fbpx

ଆଗେଇ ପାରୁନି ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ: ପାଠପଢ଼ାକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ

କେନ୍ଦୁଝର(ଓଡ଼ିଶା ଭାସ୍କର): କେନ୍ଦୁଝର ଜିଲ୍ଲା ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟରେ ଅହେତୁକୁ ବିଳମ୍ବ ଘଟୁଛି । ଫଳରେ ଛାତ୍ରଛାତ୍ରୀଙ୍କର ପାଠପଢ଼ା ବ୍ୟାହତ ହେଉଥିବାରୁ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ଓ ସ୍ଥାନୀୟ ବିଧାୟକ । ୨୦୧୬ ମସିହାରେ ମେଡିକାଲ କଲେଜ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଫଳରେ ଜିଲ୍ଲାର ନିଜସ୍ୱ ପାଣ୍ଠିରୁ ପାଖାପାଖି ୪୦୦ କୋଟି ଖର୍ଚ୍ଚ କରାଯାଇ ମେଡିକାଲ କାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ କାର୍ଯ୍ୟ ୨୦୧୯ରେ ସମାପ୍ତ ହେବାର ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ସରିନାହିଁ । ଏହି ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଜିଲ୍ଲାପାଳ ଓ ଠିକାଦାର ଆଲୋଚନା କରିଥିଲେ ହେଁ କୌଣସି ସୁଫଳ ମିଳିନଥିବା ଜଣାପଡ଼ିଛି ।

ଆସନ୍ତା ଶିକ୍ଷାବର୍ଷରୁ ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବା ନେଇ ଗତ ଫେବୃଆରୀ ମାସରେ ଜିଲ୍ଲା ଗସ୍ତରେ ଆସିଥିବା ମୁଖ୍ୟ ଶାସନ ସଚିବ କହିଥିଲେ । ମାତ୍ର ତାଙ୍କର ଘୋଷଣା ଏବେ ପାଣିର ଗାର ହୋଇଯାଇଛି । ତେବେ ପାଠପଢ଼ା ଆରମ୍ଭ ନେଇ ପ୍ରୟାସ ଜାରି ରହିଥିବା କହିଛନ୍ତି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଫୁଲ୍ଲ ମଲ୍ଲିକ । ଏନେଇ ଖଣି ମନ୍ତ୍ରୀ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ମଲ୍ଲିକଙ୍କ ନେତୃତ୍ୱରେ ବିଧାୟକ, ସାଂସଦଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦରବାର ହଲରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବାରବାର ତାଗିଦ କରିବା ପରେ ମଧ୍ୟ କାର୍ଯ୍ୟ ଆଗକୁ ଯାଉନଥିବା ନେଇ ବିଧାୟକମାନେ କ୍ଷୋଭ ପ୍ରକାଶ କରିଥିଲେ । ତେଣୁ ଠିକାଦାରଙ୍କୁ କଳାତାଲିକାଭୁକ୍ତ କରାଯାଇଥିବା ନେଇ କହିଥିଲେ ସଦର ବିଧାୟକ ମୋହନ ମାଝି । ଅନ୍ୟପକ୍ଷରେ ଠିକାଦାରଙ୍କ ସପକ୍ଷରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୁକ୍ତି ବାଢ଼ିଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.