fbpx

ଜାନୁଆରୀ ୨୩ ବେଳକୁ ଦେଶରେ କରୋନା ପିକ୍, ଦୈନିକ ଚିହ୍ନଟ ହେବ ୭ ଲକ୍ଷ ମାମଲା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ବର୍ତ୍ତମାନ ଦେଶରେ ଦୈନିକ ୨ ଲକ୍ଷରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଗତକାଲି ୨ ଲକ୍ଷ ୫୮ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେବେ ଏହା ଭିତରେ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ଯେ, ଦେଶରେ କରୋନା ବେଗ ଥମିବାରେ ଲାଗିଲାଣି । କିନ୍ତୁ ବିଶେଷଜ୍ଞ ମାନେ ଭିନ୍ନ ମତ ଦେଇଛନ୍ତି । ସେମାନଙ୍କ କହିବା କଥା ଯେ, ଜାନୁଆରୀ ଶେଷରେ କରୋନା ପିକ୍ କୁ ଯିବ । ଜାନୁଆରୀ ୨୩ ତାରିଖରେ ଦେଶରେ କରୋନା ପିକ୍ ରେ ଥିବା ଏବଂ ଦୈନିକ ୭ ଲକ୍ଷରୁ ଅଧିକ କେସ୍ ଚିହ୍ନଟ ହେବ ।

ତେବେ ଏହି ସମୟରେ ଦୈନିକ ୨ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କିଛି ରାଜ୍ୟକୁ ଛାଡ଼ିଦେଲେ ବାକି କିଛି ପ୍ରମୁଖ ସହର ଓ ରାଜ୍ୟ ମାନଙ୍କରେ କରୋନା ଗ୍ରାଫ୍ ଉପରମୁହାଁ ହେବାରେ ଲାଗିଛି । ସେହିପରି ଦିଲ୍ଲୀ, ମୁମ୍ବାଇ ଭଳି ମହାନଗରରେ ସଂକ୍ରମଣ ବେଗ ଆଂଶିକ କମିଛି । ଏଠାରେ ଗତ ୩ ସପ୍ତାହ ମଧ୍ୟରେ ସଂକ୍ରମଣ ହାର ବଢ଼ିଯାଇଥିଲା । ବିଶେଷଜ୍ଞଙ୍କ ସୁଚନା ଅନୁସାରେ, ଗତ ୪ ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦେଢ଼ ଲକ୍ଷ ବୃଦ୍ଧି ପାଇଛି ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୧୩ ଲକ୍ଷ ୧୩ ହଜାର ଲୋକଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା । ଯେଉଁଥିରୁ ୨ ଲକ୍ଷ ୫୮ ଲୋକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଜାନୁଆରୀ ୧୫ ତାରିଖରେ ୨ ଲକ୍ଷ ୬୮ ହଜାର ରୁ ଅଧିକ କେସ୍ ସାମନାକୁ ଆସିଥିଲା ଓ ୧୬ ଲକ୍ଷ ୧୩ ହଜାର ଟେଷ୍ଟିଂ କରାଯାଇଥିଲା । ଅର୍ଥାତ୍ ଆଇସିଏମଆର୍ ର ନୂତନ ଗାଇଡଲାଇନ୍ ପରେ ଟେଷ୍ଟିଂ ସଂଖ୍ୟା କମିଛି । କାରଣ ନୂତନ ଗାଇଡଲାଇନ୍ ଅନୁସାରେ, ଲକ୍ଷଣ ନଥିଲେ ଟେଷ୍ଟିଂ କରନ୍ତୁ ନାହିଁ ବୋଲି କୁହାଯାଇଛି । ଯଦି କୌଣସି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଛନ୍ତି ଓ ଆପଣଙ୍କ ଠାରେ କୌଣସି ଲକ୍ଷଣ ପରିଲକ୍ଷିତ ହେଉନାହିଁ ତେବେ ଟେଷ୍ଟିଂର ଆବଶ୍ୟକତା ନାହିଁ ।

କିନ୍ତୁ ଯଦି କୌଣସି ଲକ୍ଷଣ ଦେଖାବାକୁ ପାଉଛନ୍ତି ତାହେଲେ ପରୀକ୍ଷା କରାଇବା ଉଚିତ୍ ।ଏହି କାରଣରୁ ଟେଷ୍ଟିଂ ହାର କମିଛି । ହେଲେ ପଜିଟିଭ୍ ରେଟ୍ ବୃଦ୍ଧି ପାଇଛି । ଆକଳନକୁ ଦେଖିଲେ ଗତ ୧ ସପ୍ତାହ ମଧ୍ୟରେ ଭାରତରେ କରୋନା ସଂକ୍ରମିତ ସଂଖ୍ୟା ୪୦ ପ୍ରତିଶତ ବୃଦ୍ଧି ପାଇଛି । ଦେଶରେ ବର୍ତ୍ତମାନ ଆକ୍ଟିଭ୍ କେସ୍ ସଂଖ୍ୟା ୧୬ ଲକ୍ଷ ପାର୍ କରିଛି ।

Get real time updates directly on you device, subscribe now.