ସାମ୍ଭାବ୍ୟ ବାତ୍ୟା ପାଇଁ ପରିବେଶ ଅନୁକୂଳ: ଦକ୍ଷିଣ ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଲଘୁଚାପ, ୬ରେ ସ୍ପଷ୍ଟ ହେବ ବାତ୍ୟା ଚିତ୍ର
ନୂଆଦିଲ୍ଲୀ/ ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ତାହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଗତକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ସକାଳ ୫ଟା ୩୦ରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟଭାଗ ଯାଏ ବ୍ୟାପିଛି । ଆସନ୍ତା ୨୪ ଘଣ୍ଟା ଅର୍ଥାତ ମେ ୬ ତାରିଖ ବେଳକୁ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।
ପାଣିପାଗ ବିଶେଷଜ୍ଞ ଉମା ଶଙ୍କର ଦାସ କହିଛନ୍ତି ଯେ, ବର୍ତ୍ତମାନ ବାତ୍ୟାର ତୀବ୍ରତା ଏବଂ ଗତିଥ କେଉଁଆଡ଼କୁ ଯିବ ସେ ନେଇ କିଛି ଆକଳନ କରାଯାଇ ପାରି ନାହିଁ । ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ପ୍ରାକ୍ ମୌସୁମୀ ପରିବେଶ ବାତ୍ୟା ପାଇଁ ଅନୁକୂଳ ରହିଛି । ତେବେ ଏବେଠୁ ବାତ୍ୟା ନେଇ କିଛି କହିହେବ ନାହିଁ । ଆସନ୍ତା ୬ ତାରିଖ ସୁଦ୍ଧା ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେଲେ ଏହାର ତୀବ୍ରତା ଓ ଗତି ପଥ ନେଇ ଆକଳନ କରାଯାଇପାରିବ । ହେଲେ ଏଯାଏଁ କିଛି ସ୍ପଷ୍ଟ ହୋଇନଥିବା ବେଳେ ବାତ୍ୟା ଓଡ଼ିଶା ଉପକୂଳକୁ ଆସିବ କି ନାହିଁ ସେ ସମ୍ପର୍କରେ କହିବା ସମ୍ଭବ ନୁହେଁ ।
ସେ କହିଛନ୍ତି ଘୂର୍ଣ୍ଣିବଳୟ ଉପରିସ୍ଥ ବାୟୁମଣ୍ଡଳରେ ସୃଷ୍ଟି ହୋଇଛି । ୬ ତାରିଖ ସୁଦ୍ଧା ତାହା ଦକ୍ଷିଣ ଆଣ୍ଡାମାନ ସାଗର ଓ ନିକଟସ୍ଥ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ । ତା’ପରେ ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରି କ୍ରମଶଃ ଘନୀଭୂତ ହୋଇ ଅବପାତ ରୂପ ନେବାର ସମ୍ଭାବନା ରହିଛି । ଏହା ଦକ୍ଷିଣ ଆଣ୍ଡାମାନ ସାଗରରୁ ଧୀରେ ଧୀରେ ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିପାରେ । ୬ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ପରବର୍ତ୍ତୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତହେବ । ଏବେ ସୁଦ୍ଧା ଲ୍ୟାଣ୍ଡଫଲ୍ର ପୂର୍ବାନୁମାନ କରାଯାଇପାରି ନାହିଁ । ଯଦି ବାତ୍ୟା ହୁଏ ତେବେ ଏହାର ତୀବ୍ରତା କେତେ ରହିବ ଓ ଏହା କେଉଁ ଉପକୂଳରେ ପହଞ୍ଚିବ ତଥା କେଉଁ କେଉଁ ଅଞ୍ଚଳ ସର୍ବାଧିକ କ୍ଷତିଗ୍ରସ୍ତ ହେବ ସେନେଇ କିଛି ମଧ୍ୟ ଆକଳନ କରାଯାଇ ନାହିଁ ।
ସେ ଆହୁରି କହିଛନ୍ତି ଯେ, ସାଧାରଣତଃ ମଇ ମାସରେ ଅଧିକ ବାତ୍ୟା ଦେଖାଯାଇଥାଏ । ପ୍ରାକ୍ ମୌସୁମୀ ପରିବେଶ ବାତ୍ୟା ପାଇଁ ଅନୁକୂଳ ହେବ । ତେବେ ବାତ୍ୟା ନେଇ କିଛି ସ୍ପଷ୍ଟ ଚିତ୍ର ମିଳିାରି ନଥିବାବେଳେ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳର ମତ୍ସ୍ୟଜୀବୀଙ୍କୁ ଆସନ୍ତା ୫ରୁ ୮ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି । ଶ୍ରୀ ମହାପାତ୍ର କହିଛନ୍ତି ଯେ, ଘୂର୍ଣ୍ଣିବଳୟ ହେଉଛି ଏହି ପ୍ରକ୍ରିୟାର ସବୁଠୁଁ ଦୁର୍ବଳ ସିଷ୍ଟମ । ଘୂର୍ଣ୍ଣିବଳୟ ପ୍ରଥମେ ପୃଥିବୀରୁ ୫ କି.ମି. ଉପରେ ସୃଷ୍ଟି ହୋଇଥାଏ । ଏହା କ୍ରମଶଃ ତଳକୁ ଅବତରଣ କରେ । ଏହାର ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୁଏ । ତା’ପରେ ଅବପାତ, ଗଭୀର ଅବପାତ ଓ ଅତି ପ୍ରବଳ ବାତ୍ୟାର ରୂ ନେଇଥାଏ ।