fbpx

ଆସନ୍ତା ୨୪ ଘଣ୍ଟାରେ ବାତ୍ୟାର ରୂପା ନେଇପାରେ “ଜୱାଦ’, ମୁକାବିଲା ନେଇ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ: ବାୟୁସେନା ଏବଂ ସ୍ଥଳସେନା ୟୁନିଟ୍‌ ନିୟୋଜିତ ପାଇଁ ପ୍ରସ୍ତୁତ

୧୪ ଜିଲ୍ଲାକୁ ସତର୍କ ସୂଚନା, ୨୨୫ ଟିମ୍‌ ମୁତୟନ: ଏସ୍‌ଆର୍‌ସି

ନୂଆଦିଲ୍ଲୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଅବପାତ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସକ୍ରିୟ ରହିଛି । ଏହା ଉତ୍ତରପଶ୍ଚିମ ଆଡ଼କୁ ଗତି କରି ପରବର୍ତ୍ତୀ ୨୪ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହୋଇପାରେ । ବାତ୍ୟାର ରୂପ ନେବା ପରେ ଏହାର ନାମ ‘ଜୱାଦ’ ରହିବ । ଏହି ବାତ୍ୟା ପରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ୪ ତାରିଖ ସକାଳେ ମାଡ଼ ହୋଇପାରେ । ଏହାପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ । ପ୍ରଭାବରେ ଦକ୍ଷିଣ ଉପକୂଳ ଓଡ଼ିଶା ସହ ଅନ୍ୟ କିଛି ଜିଲ୍ଲାରେ ବର୍ଷା  ହେବ ।

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟା “ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ । ଚଳିତ ମାସ ୩ ତାରିଖ ମଧ୍ୟରାତ୍ରୀ ପରେ ପବନ ବେଗ ବଢ଼ିବାକୁ ଲାଗିବ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା “ଜୱାଦ’ ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ତଥା ସମ୍ପୃକ୍ତ ଏଜେନ୍ସିର ଅଧିକାରୀମାନେ ଯୋଗ ଦେଇ ବାତ୍ୟାଜନିତ ପରିସ୍ଥିତିର ମୁକାବିଲ ପାଇଁ ପ୍ରାକ୍‌ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କୁ ନିରାପଦ ଭାବେ ଉଦ୍ଧାର କରିବା ଲାଗି ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟା ସମୟରେ ବିଦ୍ୟୁତ ଶକ୍ତି, ଟେଲି ଯୋଗାଯୋଗ, ସ୍ୱାସ୍ଥ୍ୟ, ପାନୀୟ ଜଳ ଆଦି ଜରୁରି ସେବା ଯୋଗାଣ ସୁନିଶ୍ଚିତ କରିବା ସହିତ ଏଥିରେ ବାଧା ଉତ୍ପନ୍ନ ହେବା କ୍ଷେତ୍ରରେ ତୁରନ୍ତ ପୁନରୁଦ୍ଧାର କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ ।

