fbpx

AI Big Opportunity: ୨୦୨୬ ସୁଦ୍ଧା ଭାରତରେ ୬ କୋଟି ଚାକିରି ସୃଷ୍ଟି କରିବ ଡିଜିଟାଲ ଟେକ୍ନୋଲୋଜି- କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା (ଏଆଇ) କାରଣରୁ ଲୋକଙ୍କର ଚାକିରି ଚାଲିଯିବ ବୋଲି ଗତ କିଛିଦିନ ଧରି ବେଶ୍ ଚର୍ଚ୍ଚା ହେବାରେ ଲାଗିଛି । ଏଭଳି ଏକାଧିକ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି । ତେବେ ଏଭଳି ପ୍ରଶ୍ନର ଉତ୍ତର ଦେଇଛନ୍ତି କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ଆସନ୍ତା ୨୦୨୬ ମସିହା ସୁଦ୍ଧା ଡିଜିଟାଲ ଟେକ୍ନୋଲୋଜି ଭାରତରେ ୬ କୋଟି ଚାକିରି ସୃଷ୍ଟି କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ କେନ୍ଦ୍ରମନ୍ତ୍ରୀ ଏଆଇର ଭବିଷ୍ୟତ ଉପରେ ଅନେକ ତଥ୍ୟ ଦେଇଛନ୍ତି ।

ପ୍ରଶ୍ନ: ଚାଟ୍ ଜିପିଟିର ମୁଖ୍ୟ ସାମ ଅଲଟମ୍ୟାନ ନିକଟରେ ଭାରତକୁ ଆସିଥିଲେ । ଏହି ଅବସରରେ ଭାରତ ଏଆଇକୁ ସଠିକ୍ ଭାବେ ଉପଯୋଗ କରିଛି ବୋଲି ସେ କହିବା ସହ ଭାରତକୁ ପ୍ରଶଂସା କରିଥିଲେ । ଏଆଇ ଲୋକଙ୍କର ଚାକିରି ନେଇଯିବ ବୋଲି ଅନେକ ଆଶଙ୍କା ମଧ୍ୟରେ ରହିଛନ୍ତି । ଭାରତ ସରକାରଙ୍କର ଏନେଇ କ’ଣ ଭିଜନ ରହିଛି । କିପରି ଏଆଇକୁ ରେଗୁଲେଟ୍ କରାଯିବ?

ଉତ୍ତର: ଯେ କୌଣସି ଜିନିଷର ଉଦ୍ଭାବନକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ମାତ୍ର ମୁଁ ଭାବୁନାହିଁ ଏଆଇ ଚାକିରି ଉପରେ ପ୍ରଭାବ ପକାଇବ । ଆଜି ଆମେ ଏଆଇର ପ୍ରାରମ୍ଭିକ ବିଶ୍ୱକୁ ଦେଖୁଛେ, ଯାହାକି ଆଗକୁ ଦୀର୍ଘ ପଥ ଯାତ୍ରା କରିବ । ଏଆଇ ଟାସ୍କ କରିପାରିବ ମାତ୍ର ମଣିଷର ସ୍ଥାନ ନେଇ ପାରିବ ନାହିଁ ।

ପ୍ରଶ୍ନ: ଏଆଇକୁ ଖରାପ ଭାବେ ବ୍ୟବହାର କରାଯାଉଥିବା ନେଇ ଅନେକ ପ୍ରଶ୍ନ ଉଠୁଛି? ଏହାକୁ ଆପଣ କିପରି ଦେଖୁଛନ୍ତି?

ଉତ୍ତର: ଇଣ୍ଟରନେଟ ୟୁଜର୍ସଙ୍କୁ ଫାଇଦା ଦେବା ସହିତ କ୍ଷତି ମଧ୍ୟ ପହଞ୍ଚାଇଥାଏ । ଏଆଇର ଦୁଇଟି ଦିଗ ରହିଛି । ଗୋଟିଏ ହେଉଛି ଦକ୍ଷତା, ଟାସ୍କ ପରିଚାଳନା ଓ ଲର୍ଣ୍ଣିଂ ମଡେଲ । ଅନ୍ୟ ଦିଗଟି ହେଉଛି ୟୁଜର୍ସଙ୍କ କ୍ଷତି ଓ ମିସ ୟୁଜ୍ । ଭାରତ ସରକାର ଏଆଇକୁ ରେଗୁଲେଟ କରିବେ ଓ ସାମ ଅଲଟମ୍ୟାନ ଏନେଇ ସହମତି ପ୍ରକାଶ କରିଛନ୍ତି ।

ପ୍ରଶ୍ନ: ୬୫ ବର୍ଷରେ ଯାହା ଘଟିନଥିଲା, ତାହା ଗତ ୯ ବର୍ଷରେ ହୋଇ ପାରିଛି ବୋଲି ବାରମ୍ବାର କୁହାଯାଉଛି । ଆଜିର ସମୟରେ ଆଟି କ୍ଷେତ୍ରର ସଫଳତା କ’ଣ?

