fbpx

ଅନ୍ତେଷ୍ଟିକ୍ରିୟା ନସରୁଣୁ ଉପନିର୍ବାଚନ ପାଇଁ ବିରୋଧୀ ରେଡି ;କାହିଁକି ଏତେ ତତ୍ପର ବିରୋଧୀ ?

Advertisement

ଭୁବନେଶ୍ୱର: ଅଫେରା ରାଇଜରେ ସଭିଙ୍କ ପ୍ରିୟ ଦିବଙ୍ଗତ ଧାମନଗର ବିଧାୟକ ବିଷ୍ଣୁ ସେଠୀ। ତାଙ୍କର ବିୟୋଗରେ ସମସ୍ତେ ମ୍ରିୟମାଣ ଏବଂ ମର୍ମାହତ। ଓଡିଶା ରାଜନୀତିରେ ତାଙ୍କର ସ୍ଥାନ ଅପୂରଣୀୟ। ବିଷ୍ଣୁଙ୍କ ବିୟୋଗରେ ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଥିବା ବେଳେ ଓଡିଶା ଜଣେ ସର୍ଚ୍ଚୋଟ ଏବଂ ସ୍ପଷ୍ଟବାଦୀ ନେତାକୁ ହରାଇଛି। ଏପଟେ ବିଷ୍ଣୁଙ୍କ ଅନ୍ତେଷ୍ଟିକ୍ରିୟା ନସରୁଣୁ ସେପଟେ ଧାମନଗର ଉପନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି।

ବିଷ୍ଣୁ ସେଠୀଙ୍କ ବିୟୋଗରେ ଧାମନଗର ନିର୍ବାଚନ ମଣ୍ଡଳୀର ସ୍ଥାନ ଖାଲି ପଡିଛି। ଉପ ନିର୍ବାଚନରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ଏବେଠୁ ମାନସ ମନ୍ଥନ ଆରମ୍ଭ ହୋଇ ଯାଇଛି। ତେବେ ନିର୍ବାଚନକୁ ନେଇ ରାଜ୍ୟ ସରକାର ଏତେ ବ୍ୟସ୍ତ ବିବ୍ରତ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ଉପନିର୍ବାଚନକୁ ରାଜ୍ୟସରକାର କାହିଁକି ଏତେ ତତ୍ପରତା ଦେଖାଉଛନ୍ତି ବୋଲି ଏବେ ସବୁ ବିରୋଧୀ ଏହା ଚର୍ଚ୍ଚା କରୁଛନ୍ତି ।

ଉପନିର୍ବାଚନ ଲଢ଼ିବ କିଏ?
ଏବେ ସଭିଙ୍କ ନଜର ଧାମନଗର ଉପ ନିର୍ବାଚନ ଉପରେ। ୨୦୧୯ରେ ଭଦ୍ରକ ଜିଲ୍ଲାର ଧାମନଗର ଏକ ମାତ୍ର ସ୍ଥାନ ଯେଉଁଠି ବିଜେଡିକୁ ହରାଇ ବିଜେପି ବିଜୟ ହାସଲ କରିଥିଲା। ବହୁତ କମ ବ୍ୟବଧାନରେ ବିଜୟୀ ହୋଇଥିଲେ ବିଜେପି ବିଧାୟକ ବିଷ୍ଣୁ ସେଠୀ। ଶାସକ ବିଜେଡିର ଉକ୍ତ ଆସନରେ ପରାଜୟ ପଛର କାରଣ ଗୋଷ୍ଠୀକନ୍ଦଳ ଥିଲା ବୋଲି କୁହାଯାଏ। ଯାହାର ଫାଇଦା ଉଠାଇଥିଲା ବିଜେପି । ବିଜେଡି ଚେୟାରମ୍ୟାନ ଅଶୋକ ନାୟକ ଏବଂ ବିଜେଡି ନେତାଙ୍କ ମଧ୍ୟରେ ମତଭେଦ ଯୋଗୁଁ ବିଜେପିର ବିଜୟ ମାର୍ଗ ପ୍ରଶସ୍ତ ହୋଇଥିଲା। ତଥାପି କଡା ଟକ୍କରେ ମାତ୍ର ୪୬୨୫ ଖଣ୍ଡ ଭୋଟରେ ବିଜେଡିର ରାଜେନ୍ଦ୍ର ଦାଶକୁ ହରାଇଥିଲେ ବିଷ୍ଣୁ ଚରଣ ସେଠୀ। ଏବେ ଉପ ନିର୍ବାଚନରେ ବିଜେଡି ତାର ପ୍ରତିଶୋଧ ନେବା ସହ ହିସାବ ବରାବର କରିବ ବୋଲି ଆଶା କରାଯାଉଛି।

ଉପନିର୍ବାଚନ ଆଉ ବିଜେଡି: ଓଡିଶା ରାଜନୀତିର ଉପନିର୍ବାଚନ ସହ ବିଜେଡିର ସମ୍ପର୍କ ବହୁତଭଲ। ଉପ ନିର୍ବାଚନରେ ବିଜେଡିର ରେକର୍ଡ ଦମଦାର ରହିଛି। ରାଜ୍ୟରେ ୪ଟି ଉପ ନିର୍ବାଚନରେ ବିଜେଡି ତାର ପାରିଦର୍ଶିତା ଦେଖାଇସାରିଛି । ତେଣୁ ଉପନିର୍ବାଚନ ଜିତିବାର ଯେଉଁ ରେର୍କଡ ଦଳ ନାମରେ ଅଛି ତାହାକୁ ବଜାୟ ରଖିବାକୁ ଉଦ୍ୟମ କରିବ ବିଜେଡି ।

