ଲାଞ୍ଚ ନେଇ ଡେପୁଟି ରେଞ୍ଜର ଗିରଫ

18 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବିଶ୍ରା ଡେପୁଟି ରେଞ୍ଜର୍ ଅସିତ ପଟ୍ଟନାୟକ ।

ରାଉରକେଲା: ଭିଜିଲାନ୍ସ ଜାଲରେ ବିଶ୍ରା ଡେପୁଟି ରେଞ୍ଜର୍ । ବିଶ୍ରା ରେଞ୍ଜ କାର୍ଯ୍ୟାଳୟର ଡେପୁଟି ରେଞ୍ଜର ହେଉଛନ୍ତି ଅସିତ ପଟ୍ଟନାୟକ ।

ସେ 18 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଅଧିକାରୀମାନେ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛନ୍ତି ।

ଏହା ସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଏକାଧିକ ଟିମ୍, ଅସିତଙ୍କ ଘର ସମେତ 4ଟି ସ୍ଥାନରେ ଚଢାଉ କରିଥିଲେ । ଫଳରେ 8.37 ଲକ୍ଷ ନଗଦ ଟଙ୍କା ସମେତ  390 ଗ୍ରାମର ସୁନା ଅଳଙ୍କାର ମଧ୍ୟ ଜବତ କରିଛି ଭିଜିଲାନ୍ସ ଟିମ୍ ।

ସୂଚନା ମୁତାବକ, ଭଡ଼ାରେ ଲାଗିଥିବା ଏକ ଗାଡ଼ିର ବିଲ୍ ପାସ୍ କରାଇ ଦେବା ପାଇଁ 18 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ବିଶ୍ରା ରେଞ୍ଜର, ଭଡ଼ାରେ ଲାଗିଥିବା ଏକ ଗାଡ଼ିର ଏପ୍ରିଲ ମାସର ବିଲ ପାସ୍ କରାଇବା ଏବଂ ମେ 1 ତାରିଖରୁ ପୁନଃ ଭଡ଼ାରେ ଲଗାଇବା ପାଇଁ ଗାଡ଼ି ମାଲିକକୁ 18 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଗାଡ଼ି ମାଲିକ ଏନେଇ ରାଉରକେଲା ଭିଜିଲାନ୍ସ ଏସପିଙ୍କୁ ଅଭିଯୋଗ କରିବା ପରେ ତାଙ୍କୁ ଧରିବା ପାଇଁ ଜାଲ ବିଛା ଯାଇଥିଲା ।