fbpx

(Video) କଣ୍ଠଶିଳ୍ପୀ ମୁରଲୀ ମହାପାତ୍ରଙ୍କ ପରଲୋକ: ଷ୍ଟେଜରେ ଗୀତ ଗାଉଥିବାବେଳେ ଟଳିପଡିଲେ

ଜୟପୁର: ପାର୍ବଣର ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ମୁରଲୀ ମହାପାତ୍ର ପରଲୋକ । ଜଣାଶୁଣା କଣ୍ଠଶିଳ୍ପୀ ମୁରଲୀ ମହାପାତ୍ର ଷ୍ଟେଜ ଉପରେ ଗୀତ ଗାଇଲା ବେଳେ ଅଚାନକ ଗଳିପଡିଥିଲେ । ଜୟପୁରର ଜଣାଶୁଣା କଣ୍ଠଶିଳ୍ପୀ ତଥା ଦ୍ୱିତୀୟ ଅକ୍ଷୟ ମହାନ୍ତି ଭାବେ ଜଣାଶୁଣା ଗାୟକ ମୁରଲୀ ମହାପାତ୍ରଙ୍କ ଷ୍ଟେଜ ଉପରେ ମୃତ୍ୟୁ ହୋଇଛି । ମୁରଲୀଙ୍କ ମୃତ୍ୟୁ ହୃଦଘାତରେ ହୋଇଛି ବୋଲି ଡାକ୍ତର କହିଛନ୍ତି ।

କାର୍ଯ୍ୟକ୍ରମ ଚାଲିଥିବା ବେଳେ କଣ୍ଠଦାନ କରି ସମସ୍ତଙ୍କ ସାମ୍ନାରେ ସେ ଟଳିପଡିଥିଲେ । ମାତ୍ର ୧୦ମିନଟରେ ଭିତରେ ହିଁ ଘଟିଯାଇଥିଲା ଏହି ଅଘଟଣ । ଶତାଧିକ ଦର୍ଶକ ତାଙ୍କ କଣ୍ଠର ଯାଦୁରେ ମଦହୋସ ଥିଲେ । ଦର୍ଶକଙ୍କ ଡିମାଣ୍ଡରେ ମନପସନ୍ଦର ଗୀତ ଗାଉଥିଲେ ଗାୟକ ମୁରଲୀ ମହାପାତ୍ର । ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ସେହି ଅଭୁଲା ଗୀତ ଯାଯାବର ହିଁ ତାଙ୍କ ଜୀବନର ଶେଷ ଗୀତ ହୋଇଯିବ ବୋଲି କିଏ ବା ଜାଣିଥିଲା ।

ତେବେ ଦଶହରାର ସପ୍ତମୀ ଅବସରରେ ସହରର ରାଜନଗର ଠାରେ ଜୟପୁର କଳାକାରଙ୍କ ଦ୍ୱାରା ଏକ କାର୍ଯ୍ୟକ୍ରମ ଚାଲିଥିଲା । ପ୍ରଥମ ତିନୋଟି ଗୀତ ପରେ ୪ ନମ୍ବର ଗୀତ ଗାଇବା ପାଇଁ ଷ୍ଟେଜ୍ ଆସି ଗୀତ ଗାଇବା ପୂର୍ବରୁ ନିଜେ ଅସୁସ୍ଥ ଥିବା କହିଥିଲେ ଓ ଗୀତ ଗାଇବାରେ ଭୁଲ୍ ଥିଲେ ଦର୍ଶକେ କ୍ଷମା କରିବେ କହି ଚର୍ଚ୍ଚିତ ଯାଯାବର ଗୀତ ଗାଇଥିଲେ । ଦର୍ଶକ ମଧ୍ୟ ତାଙ୍କ ଗୀତରେ ବେଶ ଝୁମିଥିଲେ । ଏପରିକି ଗୀତ ଗାଇବା ବେଳେ ଷ୍ଟେଜରେ ତାଙ୍କ ସହ ଅନ୍ୟ କଣ୍ଠଶିଳ୍ପୀ ମଧ୍ୟ ଗାଉଥିଲେ ।

ମୁରଲୀ ମହାପାତ୍ର ପଛରେ ଠିଆ ହୋଇ କଣ୍ଠଶିଳ୍ପୀଙ୍କ ଗୀତରେ ଝୁମୁଥିଲେ । ତାପରେ ଯାଇ ଷ୍ଟେଜରେ ଥିବା ଚେୟାରରେ ବସିବାର କିଛି ସମୟ ପରେ ଟଳିପଡ଼ିଥିଲେ । ତୁରନ୍ତ ତାଙ୍କୁ ପୋଲିସ ପେଟ୍ରୋଲିଂ ଜିପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା । ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ମୃତ୍ୟୁ ହୋଇସାରିଥିବା ଜଣାଇଥିଲେ । ହଠାତ ଏପରି ଏକ ଅଘଟଣା ଘଟିବା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଗାୟକ ମୁରଲୀ ମହାପାତ୍ର କୋରାପୁଟ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣି ଭାବେ କାର୍ଯ୍ୟରତ ଥିଲେ ।

Get real time updates directly on you device, subscribe now.