ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ଲଘୁଚାପ ଘନୀଭୂତ ହୋଇ କାଲି ଅବପାତର ରୂପ ନେବ । ୮ ତାରିଖ ସନ୍ଧ୍ୟା ସୁଦ୍ଧା ଅବପାତ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏହା କ୍ରମେ ଉତ୍ତର ପଶ୍ଚିମ ଦିଗକୁ ଗତି କରି ବାତ୍ୟାରେ ରୂପାନ୍ତର ହେବ । ୮ରେ ବାତ୍ୟାରେ ରୂପାନ୍ତର ହୋଇ ଏହା୧୦ ତାରିଖ ବେଳକୁ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳ ଛୁଇଁପାରେ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଅନ୍ୟପଟେ ସକ୍ରିୟ କାଳବୈଶାଖୀ ପ୍ରଭାବରେ ୬ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି । ୬ ଜିଲ୍ଲାରେ ଯଥା-ଅନୁଗୁଳ, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ପୁରୀରେ ବର୍ଷା ଲାଗି ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ବିଭିନ୍ନ ଗଣମାଧ୍ୟମର ବାତ୍ୟା ସମ୍ଭାବନାକୁ ନେଇ ଓଡ଼ିଶା ବାସୀ ବିଭ୍ରାନ୍ତ ହେବାର ଉଚିତ ନୁହେଁ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଥିଲେ । ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ପରେ ବାତ୍ୟା ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ସେ କହିଥିଲେ ।