fbpx

୧୨୮ ବର୍ଷ ପରେ ଫେରୁଛି କ୍ରିକେଟ! ଆସନ୍ତା ୨୦୨୮ ଲସ୍ ଏଞ୍ଜେଲସ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ ଦିନିକିଆ କ୍ରିକେଟ ବିଶ୍ୱକପ ୨୦୨୩ ଚାଲିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖୁସି ଖବର । ଆସନ୍ତା ୨୦୨୮ରେ ଆମେରିକାର ଲସ୍ ଏଞ୍ଜେଲସ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହୋଇପାରେ । ୨୦୨୮ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ନେଇ ଲସ୍ ଏଞ୍ଜେଲସ ଅଲିମ୍ପିକ୍ସ ଆୟୋଜନ କମିଟି ପ୍ରସ୍ତାବ ଦେବା ପରେ ଏହା ସ୍ପଷ୍ଟ ହୋଇଛି ।

ତେବେ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେବା ଖବର ମିଳିବା ପରେ ବିଶ୍ୱର ଅଗଣିତ କ୍ରୀଡ଼ାପ୍ରେମୀ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମହଲରେ ଖୁସିର ଲହରୀ ଖେଳିଯାଇଛି । ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ପାଇଁ ଆଇସିସି ଗତ ୨ ବର୍ଷ ଧରି ପ୍ରୟାସ କରି ଆସୁଥିଲା । ଆୟୋଜନ କମିଟିର ପ୍ରସ୍ତାବକୁ ଅନୁମୋଦନ ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ନିକଟକୁ ପଠାଯିବ । ଆସନ୍ତା ୧୫ ତାରିଖରେ ଆରମ୍ଭ ହେବାକୁ ଥିବା ଆଇଓସି ଅଧିବେଶନରେ ଏହା ସ୍ୱୀକୃତି ପାଇବା ପରେ ଲସ୍ ଏଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟକୁ ଏକ ଖେଳ ଭାବେ ସାମିଲ କରାଯିବ ।

ଏହି ପ୍ରସ୍ତାବ ଦିଆଯିବା ପରେ ଏବେ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ ନେଇ ପଥ ପରିଷ୍କାର ହୋଇଯାଇଛି । ଏନେଇ ଆଇସିସି ସଭାପତି ଗ୍ରେଗ୍ ବାର୍କଲେ ଖୁସି ପ୍ରକଟ କରିଛନ୍ତି । ତେବେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେବାକୁ ଯାଉନାହିଁ । ଅଲିମ୍ପିକ୍ସ ସହିତ କ୍ରିକେଟର ସମ୍ପର୍କ ବହୁତ ପୁରୁଣା । ଗତ ୧୯୦୦ ମସିହାରେ ଅନୁଷ୍ଠିତ ହୋଇଥିବା ପ୍ୟାରିସ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ କ୍ରିକେଟ ଖେଳାଯାଇଥିଲା । ନିକଟରେ ସମାପ୍ତ ହୋଇଥିବା ଏସୀୟ କ୍ରୀଡ଼ାକୁ ୯ ବର୍ଷ ପରେ କ୍ରିକେଟ ଫେରିଥିଲା । ତେଣୁ ଆଗକୁ ଅଲିମ୍ପିକ୍ସରେ ମଧ୍ୟ ବ୍ୟାଟ ଓ ବଲର ଜଲୱା ଦେଖିବାକୁ ମିଳିବ । ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ ନେଇ ଦୀର୍ଘଦିନ ଧରି ଆଲୋଚନା ଚାଲିଥିବା ବେଳେ ଏହି ଖେଳର ସଫଳତାକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନିଆଯାଇଛି । ତେବେ ଅଲିମ୍ପିକ୍ସରେ କ୍ରିକେଟ ଟ-୨୦ ଫର୍ମାଟରେ ଖେଳାଯାଇପାରେ ।

Get real time updates directly on you device, subscribe now.