ଆହୁରି, ଜରୁରି ଔଷଧ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ କରି ରଖିବା ସହ ଏଗୁଡ଼ିକର ବାଧାମୁକ୍ତ ପରିବହନ ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟକାରୀ କରିବା ଲାଗି ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଜୱାଦ ବାତ୍ୟାରେ ପରିଣତ ହେବ । ପୂର୍ବରୁ କ୍ୟାବିନେଟ ସଚିବ ରାଜୀବ ଗୌବା ସମସ୍ତ ଉପକୂଳବର୍ତ୍ତୀ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରଣାଳୟ/ଏଜେନ୍ସିଗୁଡ଼ିକ ସହିତ ପରିସ୍ଥିତି ଏବଂ ପ୍ରାକ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପରିସ୍ଥିତି ଉପରେ ୨୪ ଘଣ୍ଟା ନଜର ରଖିଛି ଏବଂ ରାଜ୍ୟ ସରକାର, କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସନ ଏବଂ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ସହିତ ନିୟମିତ ଯୋଗାଯୋଗରେ ରହିଛି ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟମାନଙ୍କୁ ପୂର୍ବରୁ ଏସ୍‌ଡିଆର୍‌ଏଫ୍‌ର ପ୍ରଥମ କିସ୍ତି ଜାରି କରାଯାଇ ସାରିଛି । ଡଙ୍ଗା, ଗଛ କଟା ଯନ୍ତ୍ର, ଟେଲିକମ ଉପକରଣ ସହିତ ଏନଡିଆରଏଫର ୨୯ଟି ଦଳକୁ ପୂର୍ବରୁ ପ୍ରଭାବିତ ରାଜ୍ୟମାନଙ୍କରେ ମୁତୟନ କରାଯାଇ ସାରିଛି ଏବଂ ୩୩ଟି ଦଳକୁ ପ୍ରସ୍ତୁତ ରଖାଯାଇଛି । ରିଲିଫ, ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଏବଂ ନୌସେନା ପକ୍ଷରୁ ଜାହାଜ ଓ ହେଲିକପ୍ଟର ମୁତୟନ କରାଯାଇଛି । ବାୟୁ ସେନା ଏବଂ ସ୍ଥଳସେନାର ଇଞ୍ଜିନିୟରିଂ ଟାସ୍କ ଫୋର୍ସକୁ ଡଙ୍ଗା ଏବଂ ଉଦ୍ଧାରକାରୀ ଉପକରଣ ସହିତ ମୁତୟନ ଲାଗି ପ୍ରସ୍ତୁତ ରଖାଯାଇଛି । ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ନିରୀକ୍ଷଣ ବିମାନ ଏବଂ ହେଲିକପ୍ଟର ଗୁଡ଼ିକର ନିରନ୍ତର ଆକାଶମାର୍ଗରୁ ନିରୀକ୍ଷଣ ଜାରି ରଖିଛନ୍ତି । ବିପର୍ଯ୍ୟୟ ଉଦ୍ଧାରକାରୀ ଦଳ ଏବଂ ମେଡ଼ିକାଲ ଦଳକୁ ପୂର୍ବ ଉପକୂଳରେ ବିଭିନ୍ନ ସ୍ଥାନରେ ପ୍ରସ୍ତୁତ ରଖାଯାଇଛି । ବିଦ୍ୟୁତ ଯୋଗାଣ ସେବାକୁ ତୁରନ୍ତ ସ୍ୱାଭାବିକ କରିବା ଲାଗି ଟ୍ରାନ୍ସଫର୍ମ, ଡିଜିସେଟ ଏବଂ ଅନ୍ୟାନ୍ୟ ଉପକରଣ ସହିତ ଜରୁରିକାଳୀନ ମୁକାବିଲା ବ୍ୟବସ୍ଥାକୁ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ସକ୍ରିୟ କରାଯାଇଛି ।

