fbpx

ଦାଶିଆ ଅଜା: ପାଠାଗାର ଆନ୍ଦୋଳନର ପୁରୋଧାଙ୍କୁ ଝୁରୁଛି ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସେ ଥିଲେ ପାଠାଗାର ଆନ୍ଦୋଳନର ଆଦ୍ୟ ଜନକ । ମହାତ୍ମା ଗାନ୍ଧିଙ୍କ ଆଦର୍ଶରେ ଚାଲୁଥିବା ଦାଶିଆ ଅଜାଙ୍କ ଜୀବନ ଖୁବ୍ ସାଧାସିଧା ଥିଲା । ହସି ହସି ଘୂରି ବୁଲୁଥିଲେ ସାରା ଓଡ଼ିଶା । ବାଣ୍ଟୁଥିଲେ ବାର୍ତ୍ତା- ପୁସ୍ତକ ଓ ତାର ମହତ୍ତ୍ୱ ସମ୍ପର୍କରେ କରୁଥିଲେ ସଚେତନ । ସେହିପରି ନିୟମିତ ଚିଠି ଲେଖି ଭାବର ଆଦାନ ପ୍ରଦାନ କରୁଥିଲେ ଶହଶହ ଓଡ଼ିଶାବାସୀଙ୍କ ସହ । ଏଭଳି ଜଣେ ବିରଳ ବ୍ୟକ୍ତିତ୍ୱ ହେଉଛନ୍ତି ଦାଶିଆ ଅଜା- ଦାଶରଥି ପଟ୍ଟନାୟକ । ନୟାଗଡ଼ ଜିଲ୍ଲାର ଉଦୟପୁରରେ ୧୯୦୭ ଜୁଲାଇ ୧୨ରେ ଭୂମିଷ୍ଠ ହୋଇଥିଲେ ଉତ୍କଳର ଏହି ସୁଯୋଗ୍ୟ ସନ୍ତାନ । ନିଜର ନିଷ୍ଠାପର ଉଦ୍ୟମ ଓ ଅଦ୍ୟମ ସାଧନା ବଳରେ ସେ ନିଜର କୀର୍ତ୍ତି ଛାଡ଼ି ଯାଇଛନ୍ତି । ସବୁଦିନ ଲାଗି ଓଡ଼ିଶାର ସ୍ୱର୍ଣ୍ଣିମ ଇତିହାସରେ ତାଙ୍କ ନାଁ ଲିପିବଦ୍ଧ ରହିବ ଆଉ ପିଢ଼ି ପରେ ପିଢ଼ି ପାଇଁ ସେ ପ୍ରେରଣା ହୋଇ ରହିବେ । ଓଡ଼ିଶାର କଳା ସଂସ୍କୃତି ଓ ସାହିତ୍ୟ ପ୍ରତି ଦାଶିଆ ଅଜାଙ୍କ ଅବଦାନ ଚିରସ୍ମରଣୀୟ । ଗ୍ରାମୀଣ ଅନୁନ୍ନତ ପରିବେଶ, ଅଳ୍ପ ପାଠପଢ଼ା ଆଉ ଆର୍ଥିକ ପ୍ରତିବନ୍ଧକ ସତ୍ତେ୍ୱ ଦାଶିଆ ଅଜା କେବେ ପଛକୁ ଫେରି ଚାହିନଥିଲେ । ଆଜି ତାଙ୍କର ସ୍ୱନକ୍ଷତ୍ର ଅବସରରେ ଓଡ଼ିଶାର ବିଭିନ୍ନ ମହଲରେ ସ୍ମୃତିଚାରଣ କରାଯାଉଛି । ଝୁରୁଛି ଓଡ଼ିଶା ପ୍ରିୟ ‘ଦାଶିଆ ଅଜା’ଙ୍କୁ ।

