fbpx
BJD
BJD SKY
BJD SKY

୨୦୨୬ରେ କେତେ ହେବ ଓଡ଼ିଶାର ବିଧାନସଭା ଓ ଦେଶର ଲୋକସଭା ଆସନ ଆସନ ସଂଖ୍ୟା ?

ଭୁବନେଶ୍ୱର: ମହିଳା ସଂରକ୍ଷଣ ବିଲ ସଂସଦରେ ପାସ ହୋଇଛି । ଏହି ବିଲ୍ ଆଇନରେ ପରିଣତ ହେବା ପରେ ଦେଶର ସଂସଦ ଓ ରାଜ୍ୟ ବିଧାନସଭା ଗୁଡ଼ିକରେ ମହିଳାଙ୍କ ପ୍ରତିନିଧିତ୍ୱ ବଢିବ । କିନ୍ତୁ ଏଥିପାଇଁ ଆମକୁ ୨୦୨୯ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । କାରଣ ଜନଗଣନା ଓ ପରିସୀମନ ଅର୍ଥାତ୍ ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ନିର୍ଦ୍ଧାରଣ ପରେ ହିଁ ଲୋକସଭା ଓ ବିଧାନସଭାଗୁଡ଼ିକରେ ମହିଳା ସଂରକ୍ଷଣ ଲାଗୁ ହୋଇପାରିବ । ଲୋକସଭାରେ ମହିଳା ସଂରକ୍ଷଣ ବିଲ ଉପରେ ବିତର୍କ ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ୨୦୨୪ ସାଧାରଣ ନିର୍ବାଚନ ପରେ ଦେଶରେ ଜନଗଣନା କରାଯିବ ଓ ତାପରେ ପରିସୀମନ କରାଯିବ । ଏହି ପରିସୀମନ ପରେ ହିଁ ଦେଶର ଲୋକସଭାର ଆସନ ସଂଖ୍ୟା ବୃଦ୍ଧି ପାଇବ । ଏଣୁ ଏଠାରେ ପ୍ରଶ୍ନ ଉଠୁଛି ଓଡ଼ିଶାର ଲୋକସଭା ଆସନ ସଂଖ୍ୟା କେତେ ହେବ ? ପୁଣି ବିଧାନସଭା ଆସନ ସଂଖ୍ୟା କେତେ ହେବ ?

