fbpx

ଟ୍ୱିଟ୍ ସିଟିର ସ୍କୁଲମାନଙ୍କରେ ଖୋଲିବ ସାଇବର ସୁରକ୍ଷା କ୍ଲବ, ସାଇବର କ୍ରାଇମ୍ ରୋକିବା ପାଇଁ କମିଶନରେଟ୍ ପୋଲିସର ବଡ଼ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସାଇବର କ୍ରାଇମ୍ ବହୁଳ ମାତ୍ରାରେ ବଢ଼ିବାରେ ଲାଗିଛି । ଏହାକୁ ରୋକିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ପୋଲିସ ସ୍କୁଲମାନଙ୍କୁ ଯାଇ ଛାତ୍ରଛାତ୍ରୀଙ୍କୁ ସାଇବର କ୍ରାଇମ୍ ସମ୍ପର୍କିରେ ସଚେତନ କରାଇଛି । ଟ୍ୱିଟ୍ ସିଟିର ପ୍ରତ୍ୟେକ ସ୍କୁଲରେ ଏ ସଂକ୍ରାନ୍ତୀୟ କର୍ମଶାଳା ଅନୁଷ୍ଠିତ ହେବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇଛି ।

ତେବେ ଏନେଇ ଟ୍ୱିଟ୍ ସିଟିର ସ୍କୁଲଗୁଡ଼ିକରେ ସାଇବର ସିକ୍ୟୁରିଟି କ୍ଲବ ଖୋଲାଯିବ । ଏଥିସହିତ ଏକ ହ୍ୱାଟଟଆପ୍ ଗ୍ରୁପ ଗଠନ କରି ଟ୍ରାଫିକ, ନିଶା କାରବାର, ଆତ୍ମହତ୍ୟା ଉପରେ ପିଲାମାନଙ୍କୁ ସଚେତନ କରାଯିବ । ଏନେଇ ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସିପି, ଡିସିପି ଓ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ସ୍କୁଲ ପିଲା ଓ କର୍ମକର୍ତ୍ତାଙ୍କୁ ସଚେତନ କରାଇଥିଲେ ।

ସାଇବର ସୁରକ୍ଷା ନେଇ ପୋଲିସର ପଦକ୍ଷେପ ବିଷୟରେ ଗତ ନଭେମ୍ବର ମାସରେ ମଧ୍ୟ ସମ୍ୟକ ସୂଚନା ମିଳିଥିଲା । ପ୍ରଥମେ ପ୍ରତ୍ୟେକ ସ୍କୁଲରୁ ଦୁଇଜଣଙ୍କୁ ନେଇ ପୋଲିସ ହ୍ୱାଟସଆପ୍ ଗ୍ରୁପ ଗଠନ କରିବ । ଉକ୍ତ ଗ୍ରୁପରେ ସ୍କୁଲର କମ୍ପ୍ୟୁଟର ଶିକ୍ଷକ ଓ ଅନ୍ୟ ଶିକ୍ଷକ ରହିବେ । ସେହିପରି ବ୍ଲକ ସ୍ତରରେ ସାଇବର ସିକ୍ୟୁରିଟି କ୍ଲବରେ ୫ ଜଣ ରହିବେ । ସେଥିରେ ଦୁଇଜଣ ଛାତ୍ର, ଜଣେ ଛାତ୍ରୀ ଓ ୨ ଜଣ ଶିକ୍ଷକ ସ୍ଥାନ ପାଇବେ । ପ୍ରାଥମିକ ଭାବେ ୫୦ଯି ସ୍କୁଲରେ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି କୁହାଯାଇଥିଲା । ଅନ୍ୟପକ୍ଷରେ ସାଇବର କ୍ରାଇମକୁ ରୋକିବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ମଧ୍ୟ ପଦକ୍ଷେପ ନିଆଯାଇଛି । ଦିନକୁ ଦିନ ସାଇବର କ୍ରାଇମ ବୃଦ୍ଧି ପାଉଥିବାରୁ ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷା କୋର୍ସ ପ୍ରଦାନ ନିମନ୍ତେ (ୟୁଜିସି) ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜକୁ ମଧ୍ୟ ଚିଠି ଲେଖାଯାଇଥିଲା ।

Get real time updates directly on you device, subscribe now.