ଉପନିର୍ବାଚନ ପାଇଁ ବିଜେଡି କେତେ ପ୍ରସ୍ତୁତ: କୌଣସି ଉପନିର୍ବାଚନ ଆଜି ଯାଏଁ ପରାଜୟର ସ୍ଵାଦ ଚାଖିନି ବିଜେଡି। ତୃଣ ମୂଳ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ବିଜେଡି ତାର ରଣନୀତି ପ୍ରସ୍ତୁତ କରିଚାଲିଛି। ଦଳର ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ବାଚନ ମଣ୍ଡଳୀ ହେଉଛି ଯାଜପୁର । ଯାହାକି ଧାମନଗର ନିର୍ବାଚନ ମଣ୍ଡଳୀର ନିକଟତର । ଏହାସହିତ ବର୍ତ୍ତମାନ ବିଜେଡି ଧର୍ମଶାଳା ବିଧାୟକପ୍ରଣବ ବଳବନ୍ତ ରାୟକୁ ପର୍ଯ୍ୟବେକ୍ଷକ ଦାଇତ୍ୱ ଦିଅ।ଯାଇଛି । ତେଣୁ ଦଳକୁ ସୃଦୁଢ଼ କରିବା ପାଇଁ ସବୁ ବଳ କୌଶଳ ଏକ କରିଛନ୍ତି ବିଜେଡି କର୍ମୀ । ଭୋଟ ବ୍ୟାଙ୍କକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ଵ ଦେଉଛି ଦଳ।
ଅପରପକ୍ଷେ ବିଜେପି ସାନ୍ତ୍ଵନାମୂଳକ ଭୋଟ୍ ହାତେଇବା ସହ ନିଜର ଏହି ଆସନ ଜିତିବାକୁ ଲକ୍ଷ୍ୟ ରଖିଛି। ବିଜେଡିକୁ କଡା ଟକ୍କର ଦେବାକୁ ହେଲେ ନେତା, ପଦାଧିକାରୀ ଏବଂ ତୃଣମୂଳସ୍ତରର କର୍ମୀଙ୍କୁ ଏକଜୁଟ୍ ହେବାକୁ ପଡିବ। ବିଷ୍ଣୁ ସେଠୀ ବିଧାୟକ ଥିବା ସମୟରେ ଧାମନଗର ନିର୍ବାଚନ ମଣ୍ଡଳୀରେ ଯାହା ଯାହା ବିକାଶମୂଳକ କାମ କରିଛନ୍ତି ତାହାକୁ ଜନତାଙ୍କ ନିକଟରେ ପହଞ୍ଚାଇବାକୁ ପଡିବ।

କେଉଁ ଦଳ କାହାକୁ କରିବେ ପ୍ରାର୍ଥୀ: ବର୍ତ୍ତମାନର ସ୍ଥିତିକୁ ଦେଖି ଲାଗୁଛି ବିଜେଡି ଦଳ ତରଫରୁ ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ କରାଯାଇପାରେ । କାରଣ ଏହା ପୂର୍ବରୁ ୨୦୦୯-୧୪ ରାଜେନ୍ଦ୍ର ଦାସ ବିଧାୟକ ହୋଇଥିଲେ। ତେବେ ସେ ଥରେ ବିଧାୟକ ହୋଇସାରିଛନ୍ତି । ଅନ୍ୟପକ୍ଷେ ବିଜେପି ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅକୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇପାରେ। କଂଗ୍ରେସର ସ୍ଥିତି କିଛି ସୁଦୃଢ଼ ନଥିବାରୁ ଏଠାରେ ବିଜେପି ଏବଂ ବିଜେଡି ମଧ୍ୟରେ ଦ୍ଵିମୁଖୀ ଲଢେଇ ହେବ ବୋଲି ଆଶା କରାଯାଉଛି ।

ଉଲ୍ଲେଖନୀୟ ଧାମନଗର ନିର୍ବାଚନ ମଣ୍ଡଳୀରେ କୌଣସି ଦଳ ଦୀର୍ଘ ସମୟ ଧରି ଅଦ୍ୟାବଧି ତିଷ୍ଠି ପାରିନାହିଁ । ଏଠି ପ୍ରତିଥର ବିଧାୟକ ପରିବର୍ତ୍ତନ ହୋଇ ଆସିଛି। ମୋଟାମୋଟି କହିବାକୁ ଗଲେ ଧାମନଗର ବିଷ୍ଣୁ ସେଠୀ ପରି ଟାଣୁଆ ନେତାଙ୍କୁ ହରାଇଛି। ଯେଉଁଠି କି ତାଙ୍କ ସ୍ଥାନକୁ ଆଉ କେହି ପୂରଣ କରିପାରିବେ ନାହିଁ। ତେଣୁ ଉପନିର୍ବାଚନରେ କିଏ ବାଜି ମାରିବ ତାହାତ ଦୂର କଥା କିନ୍ତୁ ବିଜେପି ଏବଂ ବିଜେଡି ମଧ୍ୟରେ ଟକ୍କର ଦମଦାର ହେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.