fbpx

ଚାଲିଗଲେ ନୋବେଲ ଶାନ୍ତି ବିଜେତା ଡେସମଣ୍ଡ ଟୁଟୁ, ମୃତ୍ୟୁ ବେଳକୁ ହୋଇଥିଲା ୯୦ ବର୍ଷ

Advertisement

ଜୋହାନ୍ସବର୍ଗ: ଆଉ ନାହାନ୍ତି ନୋବେଲ ଶାନ୍ତି ବିଜେତା ତଥା ମହାନ ସାମାଜିକ କର୍ମୀ ଡେସମଣ୍ଡ ଟୁଟୁ । ରବିବାର ଦିନ ଦକ୍ଷିଣ ଆଫ୍ରିକାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ସେ ଜୀବନବ୍ୟାପି ବର୍ଣ୍ଣବୈଷମ୍ୟ ବିରୋଧରେ ଲଢ଼େଇ କରି ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ଏଥିପାଇଁ ତାଙ୍କୁ ଦକ୍ଷିଣ ଆଫ୍ରିକାର ଆର୍ଚବିଶପ ଭାବେ ପରିଚୟ ହାସଲ କରିଥିଲେ । ୧୯୯୦ ମସିହାରେ ଟୁଟୁ କ୍ୟାନସର ଜନିତ ସମସ୍ୟାରେ ପଡ଼ିଥିଲେ । ଏହାପରେ ସେ ସୁସ୍ଥ ହୋଇ ଯାଇଥିଲେ । କିନ୍ତୁ ବୟସ ବଢ଼ିବା ସହ ବିଗତ କିଛି ବର୍ଷ ହେଲା ସେ ନିୟମିତ ହସ୍ପିଟାଲରେ ଭର୍ତ୍ତି ହେଉଥିଲେ ।  ଶେଷରେ କେପ ଟାଉନରେ ଥିବା ଓଆସିସି ଫ୍ରଇଲ କେୟାର ସେଣ୍ଟରେ ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ତେବେ ତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ କୌଣସି ପ୍ରକାରର ବିସ୍ତୃତ ତଥ୍ୟ ଦିଆଯାଇନି ।

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସରିଲ ରାମାଫୋସା କହିଛନ୍ତି ଯେ “ଆର୍ଚବିଶପ ଡେସମଣ୍ଡ ଟୁଟୁଙ୍କ ଦେହାନ୍ତ ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଗୋଟିଏ ସାହସୀ ପିଢ଼ିର ଅନ୍ତ ଘଟିଛି । ସେ ବର୍ଣ୍ଣବୈଷମ୍ୟ ସହ ଲଢ଼େଇ କରି ଆମକୁ ନୂଆ ଦକ୍ଷିଣ ଆଫ୍ରିକା ଦେଇଥିଲେ ।” ଡେସମଣ୍ଡ ଟୁଟୁଙ୍କୁ ଭାରତ ପକ୍ଷରୁ ଗାନ୍ଧି ଶାନ୍ତି ପୁରସ୍କାରରେ ସମ୍ମାନୀତ କରାଯାଇଛି । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ବିନା ହିଂସାରେ ବର୍ଣ୍ଣବୈଷମ୍ୟ ପାଇଁ ଲଢ଼େଇ କରି ସଫଳତା ପାଇଥିବା ଟୁଟୁଙ୍କୁ ୧୯୮୪ରେ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା । ଏହାର ଦୁଇ ବର୍ଷ ପରେ ଅର୍ଥାତ ୧୯୮୬ରେ ସେ କେପଟାଉନର ପ୍ରଥମ ଅର୍ଚବିଶପ୍‌ ହୋଇଥିଲେ । ଆଫ୍ରିକା ଜାତୀୟ କଂଗ୍ରେସ ସରକାରଙ୍କ ସହ ଆଲୋଚନା ପରେ ନେଲସନ ମଣ୍ଡେଲା ଜେଲରୁ ଖଲାସ ହୋଇଥିଲେ ଓ ୧୯୯୦ରେ ବର୍ଣ୍ଣବୈଷମ୍ୟ ଆଇନ ରଦ୍ଦ ହୋଇଥିଲା । ୧୯୯୪ ମସିହା ନିର୍ବାଚନ ଜିତିବା ପରେ ମଣ୍ଡେଲା ରାଷ୍ଟ୍ରପତି ହୋଇଥିଲେ ଓ ଟୁଟୁଙ୍କୁ ବର୍ଣ୍ଣବୈଷମ୍ୟ ମାନବିକ ଅଧିକାରର ଉଲ୍ଲଂଘନ ଘଟଣାର ତଦନ୍ତ କରୁଥିବା ଆୟୋଗର ଅଧ୍ୟକ୍ଷ କରିଥିଲେ । ୨୦୦୭ରେ ଭାରତ ସରକାର ତାଙ୍କୁ ଗାନ୍ଧି ଶାନ୍ତି ପୁରସ୍କାର ପ୍ରଦାନ କରିଥିଲେ ।

Get real time updates directly on you device, subscribe now.