fbpx

ଏଥର ନିର୍ବାଚନରେ ଧର୍ମେନ୍ଦ୍ର Vs ପ୍ରଣବ! ସମ୍ବଲପୁର ଆସନରେ ହେବ BJD-BJP ମହାଲଢେଇ…

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମଧ୍ୟ ମେଣ୍ଟ ହେବାକୁ ନେଇ ଚର୍ଚ୍ଚାରେ ଏବେ ବିରାମ ଲାଗିଛି । ନିର୍ବାଚନରେ ଉଭୟ ଦଳ ଏକାକୀ ଲଢିବେ ବୋଲି ସ୍ଥିର ହୋଇଛି । ଏହାପରେ ଖୁବଶୀଘ୍ର ଓଡ଼ିଶା ଆସନ ପାଇଁ ଉଭୟ ଦଳ ନିଜର ପ୍ରାର୍ଥି ଘୋଷଣା କରିପାରନ୍ତି । ତେବେ ବର୍ତ୍ତମାନ ସବୁଠୁ ଚର୍ଚ୍ଚାରେ ରହିଛି ଓଡ଼ିଶାର ସମ୍ବଲପୁର ଲୋକସଭା ଆସନ । କାରଣ ଏଥର ସମ୍ବଲପୁର ଆସନ ପାଇଁ ଏକ ମହାଯୁଦ୍ଧ ଦେଖିବାକୁ ମିଳିପାରେ । ଉଭୟ ଦଳର ୨ ଟାଣୁଆ ନେତାଙ୍କ ମଧ୍ୟରେ ଏହି ଆସନ ପାଇଁ କଡ଼ା ଟକ୍କର ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଆସନ୍ତା ଲୋକସଭା ନିର୍ବାଚନରେ ସମ୍ବଲପୁର ଆସନ ପାଇଁ ବିଜେପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟିକେଟ ଦେଇପାରେ ବୋଲି ବିଶେଷ ସୂତ୍ରରୁ ସୂଚନା ହେଉଛି । ସେପଟେ ଧର୍ମେନ୍ଦ୍ରଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇପାରନ୍ତି ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଏ ନେଇ ଉଭୟ ଦଳ ପକ୍ଷରୁ ଆନୁଷ୍ଠାନିକ ଘୋଷଣା ହୋଇ ନଥିଲେ ମଧ୍ୟ ପ୍ରାର୍ଥିଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଯଦି ଗୋଟିଏ ଆସନ ପାଇଁ ଉଭୟ ପ୍ରାର୍ଥି ମୁହାଁମୁହିଁ ହୁଅନ୍ତି, ତେବେ ଓଡ଼ିଶା ରାଜନୀତିରେ ଏକ ହେଭିୱେଟ ଲଢେଇ ଦେଖିବ ସାରା ରାଜ୍ୟ । ଏ ନେଇ ବିଜେଡି ବୈଠକରେ ନାଁ ଚୟନ କରାଯାଇଥିବା ସୂଚନା ମିଳିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଦଳ ପକ୍ଷରୁ କୌଣସି ଘୋଷଣା ହୋଇନାହିଁ ।

ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବରେ ପ୍ରଣବ ପ୍ରକାଶ ଦାସଙ୍କର ଯାଜପୁର ବିଧାୟକ ଭାବରେ ଖୁବ ଦବଦବା ରହିଛି । ତେବେ ସମ୍ବଲପୁରରୁ ପ୍ରାର୍ଥି ହେଲେ ସେ କେତେ ସଫଳତା ପାଇବେ ତାହା ଆଲୋଚନାର ବିଷୟ ପାଲଟିଛି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ପ୍ରାର୍ଥି ହୋଇ ବିଜୟ ଟୀକା ପିନ୍ଧିପାରିବେ କି ନାହିଁ ମଧ୍ୟ ଚର୍ଚ୍ଚା ହେଉଛି । ବିଜେଡି ପକ୍ଷରୁ କୌଣସି ଆସନ ପାଇଁ ପ୍ରାର୍ଥି ଘୋଷଣା ହୋଇ ନଥିବା ବେଳେ ବିଜେପି ଓଡ଼ିଶା ପାଇଁ ପ୍ରାର୍ଥି ଘୋଷଣା କରିନାହିଁ । ତେଣୁ ଆଜି ବିଜେପି ଓଡ଼ିଶା ପାଇଁ ପ୍ରାର୍ଥି ତାଲିକା ଘୋଷଣା କରିପାରେ । ତେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶାର ସମ୍ବଲପୁର ଆସନ ପାଇଁ ମଇଦାନକୁ ଓହ୍ଲାଇପାରନ୍ତି । ଏହାବ୍ୟତୀତ ପୁରୀରୁ ସମ୍ବିତ ପାତ୍ର ଏବଂ ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀଙ୍କୁ ନିବାଚନ ଲଢିବା ପାଇଁ ଟିକେଟ ମିଳିପାରେ ବୋଲି ସୂଚନା ମିଳିଛି ।

ଏବେ ନିର୍ବାଚନ ପାଖେଇ ଆସୁଥିବାରୁ ନବୀନ ନିବାସରେ ବିଜେଡିର ଟିକେଟ କସରତ ଆରମ୍ଭ ହୋଇଯାଇଛି । ଏହି ବୈଠକରେ ସମ୍ବଲପୁର ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥି ଚୟନ ଉପରେ ଆଲୋଚନା ହୋଇଛି । ଆଲୋଚନା ପରେ ସୂଚନା ଦେଇଛନ୍ତି ବିଦାୟକ ରୋହିତ । ବିଜେଡି କିପରି ସମସ୍ତ ଆସନ ଉପରେ କବଜା କରିବ ସେ ନେଇ ବୈଠକରେ ଆଲୋଚନା ହୋଇଛି । ଏହାସହିତ ଲୋକସଭାରେ କିଏ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ, ସେ ଉପରେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି । କିନ୍ତୁ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.