fbpx

(Video) ଜିତେଶ ଶର୍ମାଙ୍କୁ ମିଳିଲା କି ପଞ୍ଜାବର ନେତୃତ୍ୱ? କାହିଁକି ‘Captains Photoshoot’କୁ ଆସିଲେନି ଶିଖର ଧୱନ?

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ଆଇପିଏଲ-୨୦୨୪ ମହାସମର । ପ୍ରଥମ ମ୍ୟାଚରେ ଚେନ୍ନାଇ-ବେଙ୍ଗଲୁରୁ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ତେବେ ଟୁର୍ଣ୍ଣାମେଣ୍ଟର ଦିନକ ପୂର୍ବରୁ ଡିଫେଣ୍ଡିଂ ଚମ୍ପିଆନ୍ ଚେନ୍ନାଇ ସୁପର କିଙ୍ଗସ ଦଳର ଅଧିନାୟକ ପରିବର୍ତ୍ତନ କରିଛି । କ୍ୟାପଟେନ କୁଲ ଏମ.ଏସ ଧୋନୀ ନିଜ ପଦ ଷ୍ଟାର ଓପନର ଋତୁରାଜକୁ ହସ୍ତାନ୍ତର କରିଛନ୍ତି । ତେଣୁ ଆଇପିଏଲ ପୂର୍ବରୁ କ୍ୟାପଟେନ୍ ଫଟୋଶୁଟରେ ଧୋନୀଙ୍କ ସ୍ଥାନରେ ଋତୁରାଜଙ୍କୁ ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ପଞ୍ଜାବ ମଧ୍ୟ ଅଧିନାୟକ ପଦରେ ପରିବର୍ତ୍ତନ କରିଥିବା ଶୁଣିବାକୁ ମିଳିଛି । କାରଣ ଏହି ଫଟୋଶୁଟରେ ପଞ୍ଜାବ ଅଧିନାୟକ ଶିଖର ଧୱନଙ୍କ ପରିବର୍ତ୍ତେ ଜିତେଶ ଶର୍ମା ସାମିଲ ହୋଇଥିଲେ ।

୨ ଦିନ ତଳେ ୱିକେଟ କିପର ଜିତେଶ ଶର୍ମାଙ୍କୁ ପଞ୍ଜାବ କିଙ୍ଗସ ଦଳର ଉପ-ଅଧିନାୟକ ଭାବରେ ଚୟନ କରିଥିଲା । ଅର୍ଥାତ୍ ଅଧିନାୟକ ଭାବରେ ଦାୟିତ୍ୱ ବର୍ତ୍ତମାନ ପର୍ଯ୍ୟନ୍ତ ଶିଖର ଧୱନଙ୍କ ହାତରେ ରହିଛି । କିନ୍ତୁ ଆଇପିଏଲ-୨୦୨୪ର କ୍ୟାପଟେନ୍ ଫଟୋଶୁଟକୁ ନେଇ ଖୁବ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ଫଟୋଶୁଟରେ ଅଧିନାୟକ ଶିଖର ଧୱନଙ୍କ ସ୍ଥାନରେ ଦଳର ପ୍ରତିନିଧିତ୍ୱ କରିଛନ୍ତି ଉପ-ଅଧିନାୟକ ଜିତେଶ ଶର୍ମା । ଏହି ଫଟୋଶୁଟରେ ଜିତେଶ ଶର୍ମାଙ୍କ ଉପସ୍ଥିତି ପଞ୍ଜାବ କିଙ୍ଗସର ଅଧିନାୟକ ପଦକୁ ନେଇ ଖୁବ ଚର୍ଚ୍ଚା ଆରମ୍ଭ କରିଛି । ତେଣୁ ପଞ୍ଜାବ ମଧ୍ୟ ଚେନ୍ନାଇ ଭଳି ରାତାରାତି ଅଧିନାୟକ ପରିବର୍ତ୍ତନ କରିଥିବା ଆଲୋଚନା ହେଉଛି । ତେବେ କୌଣସି କାରଣ ବଶତଃ ଶିଖର ଧୱନ ଏହି କାର୍ଯ୍ୟକ୍ରମରେ ପହଞ୍ଚି ପାରିନଥିଲେ । ତେଣୁ ଉପ-ଅଧିନାୟକ ଜିତେଶ ଶର୍ମା ଦଳର ପ୍ରତିନିଧିତ୍ୱ କରିଛନ୍ତି ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଶିଖର ଧୱନ ପଞ୍ଜାବ କିଙ୍ଗସର ଅଧିନାୟକ ପଦରେ ରହିଛନ୍ତି । ଅଧିନାୟକ ପରିବର୍ତ୍ତନ ନେଇ କୌଣସି ଦଳ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ତେଣୁ ଚଳିତବର୍ଷ ଆଇପିଏଲରେ ଧୱନ ଦଳର ଅଧିନାୟକ ପଦ ସମ୍ଭାଳିବା ସହ ଜିତେଶ ଶର୍ମା ଉପଅଧିନାୟକ ଦାୟିତ୍ୱରେ ରହିବେ । ତେବେ ଏହା ଆକଳନ କରାଯାଉଛି ଯେ, ଆସନ୍ତା ୧-୨ ସିଜନରେ ଶିଖର ଧୱନ ଏହି ପଦରୁ ଇସ୍ତଫା ଦେଇପାରନ୍ତି । ଏହାପରେ ଜିତେଶଙ୍କୁ ଦଳର ନେତୃତ୍ୱ ପ୍ରଦାନ କରିବ ପଞ୍ଜାବ କିଙ୍ଗସ ।

Get real time updates directly on you device, subscribe now.