ଉତ୍ତର: ଗତ ୬୫ ବର୍ଷରେ କିଛି ହୋଇନାହିଁ ବୋଲି ମୁଁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବେ ବି କହିନାହୁଁ । ୟୁପିଏ ସରକାର ଅମଳରେ ନୋକିଆ ଟେଲନର ପରି କମ୍ପାନୀମାନେ ଦେଶ ଛାଡ଼ିଥିଲେ । ଦେଶରେ ୨ଜି ସ୍କାମ, ଦେବାସ ସ୍କାମ ଦେଖାଦେବା ସହିତ ବିଏସଏନଏଲ ଭୁଶୁଡ଼ି ପଡ଼ିଥିଲା । ଗତ ୯ ବର୍ଷ ମଧ୍ୟରେ ଆଇଟି, ଆଇଇଏସ କ୍ଷେତ୍ରରେ ଦେଶ ଆଗକୁ ବଢ଼ିଛି ।

ପ୍ରଶ୍ନ: ଆସନ୍ତା ୨୦୨୫-୨୬ ସୁଦ୍ଧା ଦେଶର ଅର୍ଥନୀତି ପ୍ରତି ଡିଜିଟାଲ ଅର୍ଥନୀତିର ଅବଦାନ ୨୦ ପ୍ରତିଶତକୁ ବୃଦ୍ଧି ପାଇବ । ଏହା କିପରି ଆଗକୁ ବଢ଼ିବ?

ଉତ୍ତର: ମୁଁ ମନ୍ତ୍ରୀ ହେବାର ୨-୩ ମାସ ପରେ ପ୍ରଧାନମନ୍ତ୍ରୀ ମୋତେ ଇଂଲଣ୍ଡ ପଠାଇଥିଲେ । ଏହି ଅବସରରେ ମୁଁ ୩୦ ଷ୍ଟାଟ ଅପ ବାବଦରେ ଇଂଲଣ୍ଡ ସରକାରଙ୍କ ସହିତ ଆଲୋଚନା କରିଥିଲି । ପ୍ରଧାନମନ୍ତ୍ରୀ ମୋଦୀ ଯୁବବର୍ଗଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଥିଲେ । ମୋଦୀ ଯୁବକଙ୍କୁ ଉତ୍ସାହ ଦେବା ସହିତ ସଶକ୍ତିକରଣ କରୁଛନ୍ତି ବୋଲି ମୁଁ କହିଥିଲି ।

ପ୍ରଶ୍ନ: ଭାରତ ବିଶ୍ୱରେ ନିଜର ଛବି ସୃଷ୍ଟି କରିବାରେ ସକ୍ଷମ ହୋଇଥିବା ବେଳେ ଏଠାରେ ମୁକ୍ତ ଭାବେ କହିବା ଓ ଗଣତନ୍ତ୍ରକୁ ଟାର୍ଗେଟ କରାଯାଉଥିବା ନେଇ ବିରୋଧୀମାନେ କାହିଁକି ଆକ୍ରମଣ କରୁଛନ୍ତି?

ଉତ୍ତର: ନୂଆ ସଂସଦ ଭବନ ଉଦଘାଟନ ସମୟରେ ସାରା ଦେଶ ଉତ୍ସବ ମନାଉଥିବା ବେଳେ ବିରୋଧୀମାନେ କ୍ରୋଧିତ ହୋଇଥିଲେ । ଦେଶ ଟେକ୍ନୋଲୋଜି କ୍ଷେତ୍ରରେ ଆଗକୁ ବଢ଼ୁଛି ବୋଲି ସାରା ବିଶ୍ୱ ମାନୁଛି । ମାତ୍ର ରାହୁଲ ଗାନ୍ଧି ବର୍ଷକୁ ୬୦ ଥର ଯାତ୍ରା କରି ଭାରତରେ ଗଣତନ୍ତ୍ର ବିପଦରେ ରହିଛି, ନ୍ୟାୟପାଳିକା କାମ କରୁନି ବୋଲି ଦେଶ ବିରୋଧୀ ବୟାନ ଦେଉଛନ୍ତି ।

Get real time updates directly on you device, subscribe now.