fbpx

୧୪ ଦିନ ପରେ ଚନ୍ଦ୍ରରେ ଘୋଟିଯିବ ଅନ୍ଧକାର… ପୃଥିବୀକୁ ଫେରିବ କି ଚନ୍ଦ୍ରଯାନ-୩? କୁଆଡ଼େ ଯିବେ ବିକ୍ରମ-ପ୍ରଜ୍ଞାନ

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରି ଭାରତର ଚନ୍ଦ୍ରଯାନ-୩ ଇତିହାସ ରଚିଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ଲାଣ୍ଡିଂ କରିବାରେ ଭାରତ ପ୍ରଥମ ଦେଶ ପାଲଟି ଯାଇଛି । ଏହାପରେ ଭାରତ ଏବଂ ସ୍ପେସ ଏଜେନ୍ସି ଇସ୍ରୋ ପାଇଁ ସବୁ ମହଲରୁ ଏପରିକି ପାକିସ୍ତାନରୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ବିକ୍ରମରୁ ବାହାରି ରୋଭର ଚନ୍ଦ୍ରରେ ନିଜ କାର୍ଯ୍ୟ ଆରମ୍ଭ କରି ସାରିଥିବା ବେଳେ ଏବେ ଏହାକୁ ନେଇ ଉଠିଛି ଏକ ପ୍ରଶ୍ନ । କାର୍ଯ୍ୟ ସମାପ୍ତ ପରେ କେଉଁଆଡ଼େ ଯିବ ଚନ୍ଦ୍ରଯାନ-୩?

ତେବେ ଆମେ ଜାଣନ୍ତି ଯେ, ଚନ୍ଦ୍ରରେ ଗୋଟିଏ ଦିନ ପୃଥିବୀର ୧୪ ଦିନ ସମୟ ସହ ସମାନ । ତେଣୁ ଲାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଏକ ଚନ୍ଦ୍ର ଦିବସ ଅର୍ଥାତ୍ ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ଜହ୍ନ ରାଇଜରେ ରହିବେ । ରୋଭର ପ୍ରଜ୍ଞାନ ଚନ୍ଦ୍ରମାରୁ ବିଭିନ୍ନ ତଥ୍ୟ ହାସଲ କରି ଲାଣ୍ଡର ବିକ୍ରମକୁ ପଠାଇବ । ଏହାପରେ ସମସ୍ତ ଡାଟାକୁ ଇସ୍ରୋର ବେଙ୍ଗଲୁରୁ ସ୍ଥିତ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟରକୁ ପଠାଇବ ବିକ୍ରମ । କିନ୍ତୁ ଏହି ୧୪ ଦିନ ପରେ ଚନ୍ଦ୍ରରେ ଅନ୍ଧକାର ଘୋଟିଯିବ । ଏହାପରେ ପୁନର୍ବାର ସୂର୍ଯ୍ୟୋଦୟ ହେବା ପାଇଁ ୧୪ ଦିନ ସମୟ ଲାଗିବ । ତେଣୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅତ୍ୟଧିକ ଥଣ୍ଡା(ପ୍ରାୟ -୩୩୪ ଡିଗ୍ରୀ ସେଲସିୟସ) ଅନୁଭୂତ ହେବ । ତେବେ ସମସ୍ୟା ହେଉଛି ଭାରତ ପଠାଇଥିବା ଲାଣ୍ଡର ବିକ୍ରମ ଏବଂ ପ୍ରଜ୍ଞାନ କେବଳ ଖରାରେ ହିଁ କାମ କରିପାରିବେ, ତେଣୁ ୧୪ ଦିନ ପରେ ବିକ୍ରମ-ପ୍ରଜ୍ଞାନ ନିଷ୍କ୍ରିୟ ହୋଇଯିବେ ।

ଅର୍ଥାତ୍ ଚନ୍ଦ୍ରମାର ସମସ୍ତ ତଥ୍ୟ ସଂଗ୍ରହ କରି ପୃଥିବୀକୁ ପଠାଇବା ପାଇଁ ବିକ୍ରମ ଏବଂ ପ୍ରଜ୍ଞାନ ହାତରେ ମାତ୍ର ୧୪ ଦିନ ବା ଏକ ଚନ୍ଦ୍ରଦିବସ ସମୟ ରହିଛି । ତେବେ ଚନ୍ଦ୍ରରେ ପୁଣିତରେ ସୂର୍ଯ୍ୟୋଦୟ ହେଲେ ବିକ୍ରମ ଏବଂ ପ୍ରଜ୍ଞାନ ଜୀବନଦାପ ପାଇବାର ସମ୍ଭାବନାକୁ ଏଡ଼ାଇ ଦେଇ ନାହାନ୍ତି ଇସ୍ରୋର ବୈଜ୍ଞାନିକ । ଏମିତି ହେଲେ ଭାରତର ‘ମୁନ୍ ମିଶନ୍’ ପାଇଁ ଏକ ବୋନସ୍ ହେବ ବୋଲି କୁହାଯାଇଛି । ତେବେ ଏହି ୧୪ ଦିନ ପରେ ଲାଣ୍ଡର ବିକ୍ରମ ଏବଂ ପ୍ରଜ୍ଞାନ ପୃଥିବୀକୁ ଫେରିବେ ନାହିଁ । କିନ୍ତୁ ଚନ୍ଦ୍ରର ବିଭିନ୍ନ ତଥ୍ୟ ହାସଲ କରି ଇସ୍ରୋ ସେଣ୍ଟରକୁ ପଠାଇବ ଚନ୍ଦ୍ରଯାନ-୩ ।

Get real time updates directly on you device, subscribe now.