fbpx

ବାଜିଲା ବିଗୁଲ;ନଭେମ୍ବର ୩ ତାରିଖରେ ହେବ ଧାମନଗର ଉପନିର୍ବାଚନ

ଭୁବନେଶ୍ୱର: ବାଜିଲା ଧାମନଗର ଉପନିର୍ବାଚନ ବିଗୁଲ । ନଭେମ୍ବର ୩ ତାରିଖରେ ହେବ ଧାମନଗର ଉପନିର୍ବାଚନ । ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ହେବାପରେ ଏନେଇ ରାଜ୍ୟ ସରକାର ନିର୍ବାଚନ କମିଶନରଙ୍କୁୂ ଅବଗତ କରାଇଥିଲେ । ଯାହା ଫଳ ସ୍ୱରୁପ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୂଚନା ଅନୁସାରେ ଅକ୍ଟୋବର ୭ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୧୪ରେ ନାମଙ୍କନ ଦାଖଲ ଶେଷ ତାରିଖ । ୧୫ରେ ଯାଞ୍ଚ ଏବଂ ୧୭ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରିହେବ ।ସେହିପରି ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହେବ । ଏହା ପରେ ୬ ତାରିଖରେ ଭୋଟ ଗଣତି ଏବଂ ୮ ତାରିଖରେ ଫଳ ପ୍ରକାଶ ପାଇବ ।

ଦେଖିବାକୁ ଗଲେ ଚଳିତ ଉପନିର୍ବାଚନ ସବୁ ଦଳ ପାଇଁ ବିଶେଷ ମହତ୍ୱ ବହନ କରୁଛି । କାରଣ ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଆଉ ଏଥିପାଇଁ ତିନିଦଳ ତାଙ୍କର କସରତ ଆରମ୍ଭ କରିଦେଲେଣି । କହିବାକୁ ଗଲେ ବିଜେଡି ଆଜି ଯାଏଁ କୌଣସି ଉପନିର୍ବାଚନ ହାରି ନାହିଁ ତେଣୁ ଏହି ଉପନିର୍ବାଚନ କିପରି ହାତେଇବ ତାହା ଉପରେ ସମ୍ପୂର୍ଣ୍ଣ ଫୋକସ କରିଛି । ସେପଟେ ବିଜେପି ମଧ୍ୟ ତାର ସାମରସଜ୍ଜା ଆରମ୍ଭ କରି ଦେଇଛି । କୌଣସି କାରଣରୁ ବିଜେପି ତାର ଏହି ଆସନ ଛାଡିବା ପାଇଁ ଆଦୌ ପ୍ରସ୍ତୁତ ନାହିଁ ।ଏହା ପାଇଁ ଦଳ ଖୁବ ପ୍ରୟାସ କରିବା ସହିତ ଶେଷ ପର୍ଯ୍ୟନ୍ତ ଲଢ଼ିବ ବୋଲି ପ୍ରଣ କରିଛି । କିଛି ଦିନ ତଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଗସ୍ତରେ ଆସିଥିଲେ ।ଏହା ସହିତ ସେ ଧାମନଗର ଯାଇଁ ବିଷ୍ଣୁ ସେଠୀଙ୍କ ପରିବାଙ୍କୁ ମଧ୍ୟ ଭେଟିଥିଲେ ।ତେଣୁ ତାଙ୍କର ଏହି ଗସ୍ତ ଆଗାମୀ ଉପନିର୍ବାଚନ ଉପରେ ଖୁବ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି ।

ତେବେ ବିଗୁଲ ତ ବାଜି ସାରିଛି । ସ୍ଥିତି ଦେଖି ଯାହା ଅନୁମାନ କରାଯାଉଛି ଧାମନଗରରେ ଦୁଇ ପକ୍ଷିଆ ଲଢ଼େଇ ହେବ । କାରଣ ସେଠାରେ କଂଗ୍ରେସ ସ୍ଥିତି କିଛି ସୁଦୃଢ଼ ନାହିଁ । କେବଳ ଦେଖିବା ବାକି ରହିଲା ଧାମନଗରେ ପଦ୍ମ ପୁଣିଥରେ ଫୁଟିବ ନା ସେଠାରେ ଶଙ୍ଖ ନାଦ ଶୁଣିବାକୁ ମିଳିବ ।

Get real time updates directly on you device, subscribe now.