fbpx
BSKY
BJD SHG SKY
BJD YOUTH SKY

ଟି-୨୦ ବିଶ୍ୱକପରେ ଧୋନୀଙ୍କ ଅତୁଟ ରେକର୍ଡ: ମାହିଙ୍କ ରେକର୍ଡ ଭାଙ୍ଗିବ କିଏ?

ନୂଆଦିଲ୍ଲୀ: ଜୁନ୍ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ କ୍ରିକେଟ ମହାସମର । ଏଥିପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ୍ ଘୋଷଣା କରିଛି ବିସିସିଆଇ । ୨୦୦୭ ଟି-୨୦ ବିଶ୍ୱକପର ପ୍ରଥମ ସିଜନରେ ଭାରତ ଚମ୍ପିଆନ୍ ହୋଇଥିବା ବେଳେ ଏହାପରେ ବର୍ତ୍ତମାନ ପର୍ଯ୍ୟନ୍ତ ଦ୍ୱିତୀୟ ଟ୍ରଫି ଅପେକ୍ଷାରେ ରହିଛି । ପ୍ରଥମ ସିଜନରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଏହି ବିଶ୍ୱକପ ନିଜର କରିଥିଲା । ତେବେ ଟି-୨୦ ବିଶ୍ୱକପ ଇତିହାସରେ ଧୋନୀ ଏହାବ୍ୟତୀତ ୱିକେଟ କିପର ଭାବରେ ମଧ୍ୟ ଏକ ବିଶାଳ ରେକର୍ଡ ନିଜ ନାମରେ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ରିକେଟର ଏହି ରେକର୍ଡର ନିକଟତର ହୋଇ ପାରିନାହାନ୍ତି ।

ଭାରତକୁ ସମସ୍ତ ଆଇସିସି ଟ୍ରଫିରେ ବିଜୟୀ କରାଇଥିବା କ୍ୟାପଟେନ୍ କୁଲ୍ ଏମ.ଏସ ଧୋନୀ ଅଧିନାୟକ ଭାବରେ ଅନେକ ସଫଳତା ପାଇଛନ୍ତି । ଏହାବ୍ୟତୀତ ଟି-୨୦ ବିଶ୍ୱକପରେ ତାଙ୍କ ନାମରେ ଏକ ବିଶ୍ୱ ରେକର୍ଡ ବର୍ତ୍ତମାନ ସୁଦ୍ଧା ଅଜେୟ କରିଛି । ବର୍ତ୍ତମାନର ଆକ୍ଟିଭ ଖେଳାଳିଙ୍କ ମଧ୍ୟରେ ଅନ୍ୟ କୌଣସି କ୍ରିକେଟର ଧୋନୀଙ୍କ ଏହି ରେକର୍ଡର ନିକଟତର ମଧ୍ୟ ହୋଇପାରି ନାହାନ୍ତି । ଟି-୨୦ ବିଶ୍ୱକପରେ ୱିକେଟ କିପର ଭାବରେ ଧୋନୀ ସର୍ବାଧିକ ୱିକେଟ ହାସଲ କରିଛନ୍ତି । ୨୦୦୭ ଟି-୨୦ ବିଶ୍ୱକପରେ ପଦାର୍ପଣ କରିଥିବା ବେଳେ ୨୦୧୬ ମସିହାରେ ଧୋନୀ ଶେଷ ଟି-୨୦ ବିଶ୍ୱକପ ଖେଳିଥିଲେ । ତେବେ ମାହି ଏହା ମଧ୍ୟରେ ଜଣେ ୱିକେଟ କିପର ଭୂମିକାରେ ମୋଟ ୩୩ଟି ମ୍ୟାଚରୁ ୩୨ଟି ଶିକାର କରିଛନ୍ତି । ଏଥିରେ ୨୧ଟି କ୍ୟାଚ ଏବଂ ୧୧ଟି ଷ୍ଟମ୍ପିଙ୍ଗ ସାମିଲ ରହିଛି ।

ଏମ.ଏସ ଧୋନୀଙ୍କ ଏହି ରେକର୍ଡ ତାଲିକାରେ ବର୍ତ୍ତମାନ ଆକ୍ଟିଭ ପ୍ଲେୟରଙ୍କ ମଧ୍ୟ କେହି ନିକଟତର ମଧ୍ୟ ହୋଇ ପାରିନାହାନ୍ତି । ଟପ୍-୧୦ ତାଲିକାର ଏକମାତ୍ର ଭାରତୀୟ ଭାବରେ ସ୍ଥାନ ପାଇଛନ୍ତି କ୍ୟାପଟେନ୍ କୁଲ ମାହି । ଧୋନୀଙ୍କ ପରେ ପାକିସ୍ତାନର ପୂର୍ବତନ କ୍ରିକେଟର କମରାନ୍ ଆକମଲ(୩୦) ଦ୍ୱିତୀୟରେ ରହିଥିବା ବେଳେ ୱେଷ୍ଟଇଣ୍ଡିଜର ଦିନେଶ ରାମଦିନ(୨୭) ତୃତୀୟରେ ରହିଛନ୍ତି । ଏହାପରେ କୁମାର ସାଙ୍ଗାକାରା(୨୬), କ୍ୱିଣ୍ଟନ୍ ଡି’କକ୍(୨୨), ମୁସଫିକର ରହିମ୍(୧୯) ତାଲିକାର ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ସ୍ଥାନରେ ରହିଛନ୍ତି ।

ଏହାବ୍ୟତୀତ ଟି୨୦ ବିଶ୍ୱକପରେ ଧୋନୀ ୩୩ ମ୍ୟାଚର ୨୯ ଇନିଂସରୁ ୫୨୯ ରନ୍ ସଂଗ୍ରହ କରିଛନ୍ତି । ତେବେ ଏହା ମଧ୍ୟ ଧୋନୀଙ୍କ ନାମରେ ଆଉ ଏକ ବଡ଼ ରେକର୍ଡ ହୋଇ ରହିଛି । ବର୍ତ୍ତମାନ ସୁଦ୍ଧା ଅନ୍ୟ କୌଣସି ଭାରତୀୟ ୱିକେଟ କିପର ଧୋନୀଙ୍କ ଏହି ରେକର୍ଡକୁ ଅତିକ୍ରମ କରିବାରେ ସଫଳ ହୋଇନାହାନ୍ତି । ତେବେ ଆଗକୁ ରିଷଭ ପନ୍ତ ଧୋନୀଙ୍କ ଏହି ରେକର୍ଡକୁ ଭାଙ୍ଗିପାରନ୍ତି ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.