ନବେଟି ବସନ୍ତ ଅତିବାହିତ କରିଥିବା ସ୍ୱର୍ଗତ ପଟ୍ଟନାୟକ ତାଙ୍କ ଜୀବନକାଳ ମଧ୍ୟରେ ରାଜ୍ୟର ଅନେକ କବି, ଲେଖକ, ପ୍ରଶାସକ ଓ ରାଜନେତା ଆଦି ବୁଦ୍ଧିଜୀବୀଙ୍କ ସହ ସୁସମ୍ପର୍କରେ ରହିଥିଲେ । ଫଳରେ କେତେବେଳେ ସେ ଦାଶରଥି ପଟ୍ଟନାୟକରୁ ସମସ୍ତଙ୍କ ପ୍ରିୟ ‘ଦାଶିଆ ଅଜା’ ପାଲଟିଗଲେ କେହି ଜାଣିପାରିଲେ ନାହିଁ । ସ୍କୁଲ ଶିକ୍ଷକଙ୍କ ପ୍ରେରଣାରେ ସେ ପ୍ରଥମେ ଗୋଟିଏ ଟିଣ ବାକ୍ସରେ ୫ଟି ବହି ରଖି ଆରମ୍ଭ କରିଥିଲେ ଲାଇବ୍ରେରି ବା ପାଠାଗାର । ପିଲାଟିବେଳୁ ଏଭଳି ସୁସଂକେତର ଅୟମାରମ୍ଭ ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ଏକ ବିଶାଳ ଦ୍ରୁମରେ ପରିଣତ ହୋଇଗଲା । ଆଉ ୫ରୁ ୫୦ ହଜାର ପୁସ୍ତକ ସଂଗ୍ରହ କରି ରଖିପାରିଲେ ଦାଶିଆ ଅଜା । ଖାଲି ସେତିକି ନୁହେଁ, ୬୫ ହଜାର ବିଭିନ୍ନ ମାଗାଜିନ୍ ଓ ଅଢ଼େଇ ହଜାର ଖବରକାଗଜ ଆଦି ରହିଛି ଅଜାଙ୍କ ପାଠାଗାରରେ । ଯେଉଁଥିରେ ଅତି ପ୍ରାଚୀନ ଆଉ ବିରଳ ପୁସ୍ତକଆଦି ରହିଛି । ସେହିପରି ବିଶ୍ୱର ବିଭିନ୍ନ ଭାଷାର ପ୍ରତୀକ ପାଠାଗାରରେ ସଂରକ୍ଷିତ । ଖାଲି ସେତିକି ନୁହେଁ ପ୍ରାଚୀନ ଶିଳାଖଣ୍ଡ, ମୂର୍ତ୍ତି ଆଦି ମଧ୍ୟ ରହିଛି ।

ଷଷ୍ଠ ଶ୍ରେଣୀରୁ ପାଠପଢ଼ାରେ ଡୋରି ପଡ଼ିଥିବା ଦାଶିଆ ଅଜା ଏକାକୀ ଏତେବଡ଼ କୀର୍ତ୍ତି ଗଢ଼ି ପାରିଛନ୍ତି । ଆଜି ମଧ୍ୟ ଜନମାନସରେ ସେ ପୂଜିତ ଆଉ ସ୍ମରିତ । ସଶରୀରରେ ନାହାନ୍ତି ଅଜା କିନ୍ତୁ ସେ ଚିର ଉଜ୍ଜୀବୀତ । ୧୯୯୭ରେ ସବୁରି ପ୍ରିୟ ଦାଶିଆ ଅଜା ଦେହତ୍ୟାଗ କରିଥିଲେ । ଆଜି ତାଙ୍କର ପବିତ୍ର ଜନ୍ମଦିନ ଅବସରରେ ଆମ ଓଡ଼ିଶା ଭାସ୍କର ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ବିନମ୍ର ପ୍ରଣାମ ଜଣାଉଛୁ ।

Get real time updates directly on you device, subscribe now.