ଏନଡିଟିଭିର ଏକ ରିପୋର୍ଟ ଅନୁସାରେ, ୨୦୨୬ରେ ଦେଶର ଅନୁମାନିକ ଜନସଂଖ୍ୟା ୧୪୨ କୋଟି ୧୯ ଲକ୍ଷରେ ପହଞ୍ଚିବ । ବର୍ଦ୍ଧିତ ଲୋକସଂଖ୍ୟା ଅନୁସାରେ ହିଁ ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ନିର୍ଦ୍ଧାରଣ ହେବ । ୨୦୧୯ରେ ଦେଶର ମୋଟ ଲୋକସଂଖ୍ୟା ଓ ଲୋକସଭାର ୫୪୩ ଆସନର ଅନୁପାତକୁ ଦେଖିଲେ ଜଣାପଡ଼େ ଯେ ହାରାହାରି ପ୍ରତି ୧୮ ଲକ୍ଷ ଜନସଂଖ୍ୟାରେ ଗୋଟିଏ ଲୋକସଭା ଆସନ ଥିଲା । ୨୦୨୬ର ଆନୁମାନିକ ଜନସଂଖ୍ୟା ଅନୁସାରେ ତାହା ୨୬ ଲକ୍ଷକୁ ବୃଦ୍ଧି ପାଇବ । ୨୦୦୧ରୁ ୨୦୨୬ ମଧ୍ୟରେ ଜନସଂଖ୍ୟାରେ ୩୮.୫ ପ୍ରତିଶତ ପରିବର୍ତ୍ତନ ହେବା ଅଟକଳ କରାଯାଉଛି । ଯଦି ଜନସଂଖ୍ୟାରେ ଏହି ପରିବର୍ତ୍ତନକୁ ଆସନରେ ପରିଣତ କରାଯାଏ, ତେବେ ମୋଟ ଆସନ ସଂଖ୍ୟା ୨୧୦ ସିଟ୍ ବୃଦ୍ଧି ପାଇବ ଅର୍ଥାତ୍ ୨୦୨୬ରେ ଲୋକସଭା ଆସନ ସଂଖ୍ୟା ୭୫୩କୁ ବୃଦ୍ଧି ପାଇବ । କିନ୍ତୁ ଏହି ଆସନ ସଂଖ୍ୟା ବୃଦ୍ଧି ଦ୍ୱାରା ସବୁଠାରୁ ଅଧିକ ଲାଭବାନ ହେବେ ଉତ୍ତର-ଭାରତର ରାଜ୍ୟ । କେବଳ ଉତ୍ତରପ୍ରଦେଶର ଆସନସଂଖ୍ୟା ୪୮ଟି ବୃଦ୍ଧି ପାଇ ୧୨୮ରେ ପହଞ୍ଚିବ । ସେହିପରି ବିହାର ୩୦ଟି ଓ ମଧ୍ୟପ୍ରଦେଶ ୧୮ଟି ନୂଆ ଆସନ ପାଇବେ । କିନ୍ତୁ କେରଳର ଆସନ ସଂଖ୍ୟା ୨୦ରୁ ୧୯କୁ କମିଯିବ । ଆନ୍ଧ୍ରପ୍ରଦେଶର ଲୋକସଭା ଆସନ ସଂଖ୍ୟା ୨୫ରୁ ୨୮କୁ ଓ ତେଲେଙ୍ଗାନାର ଆସନ ସଂଖ୍ୟା ୩୯ରୁ ୪୧କୁ ବୃଦ୍ଧି ପାଇବ ।
ଏଠାରେ ପ୍ରଶ୍ନ ଉଠେ ଓଡ଼ିଶାର ଲୋକସଭା ଆସନ ସଂଖ୍ୟା କେତେ ହେବ ? ଏନଡିଟଭି ରିପୋର୍ଟ ଅନୁସାରେ ଓଡ଼ିଶାର ଲୋକସଭା ଆସନସଂଖ୍ୟା ୨୪କୁ ବୃଦ୍ଧି ପାଇବ, ଅର୍ଥାତ ବର୍ତ୍ତମାନ ତୁଳନାରେ ମାତ୍ର ୩ଟି ବଢିବ । ପୁଣି ଓଡ଼ିଶାରେ ଏବେ ୧୪୭ଟି ବିଧାନସଭା ଆସନ ରହିଛି, ଅର୍ଥାତ ପ୍ରତି ଲୋକସଭା ଆସନ ଅଧିନରେ ହାରାହାରି ୭ଟି ବିଧାନସଭା ଆସନ ରହିଛି । ଏଣୁ ଏହି ହିସାବ ଅନୁସାରେ ଯଦି ଆମ ଲୋକସଭା ଆସନ ସଂଖ୍ୟା ୨୪କୁ ବୃଦ୍ଧି ପାଏ, ସେହି ଅନୁପାତରେ ବିଧାନସଭା ଆସନ ସଂଖ୍ୟା ୧୬୮କୁ ବୃଦ୍ଧି ପାଇବ । ଅର୍ଥାତ ୨୧ଟି ନୂଆ ବିଧାନସଭା ଆସନ ସୃଷ୍ଟି ହେବ ।

କିନ୍ତୁ ଆମେରିକାର କାର୍ନେଗୀ ଏଣ୍ଡୋମେଣ୍ଟ ଫର ଇଣ୍ଟରନ୍ୟାସନାଲ ପିସର ଏକ ରିପୋର୍ଟ ଏକ ଭିନ୍ନ ପୂର୍ବାନୁମାନ କରିଛି । ଏହି ରିପୋର୍ଟ ଅନୁସାରେ ୨୦୨୬ରେ ୪ଟି ପ୍ରମୁଖ ଉତ୍ତରଭାରତୀୟ ରାଜ୍ୟ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଓ ରାଜସ୍ଥାନ ମିଳିତଭାବେ ୩୭ ଟି ଅଧିକ ଆସନ ପାଇବେ । କିନ୍ତୁ ୫ଟି ଦକ୍ଷିଣ-ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ, କର୍ଣ୍ଣାଟକ ଓ ତାମିଲନାଡୁ ମିଳିତଭାବେ ୨୪ଟି ଆସନ ହରାଇବେ । ଏହି ରିପୋର୍ଟ ଅନୁସାରେ ଓଡ଼ିଶାର ଲୋକସଭା ଆସନ ସଂଖ୍ୟା ବର୍ତ୍ତମାନର ୨୧ରୁ ୧୮କୁ ହ୍ରାସ ପାଇବ । ଯଦି ଏହା ହୁଏ କଣ ବିଧାନସଭା ଆସନ ସଂଖ୍ୟା ୧୨୬କୁ କମିବ ?

Get real time updates directly on you device, subscribe now.