fbpx

M.S Dhoniଙ୍କୁ ନିଶ୍ଚୟ ରିଟେନ୍ କରିବ CSK… IPL-2025 ପୂର୍ବରୁ ଦଳର ବଡ଼ ଘୋଷଣା

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପୂର୍ବରୁ ମେଗା ଅକ୍ସନ ଅନୁଷ୍ଠିତ ହେବ । କିନ୍ତୁ ବର୍ତ୍ତମାନ ସୁଦ୍ଧା ରିଟେନସନ ପଲିସି ଜାରି କରିନାହିଁ ବିସିସିଆଇ । ତେଣୁ ଆସନ୍ତା ସିଜନକୁ ନେଇ ଖୁବ ଚର୍ଚ୍ଚା ଲାଗି ରହିଛି । ବିଶେଷ କରି ଚେନ୍ନାଇ ସୁପର କିଙ୍ଗସର ପୂର୍ବ ଅଧିନାୟକ ଏମ.ଏସ ଧୋନୀଙ୍କ ଖେଳିବାକୁ ନେଇ କଳ୍ପନା-ଜଳ୍ପନା ଜାରି ରହିଛି । କିନ୍ତୁ ରିଟେନସନ୍ ପଲିସିକୁ ସମସ୍ତଙ୍କ ଅପେକ୍ଷା ରହିଛି । ତେବେ ବିସିସିଆଇର ଏହି ରିଟେନସନ୍ ପଲିସି ଜାରି ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ଏକ ବଡ଼ ଘୋଷଣା କରିଛି ।

ଆଇପିଏଲ-୨୦୨୫ ପାଇଁ ପ୍ରତ୍ୟେକ ଦଳକୁ ୫-୬ ଜଣ ଖେଳାଳିଙ୍କୁ ରିଟେନ୍ କରିବା ପାଇଁ ବିସିସିଆଇ ଅନୁମତି ଦେଇପାରେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଏହି ନିୟମ ଲାଗୁ ହେଲେ ଧୋନୀ ଦଳରେ ଖେଳିବା ସୁନିଶ୍ଚିତ ହୋଇପାରେ । କିନ୍ତୁ ବର୍ତ୍ତମାନର ରିପୋର୍ଟ ଅନୁସାରେ, ଆଇପିଏଲ-୨୦୨୫ରେ ଧୋନୀଙ୍କ ଖେଳିବା ନିଷ୍ପତ୍ତି କୌଣସି ପଲିସି ଉପରେ ନିର୍ଭର କରିବ ନାହିଁ । ରିଟେନସନ୍ ପଲିସି ଜାରି କରିବା ପରେ ଧୋନୀ ଏବଂ ଚେନ୍ନାଇ ନିଜ ଭବିଷ୍ୟତକୁ ନେଇ କିଛି ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଥିଲା । କିନ୍ତୁ ଏବେ ସିଏସକେ ଅଧିକାରୀ କହିଛନ୍ତି ଯେ, ଯଦି ଧୋନୀ ଆଗାମୀ ସିଜନ ଖେଳିବା ପାଇଁ ନିଷ୍ପତ୍ତି ନେଉଛନ୍ତି, ତେବେ ତାଙ୍କୁ ଦଳ ନିଶ୍ଚୟ ରିଟେନ୍ କରିବ । ବିସିସିଆଇ ୨ ଖେଳାଳିଙ୍କୁ ରିଟେନ୍ କରିବା ପାଇଁ ଅନୁମତି ଦେଲେ ମଧ୍ୟ ଧୋନୀ ଦଳରେ ରିଟେନ୍ ହେବେ ବୋଲି କହିଛି ଚେନ୍ନାଇ ସୁପର କିଙ୍ଗସ ।

ସୂଚନା ଅନୁସାରେ, ରିଟେନସନ୍ ପଲିସି ଜାରି ହେବା ପାଇଁ ଆହୁରି କିଛି ସମୟ ଲାଗିବ । ତେଣୁ ଆସନ୍ତା ସେପ୍ଟେମ୍ବର ୨୯ ତାରିଖରେ ହେବାକୁ ଥିବା ବିସିସିଆଇ ସାଧାରଣ ବୈଠକ ଉପରେ ସମସ୍ତଙ୍କ ନଜର ରହିଛି । ଏହି ବୈଠକରେ ରିଟେନସନକୁ ନେଇ କିଛି ସୂଚନା ଆସିପାରେ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ ଇଣ୍ଟରନେସନାଲ କ୍ରିକେଟରୁ ୫ ବର୍ଷ ପୂର୍ବରୁ ଅବସର ନେଇଥିବା ଖେଳାଳିମାନଙ୍କୁ ଅନକ୍ୟାପ୍ଡ ଖେଳାଳି ଭାବରେ ସାମିଲ କରିବା ପାଇଁ ଦାବି ଉଠିଛି । ୨୦୨୧ ମସିହାରେ ଏହି ନିୟମ ହଟାଇ ଦିଆ ଯାଇଥିଲା । କିନ୍ତୁ ଆସନ୍ତା ସିଜନ ପାଇଁ ଏହି ନିୟମକୁ ପୁଣିଥରେ ଲାଗୁ କରିବା ନେଇ ଆଶା କରାଯାଉଛି ।

Get real time updates directly on you device, subscribe now.