fbpx
BSKY
BJD MC SKY
BJD MS SKY

ଚେନ୍ନାଇର ବିସ୍ଫୋରକ ବ୍ୟାଟିଂ: ବାଙ୍ଗାଲୋରକୁ ୨୨୭ ରନର ବିଶାଳ ଲକ୍ଷ୍ୟ

ବାଙ୍ଗାଲୋର: ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋରକୁ ଏକ ବିଶାଳ ଲକ୍ଷ୍ୟ ଦେଇଛି ଚେନ୍ନାଇ ସୁପର କିଙ୍ଗସ । ଡେଭନ୍ କନୱେ ଏବଂ ଶିବମ ଦୁବେଙ୍କ ଧୂଆଁଦାର ଅର୍ଦ୍ଧଶତକ ସହିତ ରାହାଣେଙ୍କ ଦମଦାର ବ୍ୟାଟିଂରେ ସିଏସକେ ୨୦୦ ରନ ପାର କରିଛି । ଶେଷରେ ଜାଡେଜା ଏବଂ ମୋଇନ ଅଲୀଙ୍କ ପାଳି ବଳରେ ଧୋନୀବାହିନୀ ୨୨୬ ରନରେ ପହଞ୍ଚିଛି । ତେବେ ଏହି ମ୍ୟାଚକୁ ଜିତିବା ପାଇଁ ଆରସିବି ସାମନାରେ ରହିଛି ୨୨୭ ରନର ଏକ ବିଶାଳ ଟାର୍ଗେଟ ।

ଏହି ମ୍ୟାଚରେ ଟସ ଜିତି ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲେ ବାଙ୍ଗାଲୋର ଅଧିନାୟକ ଫାଫ୍ ଡୁପ୍ଲେସି । ଏହି ଆମନ୍ତ୍ରଣକୁ ସାଦରେ ଗ୍ରହଣ କରିଛି ଧୋନୀବାହିନୀ । ପ୍ରଥମରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ କରିବାର ଚେଷ୍ଟାରେ ଋତୁରାଜ ନିଜ ୱିକେଟ ହରାଇଥିଲେ । ତେବେ ଏହାପରେ ସିଏସକେ ବାଙ୍ଗାଲୋର ବୋଲରଙ୍କ ଉପରେ ମହଙ୍ଗା ପଡିଛନ୍ତି । ଅଜିଙ୍କ୍ୟା ରାହାଣେ ଏବଂ ଡେଭନ୍ କନୱେ ଦଳକୁ ସମ୍ଭାଳି ବିଶାଳ ସ୍କୋର ଆଡକୁ ଆଗେଇ ଚାଲିଥିଲେ । ବାଙ୍ଗାଲୋରର ସମସ୍ତ ବୋଲରଙ୍କୁ ଟାର୍ଗେଟ କରି ଆକ୍ରମଣ କରିଥିଲେ ଏହି ଦୁଇ ବ୍ୟାଟ୍ସମ୍ୟାନ । ତେବେ ୨୦ ବଲରେ ୨ଟି ଛକା ଏବଂ ୩ଟି ଚୌକା ସହ ୩୭ ରନ କରି ୱାନିନ୍ଦୁ ହସରଙ୍ଗା ବଲରେ ପାଭିଲିୟନ ଫେରିଥିଲେ ରାହାଣେ । ଏହାପରେ ଅଲରାଉଣ୍ଡର ଶିବମ୍ ଦୁବେ ମଧ୍ୟ ଏକ ବିସ୍ଫୋରକ ଇନିଂସ ଖେଳିଛନ୍ତି । ୨୭ ବଲରେ ୨ଟି ଚୌକା ଏବଂ ୫ଟି ବିଶାଳ ଛକା ସହ ୫୨ ରନର ଦମଦାର ଇନିଂସ ଖେଳିଛନ୍ତି ଶିବମ୍ ।

ତେବେ ଶିବମଙ୍କ ପରେ ପରେ ଫର୍ମରେ ଥିବା ଡେଭନ୍ କନୱେ ମଧ୍ୟ ପାଭିଲିୟନ ଫେରିଥିଲେ । ୪୫ ବଲରୁ ୬ଟି ଚୌକା ଏବଂ ୬ଟି ଛକା ସହ ୮୩ ରନ କରିଥିବା ବେଳେ ହର୍ଷଲଙ୍କୁ ଏକ ବଡ ଶଟ ଖେଳିବା ଲକ୍ଷରେ ୱିକେଟ ହରାଇଥିଲେ କନୱେ । ତାଙ୍କ ପରେ ରାୟୁଡୁ, ମୋଇନ ଏବଂ ଜାଡେଜା ଛୋଟ ଏବଂ ମହତ୍ତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ତେବେ ହର୍ଷଲ ପଟେଲଙ୍କ ଶେଷ ଓଭର ମହଙ୍ଗା ସାବ୍ୟସ୍ତ ହୋଇଥିବା ବେଳେ ମାକ୍ସୱେଲ ଶେଷ ୪ଟି ବଲ ପକାଇଥିଲେ । ୨୦ତମ ଓଭରରେ ୧୬ ରନ ବ୍ୟୟ ଯୋଗୁଁ ଚେନ୍ନାଇ ୨୨୬ ରନ ସଂଗ୍ରହ କରିପାରିଛି । ତେବେ ବାଙ୍ଗାଲୋରକୁ ଏହି ମ୍ୟାଚରେ ବିଜୟ ହାସଲ କରିବାକୁ ହେଲେ ୨୦ ଓଭରରେ ୨୨୭ ରନ ସଂଗ୍ରହ କରିବାକୁ ହେବ ।

Get real time updates directly on you device, subscribe now.