fbpx

ଚାଉଳ ଭାରତର ଖାଦ୍ୟ ସୁରକ୍ଷାର ମୁଖ୍ୟ ଆଧାର: ଦ୍ୱିତୀୟ ଭାରତୀୟ ରାଇସ୍ କଂଗ୍ରେସକୁ ଉଦଘାଟନ କଲେ ରାଷ୍ଟ୍ରପତି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଗତକାଲି ପ୍ରଥମ ଦିନରେ ସେ ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ । ଆଜି ସକାଳ ୯ଟାରେ ସେ ରାଜଭବନରୁ ବାହାରି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ । ଏହାପରେ ରାଷ୍ଟ୍ରପତି କଟକ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ର (ସିଆରଆରଆଇ)ଠାରେ ଦ୍ୱିତୀୟ ଇଣ୍ଡିଆନ୍ ରାଇସ୍ କଂଗ୍ରେସକୁ ଉଦଘାଟନ କରିଛନ୍ତି ।

ଦ୍ୱିତୀୟ ଇଣ୍ଡିଆନ ରାଇସ୍ କଂଗ୍ରେସକୁ ଉଦଘାଟନ କରିବା ଅବସରରେ ରାଷ୍ଟ୍ରପତି କହିଛନ୍ତି, ଚାଉଳ ଭାରତର ଖାଦ୍ୟ ସୁରକ୍ଷାର ମୁଖ୍ୟ ଆଧାର ଓ ଏହା ଆମ ଅର୍ଥ ବ୍ୟବସ୍ଥାର ଏକ ପ୍ରମୁଖ ଅଙ୍ଗ । ଆଜି ଭାରତ ଚାଉଳର ଏକ ପ୍ରମୁଖ ଉପଭୋକ୍ତା ଓ ଏକ ବଡ଼ ରପ୍ତାନିକାରୀ ରାଷ୍ଟ୍ର । ଦେଶ ସ୍ୱାଧିନତା ଲାଭ କରିବା ସମୟରେ ଆମର ପରିସ୍ଥିତି ଅଲଗା ଥିଲା । ସେତେବେଳେ ଦେଶ ନିଜର ଖାଦ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ଅନ୍ୟ ରାଷ୍ଟ୍ର ଉପରେ ନିର୍ଭର କରୁଥିଲା । ଅଧିକାଂଶ ସମୟରେ ଆମକୁ ପେଟପୂରା ଖାଇବାକୁ ମିଳୁନଥିଲା ।

ଦେଶବାସୀ ଚାଉଳର ପୋଷକ ତତ୍ତ୍ୱ ବିଷୟରେ ଚିନ୍ତା କରିବାର ସମୟ ଆସିଯାଇଛି । କମ୍ ଆୟ ବର୍ଗର ବହୁ ସଂଖ୍ୟକ ଲୋକ ଖାଦ୍ୟ ପାଇଁ ଚାଉଳ ଉପରେ ନିର୍ଭର କରୁଛନ୍ତି । ଏହା ସେମାନଙ୍କର ଦୈନନ୍ଦିନ ଜୀବନର ଏକମାତ୍ର ଉତ୍ସ । ତେଣୁ ଚାଉଳ ମାଧ୍ୟମରେ ପ୍ରୋଟିନ, ଭିଟାମିନ ଓ ଅନ୍ୟ ଆବଶ୍ୟକ ପୋଷକ ତତ୍ତ୍ୱ ଯୋଗାଇ ଦେଇ ପାରିଲେ ସେମାନଙ୍କର ଅନେକ ସମସ୍ୟା ଦୂର ହୋଇ ପାରିବ । ସିଆରଆରଆଇ ଭାରତର ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଏକ ବ୍ୟାପକ ଯୋଗଦାନ କରିଛି । ଏହି ଅନୁଷ୍ଠାନ ଚାଷୀଙ୍କ ଜୀବନରେ ଅନେକ ସୁଧାର ଆଣିବାରେ ସକ୍ଷମ ହୋଇପାରିଛି । ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଥିବା ବେଳେ ଭାରତର ଜନସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ତେଣୁ ଏହି ଜନସମୁଦାୟଙ୍କ ଆବଶ୍ୟକତା ପୂରଣ ନେଇ ଅଧିକ ପ୍ରୟାସ କରାଯିବା ଦରକାର । ଦେଶର ବୈଜ୍ଞାନିକମାନେ ଏହି ସମସ୍ୟାକୁ ସମାଧାନ କରିବା ଦିଗରେ ସଫଳ ହେବେ ବୋଲି ଆମର ବିଶ୍ୱାସ ରହିଛି ।

Get real time updates directly on you device, subscribe now.