fbpx

ଲତାଙ୍କ ବିୟୋଗରେ ଦେଶ ପାଳୁଛି ଦୁଇ ଦିନିଆ ଶୋକ

ନୂଆଦିଲ୍ଲୀ: ସବୁଦିନ ପାଇଁ ନିରବି ଯାଇଛି ସୁରସାମ୍ରାଜ୍ଞୀର ସ୍ୱର । ଆଉ ଶୁଣିବାକୁ ମିଳିବନି ଭାରତରତ୍ନ ଲତା ମଙ୍ଗେସକରଙ୍କୁ ସେଇ ହୃଦୟସ୍ପର୍ଶୀ ଗୀତ । ଗତକାଲି ଲତା ସମସ୍ତଙ୍କୁ ଛାଡ଼ି ଚାଲିଯିବା ପରେ ଭାରତମାତାର ଅଗଣିତ ସନ୍ତାନଙ୍କର ଆଖିରୁ ଲୁହ ଶୁଖୁ ନାହିଁ । ଲତାଙ୍କ ସମ୍ମାନାର୍ଥେ ଦୁଇଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ଏଥିସହିତ ଦୁଇଦିନ ପର୍ଯ୍ୟନ୍ତ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ।

ଗତକାଲି ଲତାଙ୍କର ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ମୁମ୍ବାଇର ଶିବାଜୀ ପାର୍କରେ ସମ୍ପନ୍ନ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିମାନେ ମାଆ ସରସ୍ୱତୀଙ୍କ ସାକ୍ଷାତ ପ୍ରତିମା ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତେବେ ଲତାଙ୍କ ବିୟୋଗ ଆଜି ସମଗ୍ର ଦେଶରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି କରିଛି ତାହା ବର୍ଣ୍ଣନା କରିହେବ ନାହିଁ । ଏହି ପରିପ୍ରେକ୍ଷୀରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମୁଦ୍ରାନୀତି ସମୀକ୍ଷା ବୈଠକକୁ ଘୁଞ୍ଚାଇ ଦିଆଯାଇଛି, ଯାହାକି ଆସନ୍ତାକାଲିଠାରୁ ଆରମ୍ଭ ହେବ । ମହାରାଷ୍ଟ୍ର ସରକାର କୋକିଳକଣ୍ଠୀଙ୍କ ସମ୍ମାନାର୍ଥେ ଆଜି ଶୋକ ଦିବସ ଘୋଷଣା କରିବା ସହ ସ୍କୁଲ, କଲେଜ ଓ ସମସ୍ତ ଅଫିସକୁ ବନ୍ଦ ଘୋଷଣା କରିଛନ୍ତି । ସେହିପରି ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ସାର୍ବଜନିକ ସ୍ଥାନରେ ଲତାଙ୍କ ଗୀତ ବାଜିବ ବୋଲି ପଶ୍ଚିମବଙ୍ଗ ସରକାର ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.