ଦିଲ୍ଲୀ ବିଧାନସଭା ନିର୍ବାଚନ: କେଜରିୱାଲଙ୍କ ପାଇଁ ଚ୍ୟାଲେଞ୍ଜିଂ ହୋଇପାରେ ବିରୋଧୀଙ୍କ ସହ ମୁକାବିଲା, ଜାଣନ୍ତୁ କ’ଣ ରହିଛି ଟର୍ଣ୍ଣିଂପଏଣ୍ଟ

ଆପ୍ ପ୍ରମୁଖ ଅରବିନ୍ଦ କେଜରିୱାଲଙ୍କ ପାଇଁ ଟର୍ଣ୍ଣିଂପଏଣ୍ଟ ସାଜିପାରେ ଏହି ସବୁ ପ୍ରସଙ୍ଗ। ନିର୍ବାଚନ ହାର- ଜିତକୁ ନେଇ ବିରୋଧୀଙ୍କ ସହ ଲାଗି ରହିଛି ଛକାପଞ୍ଝା।

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ଆରୋପ- ପ୍ରତ୍ୟାରୋପ ପର୍ବ ଆରମ୍ଭ ହୋଇସାରିଛି ।

ଗୋଟିଏ ପଟେ ଆପ୍ ଦିଲ୍ଲୀରେ ହ୍ୟାଟ୍ରିିକ୍ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟପଟେ ବିଜେପି କ୍ଷମତା ବିରୋଧୀ ଲହର ଏବଂ ଦୁର୍ନୀତି ଅଭିଯୋଗକୁ ଆଧାର କରି ଆପକୁ ଟାର୍ଗେଟ କରିବା ରଣନୀତି ଆପଣାଇଛି ।

ନିମ୍ନଲିଖିତ ପ୍ରସଙ୍ଗ କେଜରିୱାଲଙ୍କ ବିଜୟ ଏବଂ ପରାଜୟ ସ୍ଥିର କରିବାରେ ସହାୟକ ହୋଇପାରେ ।

ଆପ୍ ଶକ୍ତି:

– ଦିଲ୍ଲୀର ସରକାରୀ ସ୍କୁଲରେ ପାଠପଢ଼ା ସହ ବିଭିନ୍ନ କାର୍ଯ୍ୟକଳାପ ଆୟୋଜନ କରିବା, କମ୍ୟୁନିଟି କ୍ଲିନିକ୍ ଏବଂ ମାଗଣା ବିଦ୍ୟୁତ ସେବା, ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ତୀର୍ଥ ଯାତ୍ରୀ ସୁବିଧା ଆପର ଯୋଜନା ଏବଂ କାର୍ଯ୍ୟକ୍ରମରେ ସାମିଲ ରହିଛି ।

– ମହିଳାଙ୍କୁ ମାସିକ ୨୧୦୦ ଟଙ୍କା, ବୟସ୍କଙ୍କ ପାଇଁ ମାଗଣା ଚିକିତ୍ସା, ଅଟୋ ଚାଳକଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ପ୍ରଦାନ କରିବା ଭଳି ଯୋଜନାର ଘୋଷଣା ହୋଇଛି ।

– ‘ରେୱଡ଼ି ପର ଚର୍ଚ୍ଚା’ ଅଭିଯାନ ମାଧ୍ୟମରେ ପ୍ରତି ଭୋଟରଙ୍କ ଘରେ ପହଞ୍ଚିବା । ଆପ୍ ସରକାରର କାର୍ଯ୍ୟ ବିଷୟରେ ସାଧାରଣ ଜନତାଙ୍କୁ ବାରମ୍ବାର ମନେପକାଇବା ।

ଆପର ଦୁର୍ବଳତା:

– ୧୦ ବର୍ଷ ଧରି ଆପ୍ ସରକାର ନିଜ ସ୍ଥିତି ବଜାୟ ରଖିଥିବାରୁ ସତ୍ତା ବିରୋଧୀ ଲହରୀରେ ବୃଦ୍ଧି ଦେଖାଦେଇଛି ।

ଅନେକ ଭୋଟର ପରିବର୍ତ୍ତନର ଆବଶ୍ୟକତାକୁ ଅନୁଭବ କରୁଛନ୍ତି । ଏହା କେଜରିୱାଲଙ୍କ ବିଜୟ ସମ୍ଭାବନାକୁ ପ୍ରଭାବିତ କରିପାରେ ।

– ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ ସମେତ ଦଳର ଅନ୍ୟ ପ୍ରମୁଖ ନେତା ଭ୍ରଷ୍ଟାଚାର ଅଭିଯୋଗରେ ଗିରଫ ହୋଇଛନ୍ତି । ଏହା ଦଳର ଛବି ମଳିନ କରିଛି ।

ଦଳଗତ କନ୍ଦଳ ଯୋଗୁ ମଧ୍ୟ ଅନେକ ନେତା ଦଳ ଛାଡ଼ିଛନ୍ତି ଯାହା ସାଧାରଣ ଜନତାଙ୍କ ଉପରେ ପ୍ରଭାବ ପକାଇପାରେ ।

– ‘ଶୀଶ୍ ମହଲ’ବିବାଦକୁ ନେଇ କେଜରିୱାଲଙ୍କ ଭାବମୂର୍ତ୍ତିକୁ ନଷ୍ଟ କରିଦେଇଛି । ଆପ୍ ବିରୋଧରେ ଅଭିଯାନକୁ ଆଗକୁ ନେବା ପାଇଁ ବିଜେପି ଏହାକୁ ଅସ୍ତ୍ର ଭାବେ ବ୍ୟବହାର କରୁଛି ।

ଆପ୍ ପାଇଁ ସୁଯୋଗ:

– ଏହି ନିର୍ବାଚନ ‘ଆପ୍‌’କୁ ଭୋଟରଙ୍କ ସହ ପୁନଃ ଯୋଡ଼ି ରହିବା ପାଇଁ ଏକ ସୁଯୋଗ ।

ଆପର ସଫଳତା ଉପରେ ଆଲୋକପାତ କରିବା, ବର୍ତ୍ତମାନ ନେତାଙ୍କ ଟିକେଟ୍ କାଟି ନୂଆ ଚେହେରାଙ୍କୁ ସୁଯୋଗ ଦେବା ଏବଂ ସ୍ଥିତି ସହ ପରିବର୍ତ୍ତନଶୀଳ ହେବା ଦଳ ସପକ୍ଷରେ ଯାଇପାରେ ।

– ସ୍ଥାନୀୟ ଶାସନ ମଡେଲଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରିବା, ଜାତୀୟ ସ୍ତରୀୟ ବିଫଳ ମେଣ୍ଟରୁ ନିଜକୁ ଦୂରେଇ ରଖିବା, ଦଳ ଭୋଟରଙ୍କ ପୁନଃ ବିଶ୍ୱାସ ଜିତିବା ଏବଂ ଦିଲ୍ଲୀରେ ରାଜନୈତିକ ଶକ୍ତି ଭାବେ ପୁନଃ ନିଜକୁ ପ୍ରତିଷ୍ଠିତ କରିବା ।

– କେଜରିୱାଲଙ୍କ ପାଖରେ ଦଳର ଆଭ୍ୟନ୍ତରୀଣ ଦୁର୍ବଳତାକୁ ହଟାଇବା ଏବଂ ବାହ୍ୟ ବିପଦର ମୁକାବିଲା କରିବାର ସୁଯୋଗ ରହିଛି ।

ଏଥିରେ ସଫଳ ହେଲେ ସେ ଜାତୀୟ ସ୍ତରରେ ଜଣେ ସଫଳ ନେତା ଭାବେ ଉଭା ହେବେ ।

ଆପ୍ ପାଇଁ ବିପଦ:

– ବିଜେପି ପ୍ରଧାନମନ୍ତ୍ରୀଙ୍କ ସହ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ଦଳର ଷ୍ଟାର ପ୍ରଚାରକ ଏବଂ ଆପ୍‌(ଦା) ଭଳି ସ୍ଲୋଗାନ ବ୍ୟବହାର କରିବା ଆପ୍ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ ।

ବିଜେପିର ଆକ୍ରମଣାତ୍ମକ ପ୍ରଚାର ଆପ୍ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିପାରେ ।

– ଆପ୍ ନେତାଙ୍କ ଉପରେ ଭ୍ରଷ୍ଟାଚାର ଅଭିଯୋଗ, ଖଏ କାର୍ଯ୍ୟାଳୟ ବିବାଦ ଭଳି ଅନ୍ୟାନ୍ୟ ପ୍ରସଙ୍ଗ ଦଳର ବିଶ୍ୱସନୀୟତାକୁ କ୍ଷତି ପହଞ୍ଚାଇପାରେ ।

ଫଳରେ ଆପ୍ ଉପରୁ ଲୋକଙ୍କ ବିଶ୍ୱାସ ହ୍ରାସ ହେବାର ସମ୍ଭାବନା ରହିଛି ।