fbpx

ରେଭେନ୍‌ସା ମହାନଦୀ କ୍ୟାମ୍ପସ୍‌ କେବେ ! ଶିଳାନ୍ୟାସକୁ ପୁରିଲା ୬ ବର୍ଷ

କଟକ (ଭାସ୍କର ନ୍ୟୁଜ୍‌): ରେଭେନ୍‌ସା ବିଶ୍ୱବିଦ୍ୟାଳୟର ଦି୍ୱତୀୟ କ୍ୟାମ୍ପସ୍‌’ର ଶିଳାନ୍ୟାସକୁ ଇତି ମଧ୍ୟରେ ଦୀର୍ଘଦିନ ବିତିଲାଣିା କଟକର ସାଟେଲାଇଟ୍‌ ସିଟି ମର୍କନନଗର ସେକ୍ଟର ୧୩ ନିକଟସ୍ଥ ବ୍ରଜବିହାରୀପୁର ଠାରେ ବିଶ୍ୱବିଦ୍ୟାଳୟର ମହାନଦୀ କ୍ୟାମ୍ପସ୍‌ର ଶିଳାନ୍ୟାସ ହୋଇଥିଲା । ଦୀର୍ଘଦିନ ପରେ ମଧ୍ୟ ଏହି କ୍ୟାମ୍ପସ୍‌ର ନିର୍ମାଣ ବିଳମ୍ବ ହେଉଛି । କଟକ ସହରରେ ଥିବା ରେଭେନ୍‌ସା ବିଶ୍ୱବିଦ୍ୟାଳୟରେ ଛାତ୍ର ସଂଖ୍ୟା ୮ ହଜାରୁ ଅଧିକ ହୋଇଥିବା ଦୃଷ୍ଟିରୁ ଉ୍‌ଚ୍ଚତର ଶିକ୍ଷା ଓ ଗବେଷଣା ନିମନ୍ତେ ଆଉ ଅନ୍ୟ ଏକ କ୍ୟାମ୍ପସ୍‌ ତିଆରି ପାଇଁ ଦୀର୍ଘଦିନର ଦାବି ପରେ ଗତ ୨୦୧୫ ମସିହା ଜୁନ୍‌ ୧୦ ତାରିଖରେ ବିଶ୍ୱବିଦ୍ୟାଳୟର ତତ୍‌କାଳୀନ କୁଳପତି ଡ. ପ୍ରକାଶ ଚନ୍ଦ୍ର ଷଡଙ୍ଗୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଭେନ୍‌ସାର ‘ମହାନଦୀ କ୍ୟାମ୍ପସ୍‌’ର ଶିଳାନ୍ୟାସ କରିଥିଲେ । ତତ୍‌କାଳୀନ ଉଚ୍ଚଶିକ୍ଷାମନ୍ତ୍ରୀ ପ୍ରଦୀପ୍‌ ପାଣିଗ୍ରାହୀ ଏହି ଉପଲକ୍ଷେ ଆୟୋଜିତ ଶିଳାନ୍ୟାସ ଉତ୍ସବରେ ଦ୍ୱିତୀୟ କ୍ୟାମ୍ପସ୍‌ ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ଘୋଷଣା କରିଥିଲେ । ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଦ୍ୱିତୀୟ କ୍ୟାମ୍ପସ୍‌ ନିମନ୍ତେ ୩୦ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ ।

ବ୍ରଜବିହାରୀପୁରଠାରେ ୧୪୧ ଏକର ପରିମିତ ଜମିରେ ଏହି କ୍ୟାମ୍ପସ୍‌ ନିର୍ମାଣ କରିବା ପାଇଁ ଗତ ୨୦୦୮ ମସିହାରେ ପ୍ରସ୍ତାବ ଆଗତ କରାଯାଇଥିଲା । ବିଭିନ୍ନ କାରଣରୁ ସମସ୍ତ ୧୪୧ ଏକର ଜମି ବିଶ୍ୱବିଦ୍ୟାଳୟ ନାମକୁ ଆସିପାରିନଥିବାବେଳେ ପାଖାପାଖି ୧୨୬ ଏକର ଜମି ବିଶ୍ୱବିଦ୍ୟାଳୟ ନାମକୁ ଆସିସାରିଛି । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ନିମନ୍ତେ ଏକ ହଜାର କୋଟି ଟଙ୍କାର ଆବଶ୍ୟକତା ରହଛି । ଇତି ମଧ୍ୟରେ ଦ୍ୱିତୀୟ କ୍ୟାମ୍ପସ୍‌ ଚାରିପାଖେ ପାଚେରୀ ନିର୍ମାଣ ସରିଥିବାବେଳେ ଅନ୍ୟ କୌଣସି କାର୍ଯ୍ୟ ଆଗେଇ ପାରିନାହିିଁ । ଏବେ ବି ରେଭେନ୍‌ସା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‌ ବଣ ଜଙ୍ଗଲ ଅଂଚଳରେ ପରିପୂର୍ଣ୍ଣ ରହିଛି । ଗତ ବର୍ଷ ବିଶ୍ୱବିଦ୍ୟାଳୟ ଦି୍ୱତୀୟ କ୍ୟାମ୍ପସ୍‌ରେ ହାତୀ ପଶି ରହିଥିଲେ । ତେବେ କେବେ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‌ ନିର୍ମାଣ ଶେଷ ହେବ ଏବଂ ସେଠାରେ କେବେ ଛାତ୍ରଛାତ୍ରୀମାନେ ଉଚ୍ଚତର ଶିକ୍ଷା ଗ୍ରହଣ କରିବେ ସେ ସମ୍ପର୍କରେ ଅନିଶ୍ଚିତତା ଜାରି ରହିଛି ।

ଅନ୍ୟପକ୍ଷରେ ଏହାର କ୍ୟାମ୍ପସ୍‌କୁ ଲାଗି ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ବିଶ୍ୱସ୍ତରୀୟ ଆଇନ ଶିକ୍ଷା ହବ୍‌ରେ ପରିଣତ ହୋଇସାରିଛି । ଏଠାକୁ ଦେଶର ବିଭିନ୍ନ ପ୍ରାନ୍ତରରୁ ଛାତ୍ରଛାତ୍ରୀମାନେ ଆଇନ ଶିକ୍ଷା ଗ୍ରହଣ କରିବାକୁ ଆସୁଛନ୍ତି । ସମୟକ୍ରମେ ସେଠାରେ ଏକ ଶୈକ୍ଷିକ ବାତାବରଣ ପ୍ରସ୍ତୁତ ହୋଇସାରିଥିବାବେଳେ ରେଭେନ୍‌ସାର ଦ୍ୱିତୀୟ କ୍ୟାମ୍ପସ୍‌ କାର୍ଯ୍ୟକ୍ଷମ ହେଲେ ଏହା ବାତାବରଣକୁ ଆହୁରି ସୁଦୃଢ କରିବ ଏଥିରେ ସନ୍ଦେହ ନାହିିଁ ।

Get real time updates directly on you device, subscribe now.