ମଙ୍କିପକ୍ସ ଓ କରୋନାର ଲକ୍ଷଣକୁ ନେଇ ଆପଣ କନଫ୍ୟୁଜରେ ଅଛନ୍ତି କି? ଦୁଇ ଭାଇରସକୁ ନେଇ କ’ଣ କହୁଛନ୍ତି ଏକ୍ସପର୍ଟ

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରକୋପ ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇନଥିବା ବେଳେ ଏହି ସମୟରେ ସମଗ୍ର ବିଶ୍ୱକୁ ଆଗମନ କରିଛି ମଙ୍କିପକ୍ସ ଭାଇରସ । ତେବେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୫ଟି ଦେଶକୁ ବ୍ୟାପିଗଲାଣି ମଙ୍କିପକ୍ସ । ତେଣୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି । ତେବେ ଏକ୍ସପର୍ଟଙ୍କ ମତରେ, ମଙ୍କିପକ୍ସ କରୋନା ପରି ଘାତକ ସାବ୍ୟସ୍ତ ହେବ ନାହିଁ । ମାତ୍ର ମଙ୍କିପକ୍ସର ଲକ୍ଷଣକୁ ଠିକ୍ ଭାବେ ଚିହ୍ନି ଏହାର ଉପଚାର କରିବା ଜରୁରୀ ।

ଏକ୍ସପର୍ଟଙ୍କ ମତରେ, ମଙ୍କିପକ୍ସର କିଛି ଲକ୍ଷଣ କରୋନା ପରି ସମାନ ଅଟେ । ତେଣୁ ଏହି ଦୁଇ ଭାଇରସ ମଧ୍ୟରେ କ’ଣ ଅନ୍ତର ରହିଛି ତାହା ଜାଣିବା ନିହାତି ଜରୁରୀ । ମଙ୍କିପକ୍ସ ଏକ ଭାଇରାଲ ସଂକ୍ରମଣ ଅଟେ । ଏହା ମାଙ୍କଡ଼ ମାଧ୍ୟମରେ ବ୍ୟାପିଥାଏ । ଯଦି କୌଣସି ସଂକ୍ରମିତ ପଶୁ ମୃତ୍ୟୁବରଣ କରେ, ତେବେ ସେ କ୍ଷେତ୍ରରେ ଭାଇରସ ମଣିଷକୁ ସଂକ୍ରମିତ କରିଥାଏ । ଏହାର ଆରମ୍ଭରେ ଥଣ୍ଡା ହେବା ସହ ଶରୀର ଦୁର୍ବଳ ଲାଗେ । କରୋନା ଓ ମଙ୍କିପକ୍ସର ସଂକ୍ରମଣ ଆରମ୍ଭରୁ ଫ୍ଲୁ ଲକ୍ଷଣ ଦେଖାଦେଇଥାଏ ।

କରୋନା ସଂକ୍ରମିତଙ୍କ ଠାରେ ଶ୍ୱାସ ସମସ୍ୟା ଦେଖାଦେଇଥାଏ, ମାତ୍ର ମଙ୍କିପକ୍ସ ମାମଲାରେ ଏପରି ଦେଖାଯାଏ ନାହିଁ । କରୋନା ହୋଇଥିଲେ ଶୁଙ୍ଘିବା ଓ ସ୍ୱାଦ କ୍ଷମତା ଚାଲିଯାଏ, ମାତ୍ର ମଙ୍କିପକ୍ସରେ ଏଭଳି ହୋଇ ନଥାଏ । ମଙ୍କିପକ୍ସ ପଶୁଙ୍କ ମାଧ୍ୟମରେ ବ୍ୟାପିଥାଏ ଓ ଏହା କରୋନା ତୁଳନାରେ ବହୁତ କମ୍ ସଂକ୍ରାମକ ଅଟେ । ଖାସିବା, ଛିଙ୍କିବା ଦ୍ୱାରା କରୋନା ଅନ୍ୟ ବ୍ୟକ୍ତିଙ୍କୁ ସଂକ୍ରମିତ କରିଥାଏ, ମାତ୍ର ମଙ୍କିପକ୍ସ ବ୍ୟକ୍ତି ଚର୍ମର ସଂସ୍ପର୍ଶରେ ଆସିଲେ ବ୍ୟାପିଥାଏ ।