fbpx
BSKY
BJD SHG SKY
BJD MC SKY

ଧାମନଗର ଉପନିର୍ବାଚନ: ବଢ଼ିଲା ମତଦାନ ପ୍ରତିଶତ, ସୂଚନା ଦେଲେ CEO

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସାରା ରାଜ୍ୟବାସୀଙ୍କ ନଜର ରହିଛି ଧାମନଗର ଉପନିର୍ବାଚନ ଉପରେ । ଏହି ଉପନିର୍ବାଚନରେ ଜିତିବା ପାଇଁ ଶାସକ ବିଜେଡି, ବିରୋଧୀ ବିଜେପି ଓ କଂଗ୍ରେସ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି । ସକାଳ ୭ଟାରୁ ୨୫୨ଟି କେନ୍ଦ୍ରରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଜାରି ରହିବ । ସକାଳ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତଦାନ ହୋଇଥିବା ବେଳେ ଅପରାହ୍ଣ ୩ଟା ସୁଦ୍ଧା ୫୨.୧୩ ପ୍ରତିଶତ ମତଦାନ ହୋଇଥିଲା ।

ତେବେ ଏହା ମଧ୍ୟରେ ଧାମନଗର ଉପନିର୍ବାଚନରେ ମତଦାନ ପ୍ରତିଶତ ବୃଦ୍ଧି ପାଇଛି । ସନ୍ଧ୍ୟା ୫ଟା ସୁଦ୍ଧା ୫୮.୫୩ ପ୍ରତିଶତ ମତଦାନ ହୋଇଛି । ଏନେଇ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁଶୀଲ ଲୋହାନୀ । ପିଙ୍କ ଓ ଆଦର୍ଶ ବୁଥରେ ଭଲ ଭୋଟିଂ ହୋଇଛି । ଆଗାମୀ ଦିନରେ ପିଙ୍କ ଓ ଆଦର୍ଶ ବୁଥ୍ ସଂଖ୍ୟା ବଢ଼ିବ । ଏବେ ବି ମତଦାନ କେନ୍ଦ୍ରରେ ଭିଡ଼ ଲାଗି ରହିଥିବାରୁ ମତଦାନ ସଂଖ୍ୟା ବୃଦ୍ଧି ପାଇପାରେ । ପୋଲିଂ ବୁଥରେ ନୁହେଁ ଏକ ଗ୍ରାମରେ ଗଣ୍ଡଗୋଳ ଘଟିଥିବା ସିଇଓ ସୂଚନା ଦେଇଛନ୍ତି ।

ତେବେ ଏହି ଉପନିର୍ବାଚନରେ ୨ ଲକ୍ଷ ୩୮ ହଜାର ୪୧୭ ଜଣ ଭୋଟର ମତଦାନ ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୨୩ ହଜାର ୩୮ ଜଣ ପୁରୁଷ ଓ ୧ ଲକ୍ଷ ୧୫ ହଜାର ୩୪୬ ଜଣ ମହିଳା ଭୋଟର ରହିଛନ୍ତି । ୧୫ଟି ମଡେଲ ବୁଥ୍ ରହିଥିବା ବେଳେ ୫ଟି ପିଙ୍କ ବୁଥ୍ ରହିଛି । ୧୧୦ଟି ସମ୍ବେଦନଶୀଳ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନ୍ୟପକ୍ଷରେ ଆଜି ଧାମନଗରରୁ ଏକ ଦୁଃଖଦ ଖବର ଆସିଥିଲା । ୧୩୯ ନମ୍ବର ବୁଥର ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ମୃତ୍ୟୁ ଘଟିଥିଲା । ନଟବରଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ସିଇଓ ଲୋହାନୀ ସୂଚନା ଦେଇଥିଲେ ।

Get real time updates directly on you device, subscribe now.