fbpx

(Video) ରେଲୱେ ଟ୍ରାକରେ ସିଲିଣ୍ଡର, ବାରୁଦ… ଟ୍ରେନ୍ ଉଡ଼ାଇ ଦେବାକୁ ଚାଲିଥିଲା ଷଡ଼ଯନ୍ତ୍ର! ଆସିଲା ଭୟାନକ ତଥ୍ୟ

ନୂଆଦିଲ୍ଲୀ: କାଳିନ୍ଦୀ ଏକ୍ସପ୍ରେସକୁ ଉଡ଼ାଇ ଦେବା ପାଇଁ ଚାଲିଛି ଭୟଙ୍କର ଷଡ଼ଯନ୍ତ୍ର । ଏହା ପଛରେ ଆତଙ୍କବାଦୀ ସଂଗଠନର ହାତ ଥିବା ମଧ୍ୟ ଆଶଙ୍କା କରାଯାଉଛି । ବର୍ତ୍ତମାନ ଏହି ମାମଲାର ତଦନ୍ତ NTS ଏବଂ NIA ହାତରେ ରହିଥିବା ବେଳେ ମାମଲା ସମ୍ପର୍କରେ ବଡ଼ ତଥ୍ୟ ସାମନାକୁ ଆସିଛି । ଟ୍ରାକରେ ପଡ଼ିଥିବା ଏଲପିଜି ଗ୍ୟାସ ସିଲିଣ୍ଡର, ବାରୁଦ ଏବଂ ଅନ୍ୟାନ୍ୟ ସନ୍ଦିଗ୍ଧ ଜିନିଷ ଏହି ମାମଲାକୁ ଏକ ଷଡ଼ଯନ୍ତ୍ରର ରୂପ ଦେଉଛି ।

ସେପଟେ ପୋଲିସ ୧୦ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଶିବରାଜପୁର ଥାନାରେ ପଚରାଉଚରା ଜାରି ରଖିଛି । ଏହାସହିତ ସ୍ଥାନୀୟ ଅଞ୍ଚଳରେ ସିସିଟିଭି ଫୁଟେଜ୍ ଆଧାରରେ ଷଡ଼ଯନ୍ତ୍ରକାରୀଙ୍କୁ ଖୋଜୁଛି ପୋଲିସ । ଏ ନେଇ ରାଜନୈତିକ ବୟାନ ମଧ୍ୟ ଆରମ୍ଭ ହୋଇଯାଇଛି । ରେଲୱେ ତରଫରୁ ଏହି ମାମଲାରେ କିଛି ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହାର ଯାଞ୍ଚ ପାଇଁ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ୫ଟି ଟିମ୍ ଗଠନ କରାଯାଇଛି । ଏହାବ୍ୟତୀତ ଏହି ମାମଲାରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବାନେଇ ମଧ୍ୟ ଆଶଙ୍କା କରାଯାଉଛି । ତେଣୁ ଆତଙ୍କବାଦୀ ନିରୋଧୀ ସ୍କ୍ୱାଡ ମାମଲାର ତଦନ୍ତ କାର୍ଯ୍ୟରେ ନିୟୋଜିତ ହୋଇଛି ।

ସଂଯୁକ୍ତ ପୋଲିସ ଆୟୁକ୍ତ ହରିଶ ଚନ୍ଦ୍ର କହିଛନ୍ତି ଯେ, ଗତକାଲି ରାତି ୮.୨୦ ସମୟରେ କାଳିନ୍ଦୀ ଏକ୍ସପ୍ରେସର ଚାଳକ ଟ୍ରାକରେ ଏକ ଗ୍ୟାସ୍ ସିଲିଣ୍ଡର ପଡ଼ିଥିବା ଦେଖିବାକୁ ପାଇଥିଲେ । ତେବେ ଇମରଜେନ୍ସି ବ୍ରେକ ଲଗାଇବା ପରେ ମଧ୍ୟ ଟ୍ରେନ୍ ସିଲିଣ୍ଡର ସହ ଧକ୍କା ହୋଇ କିଛି ଦୂରରେ ଅଟକିଥିଲା । ସିଲିଣ୍ଡର ମଧ୍ୟ କିଛି ଦୂରରେ ପଡ଼ିଥିଲା । କିନ୍ତୁ ସୌଭାଗ୍ୟବଶତଃ ସିଲିଣ୍ଡର ଟ୍ରେନ ସହ ଧକ୍କା ହୋଇ କଟି ଯାଇନାହିଁ । ତେବେ ଏହି ଅଘଟଣ ପରେ ଟ୍ରେନ ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ସେଠାରେ ଅଟକି ରହିଥିଲା ।

ଶିବରାଜପୁରରେ ଅଜଣା ଲୋକଙ୍କ ବିରୋଧରେ ରେଲୱେ ମାମଲା ରୁଜୁ କରିଛି। ଟ୍ରାକରେ ପେଟ୍ରୋଲରେ ଭର୍ତ୍ତି ଏକ ବୋତଲ ଏବଂ ଏଲପିଜି ସିଲିଣ୍ଡର ଲଗାଇ ବିସ୍ଫୋରଣ କରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଘଟଣାସ୍ଥଳରୁ ମିଠା ପ୍ୟାକେଟ ମିଳିଛି । ବର୍ତ୍ତମାନ ମିଠା ଦୋକାନୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଏହି ପ୍ରସଙ୍ଗରେ କହିଛନ୍ତି ଯେ, ଦେଶରେ ଟୁଲକିଟ୍ କାମ କରୁଛି। ଏହା ଏକ ସଂକେତ ନୁହେଁ, ଏହା ଏକ ପରୀକ୍ଷଣ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିିଂହ ।

Get real time updates directly on you device, subscribe now.