fbpx

ନବ ଦାସଙ୍କ ହତ୍ୟା ପଛରେ ଦିଲ୍ଲୀ ଲିଙ୍କ? କିଏ ସେହି ପ୍ରଭାବଶାଳୀ, ସାମ୍ନାକୁ ଆସିଲା ବଡ଼ ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ଏହା ମଧ୍ୟରେ ୧୩ ଦିନ ବିତିଗଲାଣି । ଗତମାସ ୨୯ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗସ୍ତରେ ଯାଇଥିବା ସମୟରେ ଏକ କାର୍ଯ୍ୟକ୍ରମ ଅବସରରେ ନବଙ୍କୁ ଏଏସଆଇ ଗୋପାଳ ଦାସ ଗୁଳି କରି ହତ୍ୟା କରିଥିଲେ । ତେବେ ଏହା ମଧ୍ୟରେ ଗୋପାଳକୁ ରିମାଣ୍ଡରେ ଅଣାଯାଇ ପଚରାଉଚରା କରାଯିବା ସହ ଆଜି ଗୁଜରାଟର ଗାନ୍ଧିନଗର ଲ୍ୟାବରେ ତାଙ୍କର ନାର୍କୋ ଟେଷ୍ଟ କରାଯାଇଛି ।

ତେବେ ନବଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ରାଜନୈତିକ ମହଲ ମଧ୍ୟ ସରଗରମ୍ ହୋଇଉଠିଛି । ବିରୋଧୀ ବିଜେପି ସିବିଆଇ ତଦନ୍ତ ଦାବି କରିଥିବା କଂଗ୍ରେସ ଏସଆଇଟି ତଦନ୍ତ ଦାବି କରିଥିଲା । ଏପରିକି ଏହି ହତ୍ୟା ପଛରେ ବିଜେପି ଦଳର ଜଣେ ନେତାଙ୍କର ହାତ ରହିଥିବା ବିଜେଡିର ଜଣେ ନେତା ଖୋଲାଖୋଲି ଅଭିଯୋଗ କରିଛନ୍ତି । ନବଙ୍କ ହତ୍ୟା ଏକ ସାଧାରଣ ହତ୍ୟା ନୁହେଁ, ଏହା ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ହତ୍ୟା ବୋଲି ସେ ଅଭିଯୋଗ କରିଛନ୍ତି । ସେହିପରି ନବଙ୍କ ହତ୍ୟା ପଛରେ ବିଜେଡିର ଜଣେ ଉପକୂବର୍ତ୍ତୀ ଅଞ୍ଚଳର ନେତାଙ୍କ ହାତ ଥିବା ନେଇ ଖୋଲାଖୋଲି ଭାବେ ଗଣମାଧ୍ୟମରେ ମନ୍ତବ୍ୟ ଦେଇଛନ୍ତି ବିଜେପିର ଜଣେ ନେତା ।

ତେବେ ଏହା ମଧ୍ୟରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଅବଶ୍ୟ ଏହି ତଥ୍ୟ କେତେଦୂର ସତ୍ୟ ତାହା କହିହେବ ନାହିଁ । ହତ୍ୟା ପୂର୍ବରୁ ନବ ଦିଲ୍ଲୀ ଗସ୍ତ କରିଥିଲେ । ତେବେ ଗୋପାଳଙ୍କୁ କାହିଁକି ଗୁଜରାଟ ନାର୍କୋ ଟେଷ୍ଟ ପାଇଁ ନିଆଗଲା ସେନେଇ ପ୍ରଶ୍ନ ଉଠିଛି । ଏହି ହତ୍ୟା ପଛରେ ରାଜ୍ୟର ଜଣେ ପ୍ରଭାବଶାଳୀ ନେତା ଓ ଜଣେ ପ୍ରଶାସନିକ ଅଧିକାରୀଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହେଉଛି । କୁହାଯାଉଛି ନବ ଦିଲ୍ଲୀ ଗସ୍ତରେ ଥିବାବେଳେ ଦୁଇଜଣ କେନ୍ଦ୍ରମନ୍ତ୍ରୀଙ୍କ ସହିତ ତାଙ୍କର ବଚସା ହୋଇଥିଲା । ତେବେ ସେହି ସମୟରେ ନବଙ୍କ ବ୍ୟବସାୟକୁ ନେଇ କିଛି ବିଷୟରେ ଆଲୋଚନା ହୋଇଥିବା କୁହାଯାଉଛି । ମାତ୍ର ଏନେଇ କିଛି ପ୍ରମାଣ ସାମ୍ନାକୁ ଆସିନାହିଁ । ତେଣୁ ନବଙ୍କର ଦିଲ୍ଲୀ ଗସ୍ତର ଫୋନ୍ କଲ ଯାଞ୍ଚ କରିବାକୁ ମଧ୍ୟ ଦାବି ହେଲାଣି । ଆଗାମୀ ଦିନରେ ଏନେଇ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ ।

Get real time updates directly on you device, subscribe now.