fbpx

ଆସୁଛି ବାତ୍ୟା ‘ଜୱାଦ’! ଡିସେମ୍ବର ୩ରୁ ଓଡିଶାରେ ପ୍ରବଳ ବର୍ଷିବା ସମ୍ଭାବନା, ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ବହିପାରେ ପବନ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୨୯ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି । ଡିସେମ୍ବର ୩ ତାରିଖ ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ସମେତ ବାଂଲାଦେଶରେ କ୍ଷୟକ୍ଷତି କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଶଙ୍କା କରାଯାଇଛି । ଯଦି ଏହି ଲଘୁଚାପ ବାତ୍ୟାର ରୂପ ନିଏ, ତେବେ ଏହାର ନାମ ‘ଜୱାଦ’ ରହିବ ।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ପୂର୍ବାନୁମାନ ଅନୁସାରେ ଡିସେମ୍ବର ୩ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହେବ । ଏହାପରେ ୨୪ରୁ ୪୮ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି । ବାତ୍ୟା ପ୍ରଭାବରେ ଡିସେମ୍ବର ୩ ତାରିଖରୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ ଓ ୪ ତାରିଖ ବେଳକୁ ଭୁବନେଶ୍ୱର ଓ କଟକରେ ମଧ୍ୟମରୁ ପ୍ରବଳ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି । ଡିସେମ୍ବର ୫ରେ ପୂରା ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଡିସେମ୍ବର ୬ରେ ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଉପକୂଳ ଜିଲ୍ଲାରେ ଡିସେମ୍ବର ୪-୬ରୁ ମଧ୍ୟରେ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ ।

Get real time updates directly on you device, subscribe now.