fbpx

ପୁରୀଠାରୁ ୯୦ କିମି ଦୂରରେ ଯିବ ବାତ୍ୟା ଅସାନୀ, ଏହି ସବୁ ଜିଲ୍ଳାକୁ ଆଲର୍ଟ ଜାରି: ଏସ୍‌ଆରସି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ବାତ୍ୟା ଅସାନୀ ଏବେ ପୁରୀଠାରୁ ଦକ୍ଷିଣ- ଦକ୍ଷିଣ ପୂର୍ବ ଦିଗରେ ୯୨୦ କିଲୋମିଟର ଦୂରରେ ରହିଛି । ଏହା ୧୦ ତାରିଖ ସନ୍ଧ୍ୟା ସମୟରେ ଓଡ଼ିଶା ଓ ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବ । ହେଲେ ସ୍ଥଳଭାଗକୁ ଆସିବ ନାହିଁ । ପୁରୀଠାରୁ ଏହା ୯୦ରୁ ୧୦୦ କିମି ଦୂରରେ ଅତିକ୍ରମ କରିବ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି ।

ସେ କହିଛନ୍ତି ଯେ ବାତ୍ୟା ଅତିକ୍ରମ କରିବାବେଳେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୫୦ କିମି ରହିବ । ୧୦ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବ । ସେହିପରି ୧୧ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷାର ମଧ୍ୟ ଆଶଙ୍କା ରହିଛି । ୧୨ରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରର ଗୋଟିଏ ଦୁଇଟି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟରବର୍ଷା ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି । ସେ କହିଥିଲେ ଯେ ସମୁଦ୍ର ଭିତରକୁ ଯାଇଥିବା ଓଡ଼ିଶାର ସବୁ ମାଛଧରା ଡଙ୍ଗା କୂଳକୁ ଫେରି ଆସିଛି ।

ସେହିପରି ଚିଲିକାରେ ଚଳାଚଳ କରୁଥିବା ହଜାରେ ବୋଟ୍‌ ମଧ୍ୟରୁ ଅଧିକାଂଶ ଫେରି ଆସିଛନ୍ତି । ଏବେ ଖରା ଯୋଗୁ ନଦୀ, ନାଳ ଓ ମାଟି ଶୁଖିଲା ପଡ଼ିଛି । ତେଣୁ ବର୍ଷା ହେଲେ ବନ୍ୟାର ଆଶଙ୍କା ନାହିଁ । ତେବେ ପାଣି ଜମିବା ସମସ୍ୟା ଉପରେ ଦୃଷ୍ଟି ରଖି ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ସତର୍କତା ସ୍ୱରୂ ଗଞ୍ଜାମ ଜିଲ୍ଲାରେ ୨ଟି, ପୁରୀର କୃଷ୍ଣପ୍ରସାଦ, ସାତପଡ଼ା, ପୁରୀ, ଅସ୍ତରଙ୍ଗ ଓ କୋଣାର୍କରେ ଗୋଟିଏ ଲେଖାଏଁ ଓଡ୍ରାଫ ଟିମ୍‌ ମୁତୟନ ହେବେ । ଏହାଛଡ଼ା ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ମଧ୍ୟ ଓଡ୍ରାଫ ଟିମ୍‌ ମୁତୟନ କରାଯିବ । ସେହିପରି ବାଲେଶ୍ୱରରେ ଥିବା ଗୋଟିଏ ଏନଡିଆରଏଫ ୟୁନିଟ୍‌କୁ ମଧ୍ୟ ଆଲର୍ଟରେ ରଖାଯିବ ବୋଲି ଶ୍ରୀ ଜେନା କହିଥିଲେ ।

Get real time updates directly on you device, subscribe now.