fbpx

ବିଜେଡିରେ ମିଶିଲେ ଇରାନୀ ରାୟ

ଓଡିଶା ଭାସ୍କର: ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳରେ ଉଷ୍ମତା ଦେଖିବାକୁ ମିଳୁଛି । ଗୋଟିଏ ପଟେ ଦଳ ବଦଳ ପ୍ରକ୍ରିୟା ଜାରି ରହିଥିବାବେଳେ ଅନ୍ୟପଟେ ବିଭିନ୍ନ ଆସନ ପାଇଁ ପ୍ରାର୍ଥୀ ଘୋଷଣା ଜାରି ରହିଛି । ଏଥିମଧ୍ୟରେ ନୟାଗଡ଼ରେ ବିଜେପିକୁ ମିଳିଛି ଆଉ ଏକ ଝଟକା । ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲେ ଇରାନୀ ରାୟ । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ବିଧାୟକ ଅରୁଣ ସାହୁଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ଗତ କିଛି ଦିନ ତଳେ ବିଜେପି ଛାଡିଥିଲେ ଇରାନୀ । ୨୦୧୯ରେ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ଇରାନୀ ନିର୍ବାଚନ ଲଢିଥିଲେ । ତେବେ ବିଜେଡିରେ ମିଶିଲା ପରେ ବିଜେପି ଉପରେ ବର୍ଷିଛନ୍ତି ଇରାନୀ । ସେ କହିଛନ୍ତି, ନୟାଗଡରେ ବିଜେପି ପାଇଁ ଅନେକ କିଛି କରିଛି । ହେଲେ ମୋ ପରିଶ୍ରମ ଓ ତ୍ୟାଗର ସମ୍ମାନ ମତେ ମିଳିନି । ମୋ ସହ ଅନ୍ୟାୟ ହୋଇଛି ।

ଶତାଧିକ ସମର୍ଥକଙ୍କ ସହ ଶଙ୍ଖ ଭବନରେ ବିଜେଡିର ହାତ ଧରିଛନ୍ତି ଇରାନୀ ରାୟ । ତେବେ ମିଶ୍ରଣ ପର୍ବରେ ଭାଷଣ ଦେଲା ବେଳେ କାନ୍ଦି ପକାଇଥିଲେ ଇରାନୀ । ତେବେ ବିଜେପିର ଉପରେ ବର୍ଷିବା ସହ ଇରାନୀ କହିଛନ୍ତି, ୮ରୁ ୯ ବର୍ଷ ହେବ ମୁଁ ରାଜନୀତିରେ ଅଛି। ବିଜେପି ପାଇଁ ମୁଁ ମୋର ୧୦୦ ପ୍ରତିଶତ ଦେଇଛି ହେଲେ ମୋତେ ନ୍ୟାୟ ମିଳିନି କି ମୋର କର୍ମୀଙ୍କୁ ଉଚିତ ସମ୍ମାନ ମିଳିନି । ମୋ ସହ ଅନ୍ୟାୟ ହୋଇଛି । ନୟାଗଡରେ ବିଜେପି ବୋଲି କିଛି ନଥିଲା। ସମସ୍ତେ କଂଗ୍ରେସ ଛାଡି ବିଜେପି ସହ ସଂଗଠିତ ହୋଇଥିଲେ। ତାକୁ ନେଇ ଆମେ କାର୍ୟ୍ୟ କରୁଥିଲୁ। ହେଲେ ସମ୍ମାନ ମିଳିଲାନି। ମୁଁ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ବିଜେଡିରେ ମିଶିଲି। ଟିକେଟ ପ୍ରତି ମୋର ଆଶା ନାହିଁ। ମୁଁ ଦଳ ପାଇଁ କାମ କରିବି।

Get real time updates directly on you device, subscribe now.