fbpx
BJD SKY
BJD SKY

ଭାରତକୁ ମିଳିବ ଆଉ ଏକ କରୋନା ନିରୋଧି ସଞ୍ଜିବନୀ, ‘ମଡ଼ର୍ଣ୍ଣା’ ଟିକାକୁ ଡିସିଜିଆଇ ମିଳିଲା ମଞ୍ଜୁରି

BJD

ନୂଆଦିଲ୍ଲୀ,(ଭାସ୍କର ନ୍ୟୁଜ୍) :  ଦେଶବାସୀଙ୍କୁ ମିଳିବାକୁ ଯାଉଛି ଆଉ ଏକ କରୋନା ନିରୋଧି ଟିକା । ଫଳରେ ଭାରତରେ ଏବେ ଚତୁର୍ଥ କରୋନା ଟିକାର ବ୍ୟବହାର ଆରମ୍ଭ ହେବ । ପୂର୍ବରୁ କରୋନା ବିରୋଧୀ ଟିକାକରଣ ପାଇଁ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଟିକା, ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର କୋଭିଶିଲ୍ଡ ଟିକା ଓ ଋଷ୍‌ର କରୋନା ଟିକା ସ୍ପୁଟନିକ୍‌-ଭି ବ୍ୟବହାର କରାଯାଉଥିବା ବେଳେ ଏବେ ଆମେରିକାର ଫାର୍ମା କମ୍ପାନୀ ଦ୍ୱାରା ପ୍ରସ୍ତୁତ ମଡର୍ଣ୍ଣା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଶୁକ୍ରବାର ଡ୍ରଗ୍‌ କଣ୍ଟ୍ରୋଲର୍‌ ଜେନେରାଲଅଫ୍‌ ଇଣ୍ଡିଆ (ଡିସିଜିଆଇ) ମଞ୍ଜୁରି ପ୍ରଦାନ କରିଛନ୍ତି । ଏହାକୁ ମିଶାଇ ଭାରତରେ ୪ଟି ଟିକାକୁ ଜରୁରିକାଳୀନ ମଞ୍ଜୁରି ମିଳିଛି ।

ମୁମ୍ବାଇ ସ୍ଥିତ ସି୍ଲା ଫାର୍ମା କମ୍ପାନୀ ଏହି ମଡର୍ଣ୍ଣା ଟିକାର ଆମଦାନୀ ଓ ମାର୍କେଟିଂ କରିବ ବୋଲି ଜଣାପଡିଛି । ୨ ଡୋଜ୍‌ ବିଶିଷ୍ଟ ମଡର୍ଣ୍ଣା ଟିକା ୧୮ ବର୍ଷରୁ ଊଦ୍ଧ୍ୱର୍ଙ୍କୁ ଦିଆଯାଇପାରିବ ଏବଂ ଏହାର ଉଭୟ ଡୋଜ୍‌ ମଧ୍ୟରେ ବ୍ୟବଧାନ ୨୮ ଦିନ ରହିବ ବୋଲି ସୂଚନା ଦିଆଯାଇଛି । କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଆଖି ଆଗରେ ରଖି ଭାରତରେ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି । ତେଣୁ ଏବେ ଅନେକ କ୍ଷେତ୍ରରେ ଦେଶରେ ଟିକାର ଅଭାବ ଦେଖାଦେଇଛି । ଏହାକୁ ଆଖି ଆଗରେ ରଖି ଆମେରିକାର ମଡର୍ଣ୍ଣା ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିବା ଜଣାପଡ଼ିଛି ।

କରୋନା ବିରୋଧରେ ମଡର୍ଣ୍ଣା ଟିକା ୯୪.୧ ପ୍ରତିଶତ ସଫଳ ବୋଲି ପରୀକ୍ଷଣ ସମୟରେ ଜଣାପଡ଼ିଥିଲା । ମଡର୍ଣ୍ଣା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଆମେରିକା ଫୁଡ୍‌ ଆଣ୍ଡ୍‌ ଡ୍ରଗ ଆଡମିନିଷ୍ଟେସନ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ୧୮-୯୫ ବର୍ଷ ବୟସର ପ୍ରାୟ ୩୦ହଜାର ଲୋକଙ୍କ ଉପରେ କରାଯାଇଥିଲା । ଏହାପରେ ଡିସେମ୍ବର, ୨୦୨୦ରେ ଆମେରିକା ଏହି ଟିକାର ବ୍ୟବହାର ପାଇଁ ଅନୁମତି ଦେଇଥିଲା ।

ପ୍ରକାଶଯୋଗ୍ୟ, ଜୁନ୍‌ ପହିଲାରେ ଡିସିଜିଆଇ ବିଦେଶୀ ଟିକା ପାଇଁ ମଞ୍ଜୁରି ନିୟମରେ କୋହଳ କରିଥିଲା । ଡିସିଜିଆଇ ଦର୍ଶାଇଥିଲା ଯେ ଯଦି କୌଣସି ଟିକାକୁ ଆମେରିକା, ୟୁରୋପ, ୟୁକେ, ଜାପାନ କିମ୍ବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନରୁ ମଞ୍ଜୁରି ମିଳିଥାଏ ତେବେ ସେହି ଟିକାକୁ ଭାରତରେ ପରୀକ୍ଷଣ କରିବାର ଆବଶ୍ୟକତା ନାହିଁ ।

Get real time updates directly on you device, subscribe now.