଲୋକମାନଙ୍କୁ ସଚେତନ କରିବା ପାଇଁ ଅନେକ ନିର୍ଦ୍ଦେଶ ଦେଉଛନ୍ତି । ଘର ଭିତରେ ସୁରକ୍ଷିତ ଭାବେ ରହିବା ପାଇଁ ପରାମର୍ଶ ଦେବା ସହ ଅତ୍ୟାବଶ୍ୟକ କାର୍ଯ୍ୟ ନହେଲେ ଘରୁ ନ ବାହାରିବାକୁ ଗାଇଡ଼ଲାଇନ ମଧ୍ୟ ଦେଇଛନ୍ତି । ସାରା ଦେଶ ଏବେ ଲକଡ଼ାଉନ ସମୟ ଦେଇ ଗତି କରୁଥିବା ବେଳେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ଦେଖି ଲୋକଙ୍କ ମନରେ ସଂଶୟ ଜାତ ହେବା ସ୍ୱାଭାବିକ । ତେବେ ସେସବୁକୁ ନଡ଼ରି, ଆତଙ୍କିତ ନହୋଇ ଆମେ ନିଜେ ସଜାଗ ଓ ସଚେତନ ରହିଲେ ଏହାର ମୁକାବିଲା କରିପାରିବା । ସମୟର ସାରାଂଶରେ ଏହା ଏବେ ସମାଜ ପାଇଁ ସାଜିଛି ଏକ ପ୍ରମୁଖ ଶୀର୍ଷକ । ଏବର ପରିସ୍ଥିତିକୁ ଲକ୍ଷ୍ୟ କଲେ ଏହା ସ୍ପଷ୍ଟ ଭାବେ ଅନୁମେୟ ଯେ କରୋନାକୁ ନେଇ କେବଳ ଦେଶ କାହିଁକି ସାରା ବିଶ୍ୱ ଏବେ ଆତଙ୍କର ପରିସୀମା ଭିତରେ ଦିନ କାଟୁଛି । ଆଉ ଏପଟେ କରୋନା ପାଇଁ ସେମିତି କିଛି ସ୍ୱତନ୍ତ୍ର ଭ୍ୟାକସିନ ପ୍ରସ୍ତୁତ ହୋଇ ନଥିବା ବେଳେ ଏହା ମୁଣ୍ଡବିନ୍ଧାର ଅନ୍ୟ ଏକ କାରଣ ଭାବେ ଉଭା ହୋଇଛି । ସରକାରଙ୍କ ତରଫରୁ ଲୋକଙ୍କୁ ସତର୍କିତ କରିବା ସହ ଶିକ୍ଷାନୁଷ୍ଠାନ ଓ ଜନଗହଳିପୂର୍ଣ୍ଣ ସ୍ଥାନକୁ ବି ବନ୍ଦ୍ କରାଯାଇଛି । ଏହା ବ୍ରତୀତ ସାମାଜିକ ଦୂରତାକୁ ବଜାୟ ରଖିବା ହିଁ ମୁକାବିଲାର ଶ୍ରେଷ୍ଠ ମାଧ୍ୟମ ବୋଲି ସରକାର କହିଛନ୍ତି । ଏହି ପରିପ୍ରେକ୍ଷୀରେ ସାଧାରଣ ଲୋକମାନେ ଘରେ ରହି ହିଁ କରୋନାର ମୁକାବିଲା କରନ୍ତୁ ବୋଲି ସରକାର ପରାମର୍ଶ ଦେଉଛନ୍ତି ।

. ସରକାରଙ୍କ ଲକଡ଼ାଉନକୁ କଠୋର ଭାବେ ମାନିବା ନିଶ୍ଚିତ ଭାବେ ଆବଶ୍ୟକ । ଯଦି ଆମେ ଏହାକୁ ଠିକ ଭାବେ ମାସେରୁ ଦେଢ଼ ମାସ ଯାଏଁ ମାନିବା ଏହାର ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବା । ଡ଼ାକ୍ତର , ପୋଲିସ , ବିଭିନ୍ନ ବେସରକାରୀ ଅନୁଷ୍ଠାନ ଲଗାତାର ସଂଘର୍ଷ ଜାରିରଖିଛନ୍ତି । ତେଣୁ ଅଯଥାରେ ଭୟଭୀତ ନହୋଇ ଡ଼ାକ୍ତରଙ୍କ ପରାମଶଁ ନିଅନ୍ତୁ । ଆତଙ୍କିତ ନହୋଇ ସଜାଗ ରୁହନ୍ତୁ ।


-ଡ଼କ୍ଟର ମୋନାଲି ପଟ୍ଟନାୟକ
ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲ, ଭୁବନେଶ୍ୱର

. କଥାରେ ଅଛି ସ୍ୱାସ୍ଥ୍ୟ ହିଁ ସମ୍ପଦ । ତେଣୁ ନିଶ୍ଚିତ ରୂପେ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହାକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରି ନହେଲେ ମଧ୍ୟ ଆମେ କିଛି ମାତ୍ରାରେ ଭୂତାଣୁ ସଂକ୍ରମଣକୁ ରୋକିପାରିବା । ସବୁଠାରୁ ବଡ଼ କଥା ହେଉଛି ଲକ୍‌ଡ଼ାଉନ୍ ଦ୍ୱାରା ଆମେ ଆମ ପ୍ରିୟ ପରିଜନଙ୍କ ସହ ସମୟ ବିତାିବାର ସୁଯୋଗ ପାଉଛୁ । ତେଣୁ ସମସ୍ତଙ୍କୁ ଏତିକି ନିବେଦନ କି ଜନତା ସରକାରଙ୍କ ନିର୍ଦ୍ଦେଶକୁ ଉଲଙ୍ଘନ ନକରି ଠିକ ଭାବେ ପାଳନ କଲେ ନିଜକୁ ଓ ନିଜର ଲୋକଙ୍କୁ କରୋନା ଆକ୍ରମଣରୁ ରକ୍ଷା କରିପାରିବେ ।