ଦୂରସଞ୍ଚାର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଟେଲିକମ ଟାୱାର ଏବଂ ଏକ୍ସଚେଞ୍ଜ ଉପରେ ଲଗାତାର ନଜର ରଖାଯାଇଛି ଏବଂ ଟେଲିକମ ନେଟୱର୍କକୁ ସ୍ୱଭାବିକ କରିବା ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତି କରାଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରସ୍ତୁତି ଏବଂ ପ୍ରଭାବିତ ଅଞ୍ଚଳରେ କୋଭିଡ ମୁକାବିଲା ପାଇଁ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଜାହାଜଗୁଡ଼ିକୁ ସୁରକ୍ଷିତ ରଖିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଜରୁରିକାଳୀନ ଜାହାଜଗୁଡ଼ିକୁ ମୁତୟନ କରାଯାଇଛି । ଉପକୂଳ ଅଞ୍ଚଳରେ ଥିବା କେମିକାଲ ଏବଂ ପେଟ୍ରୋକେମିକାଲ ୟୁନିଟ୍‌ ଭଳି ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ପାଇଁ ସତର୍କ ସୂଚନା ଜାରି ରଖିବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି । ବିପଦସଙ୍କୁଳ କ୍ଷେତ୍ରରୁ ଲୋକମାନଙ୍କୁ ଉଦ୍ଧାର କରିବା ଲାଗି ପ୍ରସ୍ତୁତିରେ ରାଜ୍ୟ ଏଜେନ୍ସିଗୁଡ଼ିକୁ ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ ସହାୟତା କରାଯାଉଛି । ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଲୋକମାନଙ୍କୁ ଅବଗତ କରାଇବା ଲାଗି ନିୟମିତ ଭାବେ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ଗୃହ ସଚିବ, ଏନ୍‌ଡିଆର୍‌ଏଫ୍‌ ଡିଜି ଏବଂ ଆଇଏମ୍‌ଡି ଡିଜି ଅଂଶଗ୍ରହଣ କରିଥିଲେ ।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ଜୱାଦ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି । ସେ କହିଛନ୍ତି ଯେ ବାତ୍ୟା ପାଇଁ ରାଜ୍ୟର ୧୪ଟି ଜିଲ୍ଲାକୁ ସତର୍କ କରାଯାଇଛି । ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ୍‌ ଓ ଏନ୍‌ଡିଆର୍‌ଏଫ୍‌ ଟିମ ପ୍ରସ୍ତୁତ ରହିଛନ୍ତି । ଗୁରୁବାର ରାତି ସୁଦ୍ଧା ସମୁଦ୍ରରୁ ଫେରିଆସିବାକୁ ମତ୍ସ୍ୟଜୀବୀମାନଙ୍କୁ କୁହାଯାଇଛି । ଯେଉଁମାନେ ସମୁଦ୍ରରେ ଅଛନ୍ତି ସେମାନେ ସୋମବାର ସକାଳ ସୁଦ୍ଧା ଫେରିଆସିବେ ବୋଲି ସେ କହିଛନ୍ତି । ୫ ତାରିଖ ପର୍ଯ୍ୟନ୍ତ ମାଛ ମରା ବନ୍ଦ କରାଯାଇଛି । ସେ କହିଛନ୍ତି ଯେ, ଅମଳ ଶସ୍ୟ ରକ୍ଷଣାବେକ୍ଷଣ ଓ ଯେତିକି ଅମଳ କରିହେବ ଓ ଯେଉଁଠି ଅମଳ କରିହେବ ନାହିଁ ସେଠି ଜଳ ନିଷ୍କାସନ ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ପରାମର୍ଶ ଜାରି କରାଯାଇଛି । ଲାଉଡସ୍ପିକର ମାଧ୍ୟମରେ ଚାଷୀଙ୍କୁ ସତର୍କ କରାଯାଉଛି । ଗତକାଲି ଓଡ୍ରାଫ,ଏନଡିଆରଏ ଓ ଅଗ୍ନିଶମ ଅଧିକାରୀଙ୍କ ସହ ଆଲୋଚନା କରିଛୁ । ଦକ୍ଷିଣ ଉପକୂଳ ଜିଲ୍ଲାରେ ଅଧିକ ପ୍ରଭାବ ଥିବାରୁ ସର୍ବମୋଟ ୬୦ ଓଡ୍ରାଫ, ୩୪ ଏନଡିଆରଏଫ ,୧୭୨ଟି ଅଗ୍ନିଶମ ଟିମକୁ ମିଶାଇ ସର୍ବମୋଟ ୨୬୬ ଟି ଟିମ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୨୨୫ ଟିମ୍‌ ମୁତୟନ ହୋଇସାରିଛନ୍ତି ଓ ଆଉ ୫୧ଟି ଟିମ ହାତରେ ଅଛି ବୋଲି ଶ୍ରୀ ଜେନା କହିଛନ୍ତି । ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ରରେ ଉଚ୍ଚ ଜୁଆରକୁ ଲକ୍ଷ୍ୟରେ ରଖି ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ । ବାତ୍ୟା ଆଶ୍ରୟସ୍ଥଳୀରେ ମାସ୍କ ଓ ସାନିଟାଇଜର ବ୍ୟବସ୍ଥା କରାଯିବ । ଛୋଟ ଛୁଆଙ୍କୁ ଶିଶୁ ଖାଦ୍ୟ ଦିଆଯିବ । ଏନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଏସ୍‌ଆର୍‌ସି । କୌଣସି ନେଟୱର୍କ ସମସ୍ୟା ରହିବ ନାହିଁ । ଗୋଟିଏ ଟାୱାର କ୍ଷତିଗ୍ରସ୍ତ ହେଲେ କମ୍ପାନୀ ଟାୱାର ଯୋଗାଇ ଦେବ । ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କୁ ସ୍ଥାନାନ୍ତରଣରେ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି ।

ଅପରପକ୍ଷରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟି ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ କୋରାପୁଟ, ରାୟଗଡା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଶନିବାର ସକାଳ ଠାରୁ ୫ ତାରିଖ ସକାଳ ମଧ୍ୟରେ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ଭୀଷଣ ବର୍ଷା ନେଇ ରେଡ୍‌ ୱାର୍ଣ୍ଣିଂ, ଖୋର୍ଦ୍ଧା, ନୟାଗଡ, କେନ୍ଦ୍ରାପଡା, କଟକ, କନ୍ଧମାଳ, କୋରାପୁଟ ଓ ରାୟଗଡାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମାଲକାନଗିରିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୫ ତାରିଖ ସକାଳ ଠାରୁ ୬ ତାରିଖ ସକାଳ ମଧ୍ୟରେ ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ ଓ ପୁରୀରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଏବଂ କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Get real time updates directly on you device, subscribe now.