ବଙ୍ଗୋପସାଗରରେ ଅବପାତ; ଭିଜୁଛି ଓଡ଼ିଶା, ଆହୁରି ୨୪ ଘଣ୍ଟା ଏମିତି ରହିବ ବର୍ଷା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ। ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ଝିପିଝିପି ବର୍ଷା । ବଙ୍ଗୋପସାଗରରେ ଥିବା ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେଇଛି। ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳ ଉପରେ ରହିଛି। ୨୪ ଘଣ୍ଟା ଯାଏଁ ଉତ୍ତର-ପୂର୍ବ ମୁହାଁ ହେବ ଅବପାତ । ଏହାର ପ୍ରଭାବରେ ରାଜ୍ୟରେ ଗତକାଲିଠୁ ବର୍ଷା ସହ ଜାରି ରହିଛି ଶୀତର ଲହରୀ। ପାଗ କୋହଲା ଓ ମେଘୁଆ ରହିବ। କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ହେଉଛି। ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟରେ ପାଗ ଏମିତି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ବଡ଼ ବର୍ଷା ସମ୍ଭାବନା କମ୍ ରହିଛି। ମାତ୍ର ଯେତିକି ବି ବର୍ଷା ହେବ। ତାହାକୁ ନେଇ ଚାଷୀ ମନରେ ଆଶଙ୍କା ବଢିଛି। ବିଶେଷକରି ଉପକୂଳ ଓଡି଼ଶା ଖୋର୍ଦ୍ଧା, ପୁରୀ, ଗଂଜାମ, ଜଗତସିଂହପୁର, କେନ୍ଦ୍ରାପଡା ଓ ଯାଜପୁର ଆଦି ଅଞ୍ଚଳରେ ବର୍ତ୍ତମାନ ଧାନ ଅମଳ ସମୟ। ବର୍ଷା ହେଲେ ଧାନ ନଷ୍ଟ ହୋଇଯିବ। ଗୁରୁବାର ରାଜ୍ୟରେ ପାଗ କୋହଲା ରହିଥିଲା। ଆଜି ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଂଜ, ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗୀର, କଳାହାଣ୍ତି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ ଓ ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି, ଆସନ୍ତାକାଲି, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର,ବାଲେଶ୍ବର, ମୟୂରଭଂଜ ଓ ଭଦ୍ରକର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

୨୨ ତାରିଖରୁ ରାଜ୍ୟରେ ପାଗ ବଦଳିବ। ବର୍ଷା କମିବା ପରେ ରାଜ୍ୟରେ ପୁଣି ଶୀତର ପ୍ରକୋପ ବଢିବ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଲଘୁଚାପ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡକୁ ମୁହାଁଇବ। ଉତ୍ତର ଦିଗରେ ଗତି କରି ଆନ୍ଧ୍ର ଉପକୂଳ ଆଡକୁ ମୁହାଁଇପାରେ। ଆଜି ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଓଡି଼ଶା ଉପକୂଳରେ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।