-ଚିନ୍ମୟ ଜେନା , ପୁରୀ

. କରୋନା ଏବେ ଏକ ବିଶ୍ୱ ସମସ୍ୟା ଭାବେ ଉଭା ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଏହି ଲକ୍‌ଡ଼ାଉନ୍ ଘୋଷଣାକୁ ମୁଁ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରୁଛି । କରୋନାର ମୁକାବିଲା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଏହି ଅଭିନବ ପ୍ରୟାସକୁ ସମସସ୍ତେ ସାଦରେ ଗ୍ରହଣ କରିବା ଉଚିତ୍ । ଘରେ ରହୁନ୍ତୁ , ସୁସ୍ଥ ରୁହନ୍ତୁ ।


-ଶୁଭଙ୍କର ପୁରୋହିତ,ସମ୍ବଲପୁର

. କରୋନା ମହାମାରୀର ଭୟାବହତା ତଥା ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ମୁଁ ସମର୍ଥନ କରୁଛି । ଏହାର ସଂକ୍ରମଣକୁ ଅବରୋଧ କରିବା ନିମନ୍ତେ ସାମାଜିକ ଦୂରତ୍ୱର ଏକ ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଣୁ ପ୍ରତ୍ୟେକ ଦେଶବାସୀ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଲକ୍‌ଡ଼ାଉନ୍‌ର ସମସ୍ତ ନିୟମାବଳୀ ଅବଲମ୍ବନ କରିବା ସହ ଘରେ ସତର୍କତାର ସହ ରହି ଏହି ମହାମାରୀ କବଳରୁ ନିଜକୁ ତଥା ଦେଶବାସୀଙ୍କୁ ରକ୍ଷା କରିବା ଦିଗରେ ଚିନ୍ତାଶୀଳ ହବାକୁ ଅନୁରୋଧ ।


-ଶୁଭଶ୍ରୀ ସାହୁ , ରାଉରକେଲା

. ସାରା ଦେଶରେ ଏବେ କରୋନାକୁ ନେଇ ଭୟାବହତା ପରିଲକ୍ଷିତ ହେଉଛି । ତେବେ ପୁଣି ଥରେ ଚୀନ ପରି ଅବସ୍ଥା ଭାରତରେ ନହେଉ ଏହାକୁ ଆଖିଆଗରେ ରଖି ଦେଶରେ ଏପରି ଲକ୍‌ଡ଼ାଉନ୍ ଘୋଷଣା କରାଯାଇଛି । ସୁତରାଂ ଏକ ଏକ ପ୍ରଶଂସନୀୟ ପଦକ୍ଷେପ । ତେବେ ଗରିବ, ଖଟିଖିଆ ଓ ଦିନମଜୁରିଆଙ୍କ ପାଇଁ ସରକାର କିଛିଟା ପଦକ୍ଷେପ ନେଲେ ସେମାନେ ଉପକୃତ ହୋଇପାରିବେ ବୋଲି ମୋର ଆଶା ।


-ବିଜ୍ଞାନ ମିହିର ରାଉତ, ତିର୍ତ୍ତୋଲ

. ବର୍ତ୍ତମାନ କରୋନା ସଂକ୍ରମଣର ଭୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ସଂକ୍ରମଣକୁ ଦ୍ୱିତୀୟ ପର୍ଯ୍ୟାୟରେ ରୋକିବା ଲାଗି ଦେଶରେ ଲକଡ଼ାଉନ୍ ଘୋଷଣା କରାଯାଇଛି । ମୋର ମାନବସମାଜକୁ ଏତିକି ଅନୁରୋଧ କି କରୋନାକୁ ନ ଡ଼ରି ସରକାରଙ୍କୁ ସହଯୋଗ କରନ୍ତୁ । ଏହି ତାଲାବନ୍ଦୀ ସମୟରେ ଘରୁ ନ ବାହାରି ନିଜ ପରିବାର ସହ ସମୟ ବିତାନ୍ତୁ । ସଚେତନ ହୁଅନ୍ତୁ , ଲୋକଙ୍କୁ ସଚେତନ କରାନ୍ତୁ ।


-ଦୀପାୟନ ପାଢ଼ୀ , ଗୁଣୁପୁର

. କରୋନା ଦେଶ ପାଇଁ ଏକ ବିପର୍ଯ୍ୟସ୍ତ ପରିସ୍ଥିତି ସୃଷ୍ଟି କରିଛି । କରୋନାକୁ ପ୍ରାଥମିକତା ଦିଆଯାଇ ସରକାର ଏହି ପଦକ୍ଷେପ ନେଇଛନ୍ତି । ଇଟାଲି , ଚୀନ ପରି ଦେଶରେ ଯେପରି ଅବସ୍ଥା ସୃଷ୍ଟି ହୋଇଛି , ତାର ପୁନରାବୃତ୍ତି ଯେପରି ଭାରତରେ ନହେଉ ସେଥିପାଇଁ ଆମକୁ ସଜାଗ ଓ ସତର୍କ ରହିବାକୁ ପଡ଼ିବ । ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରନ୍ତୁ ଓ ଘରେ ରହୁନ୍ତୁ ।


-ରାହୁଲ ଶଙ୍କର ସ୍ୱାଇଁ , ଜୟପୁର , କୋରାପୁଟ

Get real time updates directly on you device, subscribe now.