fbpx

ଟ୍ରେନର ଜେନେରାଲ କୋଚ୍‌ରେ ମହିଳା କଲେ ସନ୍ତାନ ପ୍ରସବ, ଶିଶୁର ନାମକରଣ କରିଦେଲେ ଯାତ୍ରୀ

ନୂଆଦିଲ୍ଲୀ: ନାସିକରୁ ନିଜ ଘର ସତନା ଫେରୁଥିବା ଗର୍ଭବତୀ ମହିଳା ମୁମ୍ବାଇ ବାରଣାସୀ କାମାୟନୀ ଏକ୍ସପ୍ରେସ୍‌ରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ଚଳନ୍ତା ଟ୍ରେନ୍‌ରେ ରାସ୍ତା ମଝିରେ ତାଙ୍କର ପ୍ରସବ ହୋଇଛି । ସବୁଠାରୁ ବଡ କଥା ହେଉଛି ମହିଳାଙ୍କ ଡେଲିଭରୀ ସମୟରେ ସେଠାରେ ଥିବା ଅନ୍ୟ ମହିଳାମାନେ ଗର୍ଭବତୀଙ୍କ ସହାୟତା କରିଥିଲେ ।

ମିଳିଥିବା ସୂଚନା ଅନୁସାରେ କୃଷ୍ଣ ମୁରାରୀ ରାୱତ ନାସିକରେ ମିସ୍ତ୍ରୀ ଭାବରେ କାମ କରନ୍ତି । ସେ ପତ୍ନୀ ରେଶମାଙ୍କ ସହ କାମାୟନୀ ଏକ୍ସପ୍ରେସ୍‌ର ଜେନେରାଲ୍ କୋଚ୍‌ରେ ସତନା ଫେରୁଥିଲେ । ଏହାରି ମଧ୍ୟରେ ରାତି ୩ଟା ସମୟରେ ଇଟାରସୀ ଷ୍ଟେସନ ପରେ ରେଶମାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା । ତେବେ ଭୋପାଳ ପହଞ୍ଚିବା ପୂର୍ବରୁ ତାଙ୍କ ପ୍ରସବ ଯନ୍ତ୍ରଣା ଏତେ ବଢିଯାଇଥିଲା ଯେ, ଭୋପାଳ –ବିଦିଶା ମଧ୍ୟରେ ଚଳନ୍ତା ଟ୍ରେନ୍‌ରେ ତାଙ୍କୁ ଡେଲିଭରୀ କରାଇବାକୁ ପଡିଥିଲା । ମହିଳାଙ୍କ ଯନ୍ତ୍ରଣାକୁ ଦେଖି କୋଚ୍‌ର ଅନ୍ୟ ମହିଳାମାନେ ତାଙ୍କୁ ବଗିର ଗୋଟିଏ କୋଣକୁ ନେଇଯାଇ ପ୍ରସବ କରାଇଥିଲେ ।

ମହିଳା ଜଣକ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଭୋର ୫ଟା ସମୟରେ କୋଚ୍‌ରେ ଯାତ୍ରା କରୁଥିବା ଜଣେ ଯୁବକ ମହିଳାଙ୍କ ପ୍ରସବ ସମ୍ବନ୍ଧିତ ସୂଚନା ଆରପିଏଫ୍‌କୁ ଦେଇଥିଲେ । ଏହାପରେ ବିଦିଶା ଷ୍ଟେସନରେ ୧୦୮ ଆମ୍ବୁଲାନ୍ସକୁ ଡକାଯାଇ ମହିଳାଙ୍କୁ ହସ୍ପିଟାଲ ପଠାଯାଇଥିଲା । ତେବେ ଟ୍ରେନରେ ଶିଶୁର ଜନ୍ମ ପରେ ସମସ୍ତ ଯାତ୍ରୀ କୃଷ୍ଣ ମୁରାରୀ ଓ ତାଙ୍କ ପତ୍ନୀଙ୍କୁ ଶୁଭେଚ୍ଛା ଦେଇଥିଲେ । ଏହା ସହିତ ଟ୍ରେନର ନାମ କାମାୟନୀ ହୋଇଥିବାରୁ ସେହି ଅନୁସାରେ କନ୍ୟାର ନାମ କାମାୟନୀ ରଖିଦେଇଥିଲେ । ଏଠାରେ ସୂଚାଇ ଦିଆଯାଇପାରେ କି ମହାନ୍ ସାହିତ୍ୟକାର ଜୟଶଙ୍କର ପ୍ରସାଦଙ୍କ ମହାକାବ୍ୟ କାମାୟନୀ ନାମରେ ଏହି ଟ୍ରେନର ଏପରି ନାମକରଣ ହୋଇଛି ।

Get real time updates directly on you device, subscribe now.